ପଲିଟିକ୍ସ ପଶାପାଲିରେ ପଞ୍ଚମ ବିଜୟ । ପୁଣି ଓଡ଼ିଶାର ବାଦଶାହା ହେଲେ ବିଜେଡି ସୁପ୍ରିମୋ ।

ପୁଣିଥରେ ନବୀନ ଓ ତାଙ୍କ ଦଳ ବିଜେଡିକୁ ଅଜଶ୍ର ଆଶୀର୍ବାଦ ଅଜାଡି ଦେଇଛି ଓଡିଶା ।

255

କନକ ବ୍ୟୁରୋ: ରାଜ୍ୟରେ ପୁଣି ନବୀନ ସରକାର । ଦୀର୍ଘ ୧୯ ବର୍ଷ କ୍ଷମତାରେ ରହିବା ପରେ ବି ମଳିନ ପଡିନି ନବୀନଙ୍କ କ୍ରେଜ୍ । ପୁଣିଥରେ ନବୀନ ଓ ତାଙ୍କ ଦଳ ବିଜେଡିକୁ ଅଜଶ୍ର ଆଶୀର୍ବାଦ ଅଜାଡି ଦେଇଛି ଓଡିଶା । ଏଥିସହ ଲଗାତର ପଂଚମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ । ୨୦୧୯ ନିର୍ବାଚନରେ ପୁଣିଥରେ ରାଜ୍ୟରେ ଓଡିଶାବାସୀଙ୍କ ଆସ୍ଥା ଭାଜନ ହୋଇପାରିଛି ନବୀନଙ୍କ ବିଜୁ ଜନତା ଦଳ । ମୋଦି ମ୍ୟାଜିକକୁ ପ୍ରତିହତ କରି ଏକାକୀ ପ୍ରଚାରର ମଙ୍ଗ ଧରିଥିିବା ନବୀନ, ଦଳ ପାଇଁ ଆଣିଦେଇଛନ୍ତି ଏକତରଫା ବିଜୟ । ଆଉ ୧୯ ମହାଯୁଦ୍ଧର ଫଳାଫଳରେ କେନ୍ଦ୍ରୀୟ ରାଜନୀତି ଶିବିରକୁ ମଧ୍ୟ ଆଚମ୍ବିତ କରିଛନ୍ତି ।

ବର୍ତମାନ ପର୍ଯ୍ୟନ୍ତ ନବୀନଙ୍କ ତୁଳନାରେ ଅରୁଣାଚଳରେ ଗେଗଙ୍ଗ ଅପାଙ୍ଗ, ମିଜୋରାମରେ ଲାଲ ଥାନୱାଲା, ହିମାଚଳରେ ବୀରଭଦ୍ର ସିଂ ଓ ତ୍ରିପୁରାରେ ମାଣିକ ସରକାର ଅଧିକ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ରେକର୍ଡ କରିଛନ୍ତି । ହେଲେ ୧୯୯୪ରୁ ସିକିମରେ କ୍ଷମତାରେ ରହିଆସିଥିବା ମୁଖ୍ୟମନ୍ତ୍ରୀ ପବନ ଚାମଲିଙ୍ଗଙ୍କ ଦଳ ଏସଡିଏଫ ହାତରୁ କ୍ଷମତା ଛଡାଇ ନେଇଛି ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା । ଫଳରେ ୨୪ ବର୍ଷରେ ସୀମିତ ରହିଯାଇଛି ଏସଡିଏଫ ମୁଖ୍ୟ ପବନ ଚାମଲିଙ୍ଗଙ୍କ ମୁଖ୍ୟମନ୍ତ୍ରୀତ୍ୱ । ପଶ୍ଚିମବଙ୍ଗରେ ୨୩ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ଓଡିଶାରେ ନବୀନ ତାଙ୍କ ପଂଚମ ଟର୍ମ ପୁରାକଲେ ଏସବୁ ରେକର୍ଡକୁ ଭାଙ୍ଗିଦେବେ ।

ସବୁଠାରୁ ବଡକଥା ହେଉଛି ୨୦୧୭ ପଂଚାୟତ ନିର୍ବାଚନ ଫଳାଫଳ ରାଜ୍ୟବାସୀଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । ସାଧାରଣ ନିର୍ବାଚନେ ବିଜେଡି ଆଉ ସରକାର ଗଢିବାକୁ ସଂଖ୍ୟା ପାଇବ କି ନା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବିଜେଡି ଛାଡି ବିଜେପିରେ ଯୋଗ ଦେଉଥିବା ତୁଙ୍ଗନେତା ବିଜେଡି ବିରୋଧୀ ସ୍ୱରକୁ ଆହୁରି ତୀବ୍ର କରିଥିଲେ । ହେଲେ ପଂଚାୟତ ନିର୍ବାଚନ ଫଳାଫଳକୁ ନବୀନ କେବଳ ଗମ୍ଭୀର ଭାବେ ଗ୍ରହଣ କଲେ ତାହାନୁହେଁ, ବରଂ ନିଜ ଭାବମୂର୍ତି ସଜାଡିବାକୁ ଅନେକ କୌଶଳ ମଧ୍ୟ ଆପଣାଇଥିଲେ । ଯାହାର ପରିଣାମ ଇଭିଏମରେ ଭୋଟ୍ ଗଣତିବେଳେ ସାମ୍ନାକୁ ଆସିଛି ।

ଏସବୁ ବାଦ୍ ଆଗାମୀ ୨୯ ତାରିଖରେ ଶପଥ ନେବେ ନବୀନଙ୍କ ନୂଆ ସରକାର । ଲଗାତର ପଂଚମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହ ଦେଶରେ ସର୍ବାଧିକଥର ମୁଖ୍ୟମନ୍ତ୍ରୀ ବନିବାରେ ପବନ ଚାମଲିଙ୍ଗ ଓ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ରେକର୍ଡର ସମକକ୍ଷ ହେବେ ବିଜେଡି ସୁପ୍ରିମୋ ।