ଆଉଟଲୁକ୍ ସ୍ପିକଆଉଟ୍ ପୁରସ୍କାରରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ପୁରସ୍କାରକୁ ରାଜ୍ୟର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

21

କନକ ବ୍ୟୁରୋ : ଇଂରାଜୀ ସାପ୍ତାହିକ ଆଉଟଲୁକ୍ ସ୍ପିକଆଉଟ୍ ଆୱାର୍ଡ କାର୍ଯ୍ୟକ୍ରମରେ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଶାସକ ପୁରସ୍କାରରେ ଆଜି ସମ୍ମାନିତ କରାଯାଇଛି । ଆଜି ଦିଲ୍ଲୀଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁର୍ଖାଜୀ ,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିଛନ୍ତି ।

ପୁରସ୍କାର ଗ୍ରହଣ କରି ମୁଖ୍ୟମନ୍ତ୍ରୀ କହିଥିଲେ , ‘ଏହା ଆମ ସମସ୍ତଙ୍କ ପାଇଁ ଏକ ଗୈାରବମୟ ମୁହୂର୍ତ୍ତ । ଏହି ପୁରସ୍କାରକୁ ମୁଁ ରାଜ୍ୟର ଚାରିକୋଟି ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି । ଆମେ ଉଚିତ୍ ମାର୍ଗରେ ଯାଉଛୁ ଯେଉଁଦିନ ଆମର ପ୍ରିୟ ଓଡିଶା ଦେଶ ଏକ ନମ୍ବର ରାଜ୍ୟ ହେବ , ତାହା ମୋ ପାଇଁ ସବୁଠୁ ଖୁସିର ଦିନ ହେବ ।’

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ବିବିନ୍ନ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ବିକାଶର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ସେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରି ଓଡିଶାର ବିକାଶର ସଫଳ ସାରଥି ହୋଇପାରିଛନ୍ତି । ତାଙ୍କର ନେତୃତ୍ୱରେ ଓଡିଶା ଗତ ୧୭ ବର୍ଷ ମଧ୍ୟରେ ବିକାଶ ଇତିହାସରେ ଅନେକ ଗୈାରବାଜ୍ୱଳ ଫର୍ଦ୍ଦ ଯୋଡିଛି ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କର କାର୍ଯ୍ୟକ୍ରମ ସେମାନଙ୍କୁ ସଶକ୍ତ କରିବା ସହିତ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିପାରିଛି । ବିପର୍ଯ୍ୟୟ ପରିଚାଳନା , ସାମାଜିକ ନିରାପତ୍ତା ଏବଂ ଯୁବକ ଓ ମହିଳାମାନଙ୍କ ସଶକ୍ତକରଣ କ୍ଷେତ୍ରରେ ଓଡିଶା ଆଜି ଆଦର୍ଶ ରାଜ୍ୟ ।