ନାଁ ଭରିଲେ ନବୀନ: ଲଗାତାର ଅଷ୍ଟମ ଥର ପାଇଁ ବିଜେଡିର ମଙ୍ଗ ଧରିବାକୁ ଭରିଲେ ନାମାଙ୍କନ, ୨୬ରେ ବିଧିବଦ୍ଧ ଭାବେ ହେବ ଘୋଷଣା ।

393

କନକ ବ୍ୟୁରୋ: ଜାରି ରହିଛି ବିଜେଡିର ସାଙ୍ଗଠନିକ ନିର୍ବାଚନ । ଦଳର ସଭାପତି ଭାବେ ନାମାଙ୍କନ ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ଥରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜେଡି ସଭାପତି ନିର୍ବାଚିତ ହେବେ ନବୀନ । ଏହା ସହ ଲଗାତାର ଭାବେ ଅଷ୍ଟମ ଥର ଲାଗି ଦଳରେ ତାଙ୍କର ହେବ ରାଜ୍ୟାଭିଷେକ । ଆଜି ନବୀନ ପଟ୍ଟନାୟକଙ୍କ ନାମାଙ୍କନ ଭରିଥିବାବେଳେ ତାଙ୍କ ସହ ଦଳର ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ବି ନାମାଙ୍କନ ଭରୁଛନ୍ତି ।

ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ୧୦ ଜଣ ପ୍ରସ୍ତାବକ ଓ ସମର୍ଥକ ରହିଛନ୍ତି । ଦଳର ବରିଷ୍ଠ ନେତାମାନେ ବି ଏହି ସମୟରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ୧୯୯୭ରେ ବିଜେଡି ଗଠନ ହେବା ପରେ ନବୀନ ପଟ୍ଟନାୟକ ଲାଗାତର ଭାବେ ଦଳର ସଭାପତି ରହିଆସିଛନ୍ତି ।

ସେପଟେ ଆସନ୍ତା ୨୬ ତାରିଖରେ ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ସଭାପତି ଘୋଷଣା କରାଯିବ । ଡିସେମ୍ବର ୨୭ରୁ ଫେୃବୃଆରୀ ୨୦ ମଧ୍ୟରେ ବିଜେଡିର ବ୍ଲକ ସଭାପତି ଓ କମିଟି ସଦସ୍ୟ ନିର୍ବାଚନ ସରିଛି । ୮୧ ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ଆଜିଠାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି ।