ସୁରଟରେ ନବୀନଙ୍କ ଘୋଷଣା ! ଯୁକ୍ତ ୨ କଲେଜ ପ୍ରତିଷ୍ଠା ପାଇଁ ହେବ ଉଦ୍ୟମ, କଲଚରାଲ ସେଣ୍ଟର ପାଇଁ ୧୦ କୋଟି ।

329

କନକ ବ୍ୟୁରୋ : ଗୁଜୁରାଟ ସୁରଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ମହୋତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୁରଟରେ ପ୍ରବାସୀ ଓଡିଆକୁ ସମ୍ବୋଧିତ କରିଛନ୍ତି ନବୀନ । ତେବେ ବିଳମ୍ବରେ ପହଞ୍ଚିଥିବାରୁ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ମହୋତ୍ସବରେ ଯୋଗ ଦେବା ସହ ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ନବୀନ ପଟ୍ଟନାୟକ ଅନେକ ଘୋଷଣା ମଧ୍ୟ କରିଛନ୍ତି ।

ନବୀନ କହିଛନ୍ତି, ବାପୁଙ୍କ ଜନ୍ମଭୂମି ଗୁଜୁରାଟକୁ ଆସିଥିବାରୁ ସେ ବହୁତ ଖୁସି । ବାପୁଜୀ ଥିଲେ ଅଂହିସାର ପୂଜାରୀ । ଅହିଂସା ସହିତ ଶାନ୍ତି ଏବଂ ଶାନ୍ତି ସହିତ ବିକାଶର ସମ୍ପର୍କର ରହିଛି । ବିକାଶ ଆଜି ଓଡିଶାର ପରିଚୟ ହୋଇଛି । କଳା ସଂସ୍କୃତି ସହିତ ଦକ୍ଷ ମାନବ ସମ୍ବଳ ଆଜି ଓଡିଶାର ପରିଚୟ ହୋଇଛି । ନବୀନ କହିଛନ୍ତି, ସୁରଟରେ ବହୁ ଓଡିଆ ଭାଇଭଉଣୀ ରହୁଛନ୍ତି । ଓଡିଶା ଓ ଗୁଜୁରାଟ, ଦୁଇ ରାଜ୍ୟର ବିକାଶରେ ସୁରଟବାସୀଙ୍କର ଅବଦାନ ରହିଛି ।

ସୁରଟରେ ଖୁବ ଶିଘ୍ର ଯୁକ୍ତ ୨ କଲେଜ ପ୍ରତିଷ୍ଠା ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରଟରେ ରହି ଓଡିଆ ପିଲାମାନେ ମାଟ୍ରିକ୍ ପରୀକ୍ଷା ଦେବା ବିଷୟରେ ଓଡିଶା ସରକାର ଚିନ୍ତା କରୁଛନ୍ତି । ସୁରତର ଓଡିଆ ପିଲାମାନଙ୍କ ପାଇଁ ଓଡିଶା ସରକାର ଓଡିଆ ବହି ଯୋଗାଇଦେବେ । ସେହିପରି ସୁରତରେ ଓଡିଆ କଲଚରାଲ୍ ସେଂଟର ପାଇଁ ଜାଗା ଦେବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିବା ନବୀନ କହିଛନ୍ତି । ଆଉ ଏହି କଲଚରାଲ ସେଂଟର ପ୍ରତିଷ୍ଠା ପାଇଁ ନବୀନ ୧୦ କୋଟି ଟଙ୍କା ଘୋଷଣା କରିଛନ୍ତି ।

ସେହିପରି ବ୍ରହ୍ମପୁରରୁ ସୁରତକୁ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଭୁବନେଶ୍ୱର-ସୁରତ ମଧ୍ୟରେ ସିଧାସଳଖ ବିମାନ ସେବା ଯୋଗାଇ ଦେବା ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା ନବୀନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଓଡିଶା ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ଯେପରି ଦେଶର ସବୁ ଅଞ୍ଚଳରେ ରହୁଥିବା ସବୁ ଓଡିଆଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ଓଡିଶା ସରକାର ପଦକ୍ଷେପ ନେଉଛନ୍ତି । ସୁରତର ପ୍ରବାସୀ ଓଡିଆ, ଓଡିଶା ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।