ନବୀନ ସରକାର ଉପରେ ପ୍ୟାଡମ୍ୟାନର ପ୍ରଭାବ ! ଝିଅ ଓ ମହିଳାଙ୍କ ପାଇଁ ଆସୁଛି ‘ଖୁସି’, ୬ ଟଙ୍କାରେ ମହିଳା ଓ କିଶୋରୀଙ୍କୁ ମିଳିବ ୬ଟି ପ୍ୟାଡ୍

223

କନକ ବ୍ୟୁରୋ : ଝିଅ ଓ ମହିଳାଙ୍କ ପାଇଁ ଆସୁଛି ‘ଖୁସି’ । ଏଇ, ଖୁସି ହେଉଛି ରାଜ୍ୟ ସରକାରଙ୍କ ଯୋଜନା । ଯାହା ମାଧ୍ୟମରେ ସ୍କୁଲ ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ ।ସେହିପରି ସହରାଂଚଳ ଓ ଗ୍ରାମାଂଚଳ ମହିଳାଙ୍କୁ ରିହାତି ମୁଲ୍ୟରେ ମିଳିବ ଏହି ସାନିଟାରୀ ନାପକିନ୍ । ୬ଟି ନାପକିନ୍ ପାଇଁ ଦେବାକୁ ପଡ଼ିବ ମାତ୍ର ୬ ଟଙ୍କା । ଅର୍ଥାତ୍ ଟଙ୍କାଟିଏରେ ପାଇପାରିବେ ନାପକିନ୍ । ଯୁବତୀ ଏବଂ ମହିଳାଙ୍କୁ ପରିସ୍କାର ପରିଚ୍ଚନ୍ନତା ପ୍ରତି ସଚେତନ କରିବା ଉର୍ଦ୍ଦେଶ୍ୟରେ ଏଭଳି ଏକ ଯୋଜନା କରିଛନ୍ତି ସରକାର ।

naveenଋତୁସ୍ରାବ, ଏଭଳି ଏକ ମୁହୁର୍ତ ଯାହାକୁ ନେଇ ଏବେ ବି ଆମ ସମାଜରେ ରହିଛି ଅନେକ ପରମ୍ପରାଗତ କଟକଣା । ସାମାଜିକ ଚଳଣୀ ଓ ପାରମ୍ପରିକ ଶୈଳୀ ଅନୁକରଣ ଭିତରେ ଆଜିର ଦିନରେ ବି ଏହାକୁ ଏକ ଭିନ୍ନ ଦୃଷ୍ଟିରେ ଦେଖେ ଆମ ସମାଜ । ପରିସ୍କାର ପରିଚ୍ଚନ୍ନତାକୁ ଯେଉଁ ସମୟରେ ଅଧିକ ସଚେତନ ହେବା କଥା, ସଚେତନା ଅଭାବରୁ ଯୁବତୀ ଓ ମହିଳାଙ୍କୁ ବାଛି ନେବାକୁ ହୁଏ ପୁରୁଣା କାଳିଆ ବାଟ ।ଆଉ ଏଭଳି ଏକ ସମୟରେ ଯୁବତୀ ଓ ମହିଳାଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ‘ଖୁସି’ । ‘ଖୁସି’ ଇଏ ହେଉଛି ସେହି ଯୋଜନା, ଯାହା ମାଧ୍ୟମରେ ସ୍କୁଲଗୁଡ଼ିକରେ ଝିଅମାନଙ୍କୁ ମାଗଣାରେ ସରକାର ଯୋଗାଇ ଦେବେ ସାନିଟାରୀ ନାପ୍କିନ୍ । ଏହା ସହ ସହରାଂଚଳ ଓ ଗ୍ରାମାଂଚଳ ମହିଳାଙ୍କୁ ରିହାତି ମୁଲ୍ୟରେ ଯୋଗଇ ଦିଆଯିବ ସାନିଟାରୀ ନାପକିନ୍ ।

ନିକଟରେ ରିଲିଜ୍ ହୋଇଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ୟାଡମ୍ୟାନ୍ ଯେଉଁ ଜନଜାଗରଣ ସୃଷ୍ଟି କରିଥିଲା, ସେହି ରାସ୍ତାକୁ ଆପଣାଇ ନେଇଛନ୍ତି ଓଡ଼ିଶା ସରକାର । ଏମିତିକି ଅକ୍ଷୟ କୁମାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମାଗଣାରେ ଏହି ସାନିଟାରୀ ନାପ୍କିନ୍ ଯୋଗଇ ଦେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ ।ଅକ୍ଷୟ କୁମାରଙ୍କ ଫିଲ୍ମ ଯେଉଁ ବାର୍ତା ଦେଉଛି ଏବଂ ରାଜ୍ୟ ସରକାର ଯେଉଁ ଘୋଷଣା କରିଛନ୍ତି-ଉଭୟର ଲକ୍ଷ୍ୟ ସମାନ । କେମିତି ଆମ ଝିଅ ଓ ମହିଳାମାନେ ଋତୁସ୍ରାବ ସମୟରେ ପରିସ୍କାର ପରିଚ୍ଛନ୍ନତା ଆପଣାଇବେ । ଏବଂ ସୁବିଧାରେ ସାନିଟାରୀ ନାପକିନ୍ ପାଇପାରିବେ ।

naveenକେବଳ ଓଡ଼ିଶା ସରକାର ନୁହେଁ ମହାରାଷ୍ଟ୍ର ସରକାର ମଧ୍ୟ ଆସନ୍ତା ମାର୍ଚ୍ଚ ୮ ତାରିଖ ମହିଳା ଦିବସରେ ‘ଅସ୍ମିତା’ ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ଯେଉଁଥିରେ ମହିଳା ଓ ସ୍କୁଲ ଛାତ୍ରୀଙ୍କୁ ରିହାତି ମୂଲ୍ୟରେ ସାନିଟାରୀ ନାପକିନ୍ ଦେବାର ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାରଙ୍କ ଏନଆରଏଚଏମ୍ ଯୋଜନାରେ ମଧ୍ୟ ଫ୍ରି-ଡେଜ୍ ନାଁରେ ଏଭଳି ଏକ ଯୋଜନା କାମ କରୁଛି । ଯେଉଁଥିରେ ୧୫୨ଟି ଜିଲ୍ଲା ଏହି ଅଭିଯାନ ଜାରି ରଖିଛି ।କେରଳ ସରକାର ପ୍ରଥମ କରି ସ୍କୁଲଗୁଡ଼ିକରେ ମାଗଣାରେ ସାନିଟାରୀ ନାପକିନ୍ ଯୋଗାଇ ଦେବାର ଯୋଜନା ଆରମ୍ଭ କରିଥିଲେ । ତେବେ ସବୁଠାରୁ ବଡ କଥା ହେଉଛି-ମୋଟ୍ ଜନସଂଖ୍ୟାର ପ୍ରାୟ ଅଧା ମହିଳା ଥିବା ବେଳେ ହୁଏତ ଏକ ବଡ ଭୋଟକୁ ଏହି ଯୋଜନା କରିବାର ସମ୍ଭାବନା ରହିଛି ।

-‘ଖୁସି’ ଯୋଜନାରେ ସମସ୍ତ ସରକାରୀ ସ୍କୁଲ ଛାତ୍ରୀଙ୍କୁ ମାଗଣାରେ ମିଳିବ ସାନିଟାରୀ ନାପକିନ୍
-ରାଜ୍ୟର ୧୭ ଲକ୍ଷ ଛାତ୍ରୀ ଏହି ଯୋଜନାରୁ ସିଧାସଳଖ ଉପକୃତ ହେବେ
-ଗ୍ରାମାଚଂଳ ଏବଂ ସହରାଚଂଳରେ ମହିଳାଙ୍କୁ ରିହାତି ମୂଲ୍ୟରେ ମିଳିବ ସାନିଟାରୀ ନାପ୍କିନ୍
-୬ଟି ନାପକିନ୍ ପାଇଁ ଏମାନଙ୍କୁ ଦେବାକୁ ପଡ଼ିବ ମାତ୍ର ୬ ଟଙ୍କା
-ଆଶା କର୍ମୀଙ୍କ ଦ୍ୱାରା ସୋସିଆଲ ମାର୍କେଟିଂ ଜରିଆ ଏହା ଉପଲବ୍ଧ ହେବ