ସହିଦ ଯବାନଙ୍କ ପରିବାର ସାଥୀରେ ଛିଡା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! କହିଲେ, ମା’ ମୁଁ ବହୁତ ଦୁଃଖି, ମୁଁ ଆପଣଙ୍କ ସାଥିରେ ଅଛି ।

409

କନକ ବ୍ୟୁରୋ : କାଶ୍ମୀରରେ ଗୁରୁବାର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ ସହିଦ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ଓଡିଶାର ୨ ଜଣ ଯବାନ ଥିବା ବେଳେ ପୂରା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଉ ଏଭଳି ସମୟରେ ସିଆରପିଏଫ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହ ପୂରା ଘଟଣାକୁ ନିନ୍ଦା କରିଛନ୍ତି । ଆଉ ଏହାସହ ସହିଦଙ୍କ ଆତ୍ମୀୟଙ୍କ ପାଇଁ ରାଜ୍ୟ ସରକାର ୧୦ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।


ଏହାଛଡ଼ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦଙ୍କ ଅମରଆତ୍ମାର ସଦଗତି ନିମନ୍ତେ ସଚିବାଳୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ସଚିବାଳୟରୁ ଜଗତସିଂହପୁର ନାଉଗାଁର ଶହୀଦ ପ୍ରସନ୍ନ କୁମାର ସାହୁ ଏବଂ କଟକ ନିଆଳୀର ମନୋଜ ବେହେରାଙ୍କ ପରିବାର ସହ ଟେଲିଫୋନ୍ ଜରିଆରେ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶହୀଦଙ୍କ ପରିବାରଙ୍କୁ ସାନ୍ତ୍ୱନା ଜଣାଇ କହିଥିଲେ, “ମା, ମୁଁ ବହୁତ ଦୁଃଖି, ମୁଁ ଆପଣଙ୍କ ସାଥିରେ ଅଛି ।”

ଶୋକାକୁଳ ପରିବେଶ ଭିତରେ ବୁଡି ରହିଥିବା ଦୁଇ ପରିବାରକୁ ଭେଟି ବ୍ୟକ୍ତିଗତ ସମବେଦନା ଜଣାଇବା ପାଇଁ ଅର୍ଥମନ୍ତ୍ରୀ ଶଷୀଭୂଷଣ ବେହେରା ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।