ନବୀନଙ୍କୁ ଆଉଟଲୁକ୍ ପୁରସ୍କାର ପରେ କଟାକ୍ଷ କଲେ କେନ୍ଦ୍ର ମନ୍ତ୍ରୀ ! ଧର୍ମେନ୍ଦ୍ର କହିଲେ, ବିଜ୍ଞାପନ ଦେଲେ ମିଳୁଛି ପୁରସ୍କାର

33

କନକ ବ୍ୟୁରୋ: ଆଉଟଲୁକ୍ ପତ୍ରିକା ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟାକ୍ଷ କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀରେ କେହି ଆଉଟଲୁକ୍ ପଢନ୍ତି ନାହିଁ । ବିଜ୍ଞାପନ ଦେଲେ ପୁରସ୍କାର ମିଳିପାରୁଛି । ମୋତେ କେବେ ଏଭଳି ପୁରସ୍କାର ମିଳିବ ଅପେକ୍ଷା କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ ଆହୁରି କହିଛନ୍ତି, ନିକଟରେ ସୁପ୍ରିମକୋର୍ଟ କହିଥିଲେ ଓଡିଶାରେ ପାହାଡ଼ ଭଳି ଖଣି ଲୁଟ୍ ହୋଇଛି । ଆଉ ଏଥିରେ ରାଜ୍ୟ ସରକାରଙ୍କ ସଂପୃକ୍ତି ରହିଛି । ଦୌପଦୀଙ୍କ ବସ୍ତ୍ରହରଣ ହେଲେ ଭୀଷ୍ମ ଓ ଦ୍ରୋଣ ନୀରବ ରହିଥିଲେ । ତେବେ ଏଭଳି ସ୍ଥିତିରେ ବିଦ୍ୱାନମାନେ ନୀରବ ନରହିବାକୁ ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି ।

ସୂଚନା ମୁତାବକ, ଇଂରାଜୀ ପତ୍ରିକା ‘ଆଉଟଲୁକ୍’ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନ ପ୍ରଦାନ କରାଯାଇଥିଲା । ୧୮ ତାରିଖ ଦିନ ନୂଆଦିଲ୍ଲୀରେ ହେବାକୁ ଥିବା ଆଉଟଲୁକ୍ ସ୍ପିକ୍ ଆଉଟ୍ ଆଓ୍ଵାର୍ଡ କାର୍ଯ୍ୟକ୍ରମରେ ନବୀନଙ୍କୁ ସମ୍ମାନିତ କରାଯାଇଥିଲା । ତେବେ ‘ଆଉଟଲୁକ୍ ସ୍ପିକ୍ ଆଉଟ୍ ଆଓ୍ଵାର୍ଡ’ରେ ‘ଶ୍ରେଷ୍ଠ ପ୍ରଶାସକ’ ବିଭାଗରେ ୬ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନିଆଯାଇଥିଲା । ନବୀନଙ୍କ ବାଦ୍ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏହି ତାଲିକାରେ ସ୍ଥାନ ପାଇଥିଲେ ।

ଅନଲାଇନ୍ ଭୋଟିଂ ମାଧ୍ୟମରେ ଶ୍ରେଷ୍ଠ ପ୍ରଶାସକ ଚୟନ କରାଯାଇଥିଲା । ଅନ୍ୟ ପାଞ୍ଚ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଶ୍ରେଷ୍ଠ ପ୍ରଶାସକ ଭାବେ ମନୋନୀତ ହୋଇଥିଲେ । ରାଜ୍ୟର ଅର୍ଥନୈତିକ ବିକାଶ, ସାମାଜିକ ନିରାପତ୍ତା, ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ, ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି, ପ୍ରଶାସନରେ ସ୍ୱଚ୍ଛତା ଆଦି କ୍ଷେତ୍ରକୁ ବିଚାରକୁ ନିଆଯାଇ ‘ଶ୍ରେଷ୍ଠ ପ୍ରଶାସକ’ ମନୋନୟନ ତାଲିକାରେ ନବୀନ ପଟ୍ଟନାୟକଙ୍କୁ ରଖାଯାଇଥିଲା ।