ଦିଲ୍ଲୀ ଗସ୍ତରେ ନବୀନ, ୨୦ରେ ଫେରିବେ ! କାଲି ଆଇଓସିଏଲ ପାରାଦୀପ ରିଫାଇନାରୀ ପ୍ରସଙ୍ଗରେ ଆଲୋଚନା

32

କନକ ବ୍ୟୁରୋ: ଆଜି ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କର ଏହି ପାଞ୍ଚଦିନିଆ ଗସ୍ତ ସମୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୦ ତାରିଖରେ ଓଡିଶା ଫେରିବେ ନବୀନ ।

୫ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିନ ୧.୫୦ରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଦିନ ୪.୪୫ସୁଦ୍ଧା ନୂଆଦିଲ୍ଲୀର ଡଃ ଅବଦୁଲ କାଲାମ ରୋଡରେ ଥିବା ବାସଭବନରେ ପହଞ୍ଚିବେ । ସେଠାରେ ରାତ୍ରୀଯାପନ କରିବା ପରେ ଆସନ୍ତାକାଲି ଅର୍ଥାତ ୧୭ ତାରିଖରେ ସେଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ ।

ତେବେ ୧୮ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବେ ନବୀନ । ଦିଲ୍ଲୀ ସ୍ଥିତ ଓଡିଶା ଭବନରେ ଧର୍ମେନ୍ଦ୍ରଙ୍କୁ ଭେଟିବା ସହ ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସଂପର୍କରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସେହିଦିନ ସଂଧ୍ୟାରେ ଦିଲ୍ଲୀ ତାଜ ପ୍ୟାଲେସ ହୋଟେଲରେ ଆଉଟଲୁକ ସ୍ପିକ ଆଉଟ ଆୱାର୍ଡ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୧୯ଅଗଷ୍ଟରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ୨୦ରେ ଓଡିଶା ଫେରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।