ନବୀନ ଶୁଝିନାହାଁନ୍ତି ଗୀତାଙ୍କ ଋଣ ! ସମ୍ପତ୍ତି ତାଲିକାରେ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

24

କନକ ବ୍ୟୁରୋ : ପ୍ରତି ବର୍ଷ ଭଳି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ୱେବସାଇଟରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତି ନିର୍ବାଚନ ବେଳେ ପ୍ରାୟ ୧୨ କୋଟି ଟଙ୍କାଥିବାବେଳେ ନିର୍ବାଚନ ପରେ ଏହା ପ୍ରାୟ ୫୦ କୋଟି ଟଙ୍କା ରହିଥିବା ନବୀନ ଦେଖାଇ ଆସୁଛନ୍ତି । ନବୀନଙ୍କ ବିଭିନ୍ନ ଆକାଉଂଟରେ ରହିଛି ପ୍ରାୟ ୨୫ ଲକ୍ଷ ଟଙ୍କା । ତେବେ ମଜାର କଥା ହେଉଛି ନବୀନ ଭଉଣୀ ଗୀତାଙ୍କଠାରୁ ତିନି ବର୍ଷ ତଳେ ଧାର ନେଇଥିବା ୧୫ ଲକ୍ଷ ଟଙ୍କା ଏପର୍ଯ୍ୟନ୍ତ ଫେରାଇନାହାନ୍ତି ।

୧୭ ବର୍ଷ ଧରି ଲଗାତାର ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ ଭଊଣୀ ଗୀତା ମେହେଟ୍ଟାଙ୍କ ଋଣ ଶୁଝିପାରୁନାହାନ୍ତି । ଏକଥା ଆଉ କେହି ନୁହେଁ, ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ଦାଖଲ କରିଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ କରିଛନ୍ତି । ନିର୍ବାଚନ ପରେ ପରେ ନବୀନ ଭଉଣୀ ଗୀତା ମେହଟୋଙ୍କଠାରୁ ୧୫ ଲକ୍ଷ ଟଙ୍କା କରଜ ବା ଋଣ ଆଣିଥିଲେ ବୋଲି ୨୦୧୪-୧୫ ମସିହାରେ ଦର୍ଶାଇଥିଲେ । ତେବେ ଏହି ଋଣ ଏବେ ବି ଗଡୁଛି । ନବୀନଙ୍କ ଦିଲ୍ଲୀ ଓ ଭୁବନେଶ୍ୱର ସମେତ କେତେକ ଆକାଉଂଟରେ ପ୍ରାୟ ୨୫ ଲକ୍ଷ ଟଙ୍କା ସଂଚୟ ରହିଛି ।
ନଜର ପକାନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ଉପରେ…

ସମ୍ପତ୍ତି                         ମୂଲ୍ୟ (ଟଙ୍କାରେ)
ବିଭିନ୍ନ ବ୍ୟାଙ୍କ୍ ଆକାଉଂଟ୍           ୨୪ ଲକ୍ଷ ୭୧ ହଜାର
ଗହଣା                         ୨ ଲକ୍ଷ ୫ ହଜାର
୧୯୮୦ ମସିହାର ଆମ୍ବାସଡର କାର  ୧୦ ହଜାର
ଫରିଦାବାଦରେ ଥିବା ୨୨.୭ ଏକର-

ଫାର୍ମ ଜମି ଓ କୋଠା               ୭ କୋଟି ୨୫ ଲକ୍ଷ
ନବୀନ ନିବାସରେ ଥିବା

ଦୁଇ-ତୃତୀୟାଂଶ ଭାଗ                ୫ କୋଟି ୭୦ ଲକ୍ଷ
ଦିଲ୍ଲୀରେ ଥିବା ଘରର ଅଧା ଅଂଶର ମୂଲ୍ୟ  ୩୬ କୋଟି ଟଙ୍କା

୨୦୧୪ ନିର୍ବାଚନ ବେଳେ ନବୀନ ପୈତୃକ ସମ୍ପତ୍ତିକୁ ନେଇ ପ୍ରାୟ ୧୨ କୋଟି ଟଙ୍କାର ମାଲିକ ଥିଲେ ବୋଲି ଦର୍ଶାଇଥିଲେ । ନିର୍ବାଚନ ପରେ ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା ହୋଇଥିବା ସେ ଦର୍ଶାଇ ଆସୁଛନ୍ତି । ଯେଉଁଥିରେ ତାଙ୍କର ଦିଲ୍ଲୀସ୍ଥିତ ପୈତୃକ ଘରର ମୂଲ୍ୟ ତିନି ବର୍ଷରେ ୭ ଗୁଣ ବୃଦ୍ଧି ପାଇ ପ୍ରାୟ ୫ କୋଟିରୁ ୩୬ କୋଟିରେ ପହଂଚିଛି ।