ମୋଦିଙ୍କୁ ଭେଟିଲେ ନବୀନ: ଫୋନି ପାଇଁ ୫ ହଜାର କୋଟି ଟଙ୍କା ଓ ୫ ଲକ୍ଷ ପକ୍କା ଘର ଯୋଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦାବି

280

କନକ ବ୍ୟୁରୋ: ନିର୍ବାଚନୀ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଧାରଣ ନିର୍ବାଚନରେ ପରସ୍ପରକୁ ଟାର୍ଗେଟ କରିବା ପରେ ଆଜି ଥିଲା ପ୍ରଥମ ଭେଟଘାଟ କାର୍ଯ୍ୟକ୍ରମ । ନବୀନ  ପ୍ରଥମେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ପରେ ସାକ୍ଷାତ ସମୟରେ ଓଡ଼ିଶାର ବିଭିନ୍ନ ଦାବି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ପୂର୍ବରୁ ନବୀନ ଦେଇଥିବା ସୂଚନା ଅନୁସାରେ ମୋଦିଙ୍କ ସହ ଫୋନି ସମ୍ପର୍କୀତ କ୍ଷୟକ୍ଷତି ଓ କେନ୍ଦ୍ରର ସହାୟତାକୁ ନେଇ ନବୀନ ମୋଦିଙ୍କ ସହ ଆଲୋଚନା କରିଛନ୍ତି । ୫ହଜାର କୋଟି ଆର୍ଥିକ ସହାୟତା ସହ ଫୋନି ପ୍ରଭାବିତଙ୍କ ପାଇଁ ୫ଲକ୍ଷ ପକ୍କାଘର ଯୋଗାଇ ଦେବାକୁ ନବୀନ ଦାବି କରିଛନ୍ତି । ଏହା ସହିତ କେନ୍ଦ୍ରୀୟ ସହାୟତ ଶୀଘ୍ର ଯୋଗାଇ ଦେବାକୁ ଦାବି କରିବା ସହ କୋଇଲା ରୟାଲିଟି ସଂଶୋଧନ କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି କରିଛନ୍ତି ନବୀନ । ସେହିପରି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରାଯାଇଥିବା ମୋଦିଙ୍କୁ ସାକ୍ଷାତ ପରେ ସୂଚନା ଦେଇଛନ୍ତି ନବୀନ ।

 

ତେବେ ଆୟୁଷ୍ମାନ ଯୋଜନାରେ ଓଡିଶା ସାମିଲ ହେବା ପ୍ରସଙ୍ଗ ଓ ବିଜେଡିରୁ ଉପବାଚସ୍ପତି ହେବା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିବା କହିଛନ୍ତି ନବୀନ ପଟ୍ଟନାୟକ । ସାଧାରଣ ନିର୍ବାଚନ ଶେଷ ହେବା ପରେ ଓଡିଶା ଉପକୂଳରେ ମାଡ କରିଥିଲା ଫୋନି ବାତ୍ୟା । ତେବେ ଫୋନି ମୁକାବିଲା ନେଇ ରାଜ୍ୟରେ ବିଜେପି ସେଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିନଥିଲା । ଚର୍ଚ୍ଚା ହେଉଥିଲା ବିଜେଡିର ଆବଶ୍ୟକତାକୁ ଆଖି ଆଗରେ ରଖି କେନ୍ଦ୍ର ବିଜେପି ନବୀନ କିମ୍ବା ବିଜେଡି ଉପରେ ନରମ ରହିଥିଲା ।

ତେବେ ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି କେନ୍ଦ୍ରରେ ସଂଖ୍ୟା ଗରିଷ୍ଠତା ହାସଲ କରି ଏହି ସମ୍ଭାବନାକୁ ଆବଶ୍ୟକ କରୁନାହିଁ । ଏହି ପରିବର୍ତିତ ସ୍ଥିତିରେ ମୋଦି ଓ ନବୀନଙ୍କ ଭେଟ ରାଜନୈତିକ ଦୃଷ୍ଟି କୋଣରୁ ବେଶ୍ ଗୁରୁତ୍ୱବହନ କରୁଛି । ନବୀନ ସାଢ଼େ ୧୨ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।