ଏକକାଳୀନ ନିର୍ବାଚନ ନେଇ ମୋଦିଙ୍କ ପ୍ରସ୍ତାବକୁ ନବୀନଙ୍କ ସମର୍ଥନ ପରେ ଜୋରଧରିଲା ରାଜନୀତି! ଆପଣଙ୍କ ମତରେ ଏବେ ନିର୍ବାଚନ ହେଲେ କାହାକୁ ମିଳିବ ଫାଇଦା

29

କନକ ବ୍ୟୁରୋ : ମୋଦି ସରକାରଙ୍କ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ନବୀନଙ୍କ ସମର୍ଥନ ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏକାସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଲେ କାହାକୁ ଫାଇଦା ମିଳିବ ଏବଂ କାହାର କ୍ଷତିହେବ ତାକୁ ନେଇ ଚାଲିଛି ଜର୍ତମା । ୨୦୦୪ରୁ ଦୁଇଟିଯାକ ନିର୍ବାଚନ ଏକାଠି ସାମ୍ନା କରୁଥିବା ବିଜେଡି ପାଇଁ ଏଭଳି ନିଷ୍ପତି ପ୍ରଭାବହୀନ ବୋଲି କୁହାଯାଉଛି । କିନ୍ତୁ ରାଜନୈତିକ ପଣ୍ଡିତଙ୍କ ମତରେ ନବୀନଙ୍କ ପାଇଁ ଏଭଳି ନିଷ୍ପତି ପଛରେ ରାଜନୈତିକ ବାଧ୍ୟବାଧକତା ବି ରହିଛି । ସେପଟେ ମୋଦି ମ୍ୟାଜିକକୁ ଆଧାର କରି ଗୋଟିଏ ଝଟକାରେ ସବୁ ନିର୍ବାଚନ ପାର ହେବା ଯୋଜନାରେ ଅଛି ବିଜେପି । ଆଉ କେନ୍ଦ୍ର କଂଗ୍ରେସ ସ୍ୱରରେ ସ୍ୱର ମିଳାଇ ଏଭଳି ଏକ ପ୍ରସ୍ତାବର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି ପ୍ରଦେଶ କଂଗ୍ରେସ ।

ନିକଟରେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଠାରୁ ଦୂରତା ରଖିଆସୁଥିବା ନବୀନ ହଠାତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଅତି ବିତର୍କିତ ପ୍ରସ୍ତାବକୁ ସମର୍ଥନ ଦେଇଛନ୍ତି । ଆୟୁଷମାନ ଭାରତରେ ସାମିଲ ନହେବା, ନୀତି ଆୟୋଗ ବୈଠକରୁ ଦୂରେଇ ରହିବା ଏବଂ ହକିକୁ ଜାତୀୟ ଖେଳର ମାନ୍ୟତା ନେଇ ଚିଠି ଲେଖିବା ପରେ ନବୀନଙ୍କ କେନ୍ଦ୍ର ବିରୋଧୀ ମନୋଭାବର ସ୍ପଷ୍ଟ ସଂକେତ ମିଳୁଥିଲା । ଆଉ ଏତିକିବେଳେ ଲୋକସଭା ଓ ରାଜ୍ୟସଭା ନିର୍ବାଚନ ଏକାଠି କରିବା ଲାଗି କେନ୍ଦ୍ରର ପ୍ରସ୍ତାବରେ ତତକ୍ଷଣାତ ସମ୍ମତି ଜଣାଇଛନ୍ତି ନବୀନ ।

କେନ୍ଦ୍ରରେ ଏନଡିଏ-ୱାନ ସରକାର ସମୟରେ ଯେତେବେଳେ ଆଗୁଆ ଲୋକସଭା ନିର୍ବାଚନ ହେଲା, ସେତିକିବେଳେ ନବୀନ ମଧ୍ୟ ବିଧାନସଭାକୁ ଭଙ୍ଗକରି ବର୍ଷଟିଏ ବାକିଥାଇ ଆଗୁଆ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହୋଇଗଲେ । ଯାହାର ଫାଇଦା ମଧ୍ୟ ବିଜେଡିକୁ ମିଳିଲା । ସେବେଠାରୁ ଓଡିଶାରେ ଏକାଠି ନିର୍ବାଚନ ହୋଇଆସୁଥିବାରୁ ବୋଧହୁଏ ଏପରି ଏକ ଯୋଜନାକୁ ନବୀନ ଗ୍ରୀନ ସିଗନାଲ ଦେବାରେ ବିଶେଷ ଅସୁବିଧା ନଥିଲା । କିନ୍ତୁ ଏବେ ପରବର୍ତିତ ରାଜନୈତିକ ପରିସ୍ଥିତିରେ ନବୀନଙ୍କ ଏହି ନିଷ୍ପତିକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି । ବିଜେପି ମଧ୍ୟ ଏକକ ନିର୍ବାଚନରୁ ଫାଇଦା ପାଇବାକୁ ଆଶା କରୁଛି ।

ଏକାଠି ନିର୍ବାଚନକୁ ଗଲେ ୨୦୧୪ର ସଫଳତା ଦୋହରାଇବାରେ ସମର୍ଥ ହେବେ ବୋଲି ନବୀନ ଧରି ନେଇଥିବା ଚର୍ଚ୍ଚା ହେଉଛି । କାରଣ ମୋଦି ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନକୁ ଚାଲିଗଲେ, ପରେ ବିଧାନସଭା ନିର୍ବାଚନ ଲଢିବା ପାଇଁ ବିଜେପିକୁ ଅଧିକ ଶକ୍ତି ମିଳିଯିବ । ଯଦି ଏକାଠି ନିର୍ବାଚନ ହେବ ତେବେ ମୋଦିଙ୍କ ପୂରା ଫୋକସରେ ରହି ପାରିବନି ଓଡ଼ିଶା । ସେପଟେ ବିଜେପି ଅଙ୍କ କଷୁଛି, ସାରା ଦେଶରେ ପୁଣିଥରେ ମୋଦି ମ୍ୟାଜିକକୁ ଅସ୍ତ୍ରକରି ଉଭୟ ଲୋକସଭା ଓ ବିଧାନସଭାରେ ବଡ ବିଜୟ ହାସଲ କରିବ ଦଳ ।

ମୋଦି ସରକାରଙ୍କ ଏପରି ପରିକଳ୍ପନାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଅନେକ ସାମ୍ବିଧାନିକ ପ୍ରତିବନ୍ଧକ ରହିଛି । ଭାରତ ଭଳି ବଡ ଗଣତନ୍ତ୍ରରେ ସବୁ ରାଜନୈତିକ ଦଳ ଓ ସରକାରଙ୍କ ସମର୍ଥନ ହାସିଲ କରିବା ମଧ୍ୟ ମୋଦି ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇ ରହିଛି ।