ହାତ ଛାଡିଲାନି ବିଜେଡି ! ପ୍ରଭାତ ବିଶ୍ୱାଳଙ୍କ ପଛରେ ଠିଆ ହେଲେ ନବୀନ, ରାଜନୈତିକ ସ୍ତରରେ ଜବାବ ଦେବାକୁ ଦଳର ପ୍ରସ୍ତୁତି

47

ସିସୋର ସହ ସଂପର୍କ ଅଭିଯୋଗରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହେବା ପରେ ବିଜୁ ଜନତା ଦଳ ତାଙ୍କ ହାତ ଛାଡିନାହିଁ । ସମସ୍ତଙ୍କ ନଜର ଥିଲା, ନବୀନ କେଉଁ ପ୍ରକାରର ଆଭିମୁଖ୍ୟ ଗ୍ରହଣ କରିବେ? ମମତାଙ୍କ ଭଳି ଦଳୀୟ ନେତାଙ୍କ ଦୃଢ ସମର୍ଥନରେ ଠିଆ ହେବେ ନା ପୂର୍ବଭଳି ଦଳରୁ ନେତାଙ୍କୁ ସସପେଣ୍ଡ କରିବେ । ହେଲେ ନବୀନଙ୍କ ଆଜି ଭିନ୍ନ ଏକ ଆଭିମୁଖ୍ୟ ଦେଖିବାକୁ ମିଳିଛି । ମୋଦି ସରକାରଙ୍କୁ ସମାଲୋଚନା କରିବା ସହ ଶାସକ ବିଜୁ ଜନତା ଦଳ, ପ୍ରଭାତ ବିଶ୍ୱାଳଙ୍କ ସମର୍ଥନରେ ଠିଆ ହୋଇଛି । ଅନ୍ଧଭାବେ ପ୍ରଭାତଙ୍କୁ ଦଳରୁ ବାହାର କରିବାକୁ ଉଚିତ ମଣିନାହାନ୍ତି ସୁପ୍ରିମୋ ।

vlcsnap-2017-09-19-19h53m03s602ପୂର୍ବରୁ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ସାଂସଦ ରାମଚନ୍ଦ୍ର ହାଂସଦା ଗିରଫ ହେବା ପରେ ତୁରନ୍ତ ସେମାନଙ୍କୁ ଦଳରୁ ସସପେଣ୍ଡ କରିଦିଆଯାଇଥିଲା । ହେଲେ ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରଭାତଙ୍କୁ ଦଳ ତୁରନ୍ତ ସସପେଣ୍ଡ କରିବା ବଦଳରେ ସିବିଆଇ କୋର୍ଟରେ କଣ କାଗଜପତ୍ର ଦାଖଲ କରୁଛି, କଣ ପ୍ରମାଣ ଉପସ୍ଥାପନ କରୁଛି, ତାଉପରେ ନଜର ରଖିବାକୁ ଦଳ ଅଧିକ ଆଗ୍ରହ ଦେଖାଇଛି । ସ୍ୱାଭାବିକ ଭାବେ, ଏତେ ବର୍ଷ ପରେ ଯେତେବେଳେ ସିବିଆଇ କୌଣସି ଗିରଫଦାରୀ କରୁଛି, ତାକୁ ନେଇ ସନ୍ଦେହ ସୃଷ୍ଟି ହେବା କଥା ।

vlcsnap-2017-09-19-19h46m17s159ସିବିଆଇ ଗିରଫଦାରୀ କରିବା ପରେ ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ପ୍ରଭାତ ବିଶ୍ୱାଳଙ୍କ ବାବଦରେ କଣ ଆଭିମୁଖ୍ୟ ଗ୍ରହଣ କରାଯିବ, ଦଳ ଆଗାମୀ ଦିନରେ କଣ ଆଭିମୁଖ୍ୟ ରଖିବ, ଏହି ରଣନୀତି ତିଆରି କରିବାକୁ ଏକାଠି ହୋଇଥିଲେ ତୁଙ୍ଗନେତା । ଯେଉଁଥିରେ ନିଷ୍ପତ୍ତି ହୋଇଥିଲା, ଦଳ ସାମ୍ବାଦିକ ସମ୍ମିଳନୀ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବ । ମଙ୍ଗ ଧରିଥିଲେ ଦଳର ତୁଙ୍ଗ ତଥା ଟାଣୁଆ ନେତା । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କରିଥିଲେ ସାମ୍ବାଦିକ ସମ୍ମିଳନୀ. ସାଧାରଣତଃ ବିଜେପିକୁ ରାଜନୈତିକ ସ୍ତରରେ ସମାଲୋଚନା କରିବାକୁ ହେଲେ ନବୀଣ ନିଜର ୟଙ୍ଗ ବ୍ରିଗେଡ ଉପରେ ଭରସା କରୁଥିବା ବେଳେ ଆଜି କିନ୍ତୁ ଅଭିଜ୍ଞ ତଥା ସ୍ୱଛ ଆଭିମୁଖ୍ୟ ରଖୁଥିବା ନେତାଙ୍କୁ ନବୀନ ଛାଡିଥିଲେ ଆଗକୁ । ଉଦ୍ଦେଶ୍ୟ ବିଲକୁଲ ସ୍ପଷ୍ଟ ଥିଲା, କୈାଣସି ବି ରିସ୍କ ନେବାକୁ ଚାହୁଁନଥିଲେ ନବୀନ ।

ସାମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରତାପ କେଶରୀ ଦେବ କହିଥିଲେ, ସିବିଆଇ ତଦନ୍ତର ରାଜନୀତି କରଣ ହୋଇଛି, ଆଗାମୀ ଦିନରେ ଦଳ ଠିକଣା ଜବାବ ଦେବ । ଆବଶ୍ୟକ ପଡିଲେ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବ, ରାଜରାସ୍ତାକୁ ଓହ୍ଲାଇବ । ରାଜନୈତିକ ଚାଲକୁ ରାଜନୈତିକ ସ୍ତରରେ ଜବାବ ଦିଆଯିବ । କାହା ନିର୍ଦ୍ଦେଶରେ ସିବିଆଇ ଶୋଇ ରହିଥିଲା ଓ ଶିଥିଳ ହୋଇଥିଲା ବୋଲି ସେ ପ୍ରଶ୍ନ ଉଠାଇଥିଲେ । ପ୍ରଭାତ ବିଶ୍ୱାଳଙ୍କ ବାବଦରେ ବିଶଦ ରିପୋର୍ଟ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ବାବଦରେ ନିଷ୍ପତି ହେବ ବୋଲି ସ୍ପଷ୍ଟ କରିଥିଲେ ପ୍ରତାପ ଦେବ । ଅର୍ଥାତ୍ ଦଳ ଏବେ କାର୍ଯ୍ୟାନୁଷ୍ଠାନ ମୁଡରେ ନଥିବା ସ୍ପଷ୍ଟ ହୋଇଛି ।

3ସେହିଭଳି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ସିବିଆଇ ଯେଉଁପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ କରୁଥିଲା, ସେଥିରେ ବିଜେଡି କେବେ ବାଧକ ସାଜିନଥିଲା । ପ୍ରଭାତ ବିଶ୍ୱାଳଙ୍କ ମାମଲାରେ ୩ ବର୍ଷ ଧରି ସିବିଆଇ ତଦନ୍ତ କରୁଛି, ହେଲେ ତଦନ୍ତ ସରିନଥିଲା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ତଦନ୍ତର ପ୍ରକ୍ରିୟା ପଛର ରାଜନୈତିକ ଉଦ୍ଦେଶ୍ୟ ରହିଥିବା କଥା କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସାରା ଦେଶରେ ସିବିଆଇ ମାତ୍ର ୧୮ଟି କେସର ତଦନ୍ତ ସାରିଛି, ଅନେକ କେସ ଚାଲିଛି । ସୁବିଧା ଦେଖି ତଦନ୍ତକୁ ଶିଥିଳ ଓ କ୍ରିୟାଶୀଳ କରିବା ଅଭ୍ୟାସ ହେଲାଣି । ବିଜେପି ରାଜନୈତିକ ପ୍ରତିଶୋଧ ନେବାକୁ ଉଦ୍ୟମ କରୁଛି । ଯେତେବେଳେ ଆବଶ୍ୟକ ରାଜନୈତିକ ବିରୋଧୀଙ୍କ କ୍ଷେତ୍ରରେ ସିବିଆଇକୁ ପ୍ରୟୋଗ କରାଯାଉଛି ।

ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ବିରୋଧୀ ଦଳର କଂଠରୋଧ କରିବାକୁ କେନ୍ଦ୍ର ସିବିଆଇକୁ ବ୍ୟବହାର କରୁଛି । କଣ ଅଧିକ ପ୍ରମାଣ ପାଇଲା ଯେ, ହଠାତ ପ୍ରଭାତଙ୍କୁ ଗିରଫ କରାଗଲା? କେନ୍ଦ୍ର ଚାପର ବଶବର୍ତ୍ତୀ ହୋଇ ସିବିଆଇ କାର୍ଯାନୁଷ୍ଠାନ ଗ୍ରହଣ କରୁଛି । ଅର୍ଥାତ୍ ସିବିଆଇ ନିରପେକ୍ଷ ତଦନ୍ତ କରୁନଥିବା ଆଭିମୁଖ୍ୟ ଧରି ବିଜେଡି ସାମ୍ବାଦିକ ସମ୍ମିଳନୀକୁ ଓହ୍ଲାଇଥିଲା । ଯେତେବେଳେ ଚଳିତବର୍ଷ ଜାନୁୟାରୀରେ ପ୍ରଭାତ ବିଶ୍ୱାଳଙ୍କ ଘର ସମେତ ଅନ୍ୟ ସ୍ଥାନରେ ସିବିଆଇ ରେଡ୍ ହୋଇଥିଲା, ସେତେବେଳେ ରାଜନୈତିକ ଆକ୍ରୋଶର କାର୍ଡ ଖେଳିଥିଲେ ବିଜେଡି ।

Pradeepତେବେ ବିଜେଡିର ଅଭିଯୋଗ ଉପରେ କଡା ଜବାବ ରଖିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ । କହିଛନ୍ତି, ଓଡିଶାରେ ୨୦ ହଜାର କୋଟିର ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ସିବିଆଇ ତଦନ୍ତ ଚାଲିଛି । ସିସୋର ଚିଟଫଣ୍ଡ କାରବାରରେ ସଂପୃକ୍ତ ଥିବାରୁ ପ୍ରଭାତ ବିଶ୍ୱାଳ ଗିରଫ ହୋଇଛନ୍ତି । ଦୁର୍ଭାଗ୍ୟର ବିଷୟ, ପ୍ରଭାତଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ନେଲାନି । ସିବିଆଇ ତଦନ୍ତକୁ ବିଜେଡି ବିରୋଧ କରି କହୁଥିଲା କ୍ରାଇମବ୍ରାଂଚ ତଦନ୍ତ ଠିକ କରୁଛି । ଦଳୀୟ ନେତାଙ୍କୁ ବଂଚାଇବାକୁ ଏଭଳି ଆଭିମୁଖ୍ୟ କୋର୍ଟରେ ରଖିଥିଲା ଶାସକ ଦଳ । ପ୍ରଭାତ ଗିରଫ ହେବା ପରେ ନେତା, ମନ୍ତ୍ରୀ, ବିଧାୟକ ଆତଙ୍କିତ । କାଳେ ଆଗକୁ ସେମାନଙ୍କ ପାଳି ଆସିବ ସେଥିପାଇଁ ବିଚଳିତ । ଚିଟଫଣ୍ଡକୁ ପ୍ରୋତ୍ସାହିତ କରିଥିବା ବ୍ୟକ୍ତି ଜେଲ ଯିବେ, ଗିରଫ ହେବେ ବୋଲି ଦୃଢୋକ୍ତି ଦେଖାଇଛନ୍ତି ପ୍ରଦୀପ ପୁରୋହିତ । ସିବିଆଇ ତା’ବାଟରେ କାମ କରୁଛି, ବିଜେପି ବା କେନ୍ଦ୍ର ସରକାରଙ୍କ ଏଥିରେ କିଛି ଭୂମିକା ନାହିଁ । ପ୍ରଭାତ ବିଶ୍ୱାଳ ନିର୍ଦ୍ଦୋଷ ବୋଲି ବିଜେଡି କହିପାରିବ କି ବୋଲି ସେ ପାଲଟା ପ୍ରଶ୍ନ ପଚାରିଛନ୍ତି ।

ସେହିଭଳି ବିଜୟ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ସିବିଆଇ ତଦନ୍ତକୁ ନେଇ ସନ୍ଦେହ ଉଠିବା ସ୍ୱାଭାବିକ । ଯଦି ଅଭିଯୋଗ ଥିଲା, ଆଗରୁ କାର୍ଯ୍ୟାନୁଷ୍ଠାନ ନେବାକୁ କିଏ ମନାକରିଥିଲା? ତଦନ୍ତରେ ଶିଥିଳତା ଅଛି, ଯାହା ନାଁରେ ଆଭିଯୋଗ ଅଛି କାର୍ଯ୍ୟାନୁଷ୍ଠାନ ହେଉ । ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ଯେଉଁମାନେ ଗରୀବଙ୍କ ପଇସା ଖାଇଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଯଦି ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ପ୍ରମାଣ ଅଛି, କାର୍ଯ୍ୟାନୁଷ୍ଠାନ ଯଥାର୍ଥ । ବହୁ ପୂର୍ବରୁ ଅଭିଯୋଗ ଥିଲା, ଏବେ ଗିରଫ କରିବା ସନ୍ଦେହ ସୃଷ୍ଟି କରୁଛି ।

vlcsnap-2017-09-19-19h52m33s306ତେବେ ବଡ କଥା ହେଉଛି, ସିବିଆଇର ଏହି ତଦନ୍ତ ଆଉ ଗିରଫଦାରୀ ଅନେକ ଗୁଡିଏ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯାହାର ଉତ୍ତର ସାଧାରଣ ଜନତା ଜାଣିବାର ଆବଶ୍ୟକତା ରହିଛି । ରାଜନୈତିକ ଆକ୍ରୋଶ ରଖି ଗିରଫଦାରୀ ହେଲା କି? ବିଜେଡି ବିରୋଧରେ କେନ୍ଦ୍ର ସିବିଆଇକୁ ପ୍ରୟୋଗ କଲା କି? ପ୍ରଭାତଙ୍କ ବିରୋଧରେ ସିବିଆଇ କଣ ଏବେ ପ୍ରମାଣ ପାଇଲା? ଯଦି ପୂର୍ବରୁ ପ୍ରମାଣ ଥିଲା, ତେବେ ଚୁପ କାହିଁକି ଥିଲା ସିବିଆଇ? ମୋଦି ସରକାରଙ୍କ ନିର୍ଦ୍ଦେଶରେ ସିବିଆଇ ଶିଥିଳ ଓ କ୍ରିୟାଶୀଳ ହେଉଛି? ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ ଅନ୍ୟ ନେତା ହେବେ କି? ନିରପେକ୍ଷ ତଦନ୍ତ ଠାରୁ ଦୁରରେ ରହିଛି କି ସିବିଆଇ ଆଭିମୁଖ୍ୟ? ରାଜନୈତିକ ବିରୋଧିଙ୍କୁ ସିବିଆଇ ଲଗାଇ ଟାର୍ଗେଟ କରାଯାଉଛି କି? ଏସବୁ ପ୍ରଶ୍ନର ଉତ୍ତର ଜାଣିବାର ସମସ୍ତଙ୍କର ଅଧିକାର ଅଛି ।

ଯଦି କିଛି ବର୍ଷ ଆଗରୁ ଏହି ଗିରଫଦାରୀ ହୋଇଥାନ୍ତା ତେବେ ପ୍ରଶ୍ନବାଚୀ ସୃଷ୍ଟି ହୋଇନଥାନ୍ତା । ହେଲେ ଆଜି ଏହା ରାଜନୈତିକ ଝଡ ସୃଷ୍ଟି କରିଛି । ତେବେ ନବୀନଙ୍କ ଆଭିମୁଖ୍ୟ ଆଜି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ହୁଏତ ବହୁତ ଭାବିଚିନ୍ତି ଦଳୀୟ ସ୍ତରରେ ଏଭଳି ଆଭିମୁଖ୍ୟ ଗ୍ରହଣ କରାଯାଇଥିବ । ଦୀର୍ଘଦିନ ପରେ ନବୀନ ଶେଷରେ ଚିଟଫଣ୍ଡ ମାମଲାରେ ମମତା ବାନାର୍ଜୀଙ୍କ ଭଳି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଯଦିଓ ନିଜେ ସାମ୍ନାକୁ ଆସିନାହାନ୍ତି, ହେଲେ ନିଜ ଅନୁଗତଙ୍କ ଜରିଆରେ ବିଜେପି ଓ କେନ୍ଦ୍ରକୁ କଡା ବାର୍ତ୍ତା ଦେବାକୁ ଚାହିଁଛନ୍ତି ।

mamataଯେତେବେଳେ ତୃଣମୁଳ କଂଗ୍ରେସର ସାଂସଦଙ୍କୁ ସିବିଆଇ ଗିରଫ କରିଥିଲା, ସେତେବେଳେ ମମତା ସେମାନଙ୍କ ପଛରେ ଦୃଢ ଭାବେ ଠିଆ ହୋଇଥିଲେ । ମୋଦି ଓ ଅମିତ ଶାହାଙ୍କୁ ଟାର୍ଗେଟ କରିଥିଲେ । ରାଜନୈତିକ ଆକ୍ରୋଶ ରଖି ଏଭଳି ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ସେ ଯୁକ୍ତି ବାଢିଥିଲେ । ଏପରିକି କେନ୍ଦ୍ର ନୀତିକୁ ସମାଲୋଚନା ଓ ବିଲକୁ ବିରୋଧ କଲେ ସିବିଆଇ ପ୍ରୟୋଗ କରାଯାଉଥିବା କଥା ମଧ୍ୟ କହୁଥିଲେ । ଆଉ ଏବେ ଠିକ ସେହି ରାସ୍ତାରେ ନବୀନ ଆଗକୁ ବଢିଛନ୍ତି । ରାଜନୈତିକ ଆକ୍ରୋଶ କଥା କହିଛନ୍ତି, ଗିରଫଦାରୀରର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଏହାରି ଭିତରେ ନବୀନଙ୍କ ଏହି ଆଭିମୁଖ୍ୟ କଣ ଫରକ୍ ଆଣୁଛି ତା ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ କଥା । କାରଣ ନବୀନଙ୍କ ଏଭଳି କଠୋର ଆଭିମୁଖ୍ୟ ଦଳ ପାଇଁ ଲାଭ ଆଣୁଛି ନା କ୍ଷତି ପହଂଚାଉଛି ।