ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ସପ୍ତମରେ ନବୀନ ! ଏଡିଆର ରିପୋର୍ଟରେ ନବୀନଙ୍କ ପାଖରେ ରହିଛି ୧୨କୋଟି ୬ଲକ୍ଷ ୩୭ହଜାର ୪୩୩ଟଙ୍କାର ସମ୍ପତି

38

କନକ ବ୍ୟୁରୋ : ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ସପ୍ତମ । ଇଲେକ୍ସନ ୱାଚ୍ ଓ ଆସୋସିଏସନ ଫର ଡେମେକ୍ରାଟିକ ରିଫର୍ମ ପକ୍ଷରୁ ପ୍ରକାଶିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମ୍ପତି ତାଲିକାରୁ ଏହା ଜଣାପଡିଛି । ଏହି ତାଲିକାରେ ନବୀନ ପଟ୍ଟନାୟକଙ୍କୁ ଦେଶର ସପ୍ତମ ଧନୀ ମୁଖ୍ୟମନ୍ତ୍ରୀର ମାନ୍ୟତା ଦିଆଯାଇଛି । ନବୀନଙ୍କର ମୋଟ୍ ୧୨ କୋଟି ୬ଲକ୍ଷ ୩୭ହଜାର ୪୩୩ ଟଙ୍କାର ସମ୍ପତି ରହିଛି । ଯେଉଁଥିରେ ରହିଛି ୧୭ ଲକ୍ଷ ୭୫ହଜାର ୪୩୩ଟଙ୍କାର ସ୍ଥାବର ସମ୍ପତି । ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଚନ୍ଦ୍ରବାବୁଙ୍କର ୧୭୭କୋଟିରୁ ଅଧିକ ମୂଲ୍ୟର ସମ୍ପତି ରହିଛି । ସେହିପରି ଏହି ରିପୋର୍ଟରେ ୧୧ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ଥିବା ପ୍ରକାଶ ପାଇଛି । କିନ୍ତୁ ନବୀନଙ୍କ ନାଁ ସେଭଳି ମାମଲା ନାହିଁ ।

ଗଣତାନ୍ତ୍ରିକ ସଂସ୍କାର ସଂଘ(ଏଡିଆର୍) ପକ୍ଷରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ସେଥିରେ ନବୀନ ପଟ୍ଟନାୟକ ଦେଶର ସପ୍ତମ ଧନୀ ମୁଖ୍ୟମନ୍ତ୍ରୀର ମାନ୍ୟତା ରଖିଥିବା ଜଣାଯାଇଛି । ଅପରପକ୍ଷେ, ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ଥିବା ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁଙ୍କର ୧୭୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି । ସେହିପରି ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ପ୍ରେମା ଖାଣ୍ଡୁ(ଅରୁଣାଚଳ ପ୍ରଦେଶ)ଙ୍କର ସମ୍ପତ୍ତିର ମୂଲ୍ୟ ୧୨୯ କୋଟିରୁ ଅଧିକ । ତୃତୀୟ ସ୍ଥାନରେ ଥିବା କ୍ୟାପ୍ଟେନ୍ ଅମରିନ୍ଦର ସିଂହ(ପଞ୍ଜାବ) ୪୮ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ ବୋଲି ଜଣାଯାଇଛି । ସବୁଠାରୁ କମ୍ ସମ୍ପତ୍ତି(୨୬ ଲକ୍ଷ) ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ ସରକାରଙ୍କର ଥିବା ବେଳେ ତାଙ୍କ ଉପରକୁ ଥିବା ମମତା ବାନାର୍ଜୀ(ପଶ୍ଚିମବଙ୍ଗ)ଙ୍କର ୩୦ ଲକ୍ଷ ଏବଂ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କର ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା କଥା ଏଡିଆର୍ ତଥ୍ୟରୁ ଜଣାଯାଇଛି ।