ହିଞ୍ଜିଳିରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ତାରାତାରିଣୀ ମନ୍ଦିରରେ ଦର୍ଶନ କରି ମାଗିଲେ ଆଶୀର୍ବାଦ । କହିଲେ, ବହୁ ଆସନରେ ବିଜୟୀ ହେବ ବିଜେଡି ।

132

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ଲଢିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ କରିବା ପୂର୍ବରୁ ନବୀନ ମା ତାରାତାରିଣୀଙ୍କ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ ପରେ ସରଗରମ ହୋଇଛି ଗଞ୍ଜାମ ରାଜନୀତି । ଏହି ଅବସରରେ ନବୀନ କହିଛନ୍ତି ୨୦୧୯ ନିର୍ବାଚନରେ ବିପୁଳ ସିଟରେ ବିଜୟୀ ହେବେ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ସମାଲୋଚନା କରିଛି ବିଜେପି ।

ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳିରୁ କଲେ ପ୍ରାର୍ଥୀପତ୍ର ଦାଖଲ । ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଇ, କ୍ରମାଗତ ୫ମ ଥର ପାଇଁ ଗଂଜାମ ଜିଲ୍ଲାର ହିଞ୍ଜିଳିରୁ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଥର ପାଇଁ ଦୁଇ-ଦୁଇଟି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ବିଜେଡି ସୁପ୍ରିମୋ, ଆଜି ନାମାଙ୍କନ ପତ୍ର ଦାଖଲ କରିବା ସହ ବିପୁଳ ସିଟରେ ବିଜୟୀ ହେବା ନେଇ ଦମ୍ଭୋକ୍ତି କରିଛନ୍ତି । ଆଉ ଖୁବ୍ ଶୀଘ୍ର ବିଜେପୁର ଆସନ ପାଇଁ ନାମାଙ୍କନ ଭରିବେ ବୋଲି ସୂଚନା ଦେଇଛନ୍ତି ।

ଉଭୟ ହିଞ୍ଜିଳି ଏବଂ ବିଜେପୁର ନିର୍ବଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଏହି ଦୁଇଟି ଆସନରେ ଏପ୍ରିଲ ୧୮ ତାରିଖରେ ହେବ ମତଦାନ । ତେବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କର ଶେଷ ତାରିଖ ହେଉଛି, ମାର୍ଚ୍ଚ ୨୬ । ଏପଟେ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ପରେ ଚଳଚଂଚଳ ହୋଇ ଉଠିଛି ଗଂଜାମ ରାଜନୀତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କରିଥିବା ଦମ୍ଭୋକ୍ତିକୁ ସମାଲୋଚନା କରିଛି ବିଜେପି । ଦଳର ଉପ-ସଭାପତି ସମୀର ମହାନ୍ତି କହିଛନ୍ତି, ଯିଏ ପ୍ରାର୍ଥୀପତ୍ର ଦାଖଲ କରେ ସେ ସବୁବେଳେ ବିପୁଳ ସଂଖ୍ୟାରେ ଜିତିବେ ବୋଲି ଦାବି କରନ୍ତି । ନିର୍ବାଚନ ପାଇଁ ଏବେ ନାମାଙ୍କନ ଦାଖଲକୁ ନେଇ ବେଶ ତତ୍ପରତା ପ୍ରକାଶ ପାଇଥିବା ବେଳେ ଏହା ପରେ ଆରମ୍ଭ ହୋଇଯିବ ନିର୍ବାଚନୀ ପ୍ରଚାର । ଆଉ ଏସବୁ ଭିତରେ ଦେଖିବାର କଥା ବିଜେପୁର ଆସନ ପାଇଁ କେବେ ନାମାଙ୍କନ ଦାଖଲ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।