ବିଜେପୁର ପାଇଁ ବିଜୁଳି ପାଣି ସଡ଼କ ! ୨୪ ଘଂଟାରେ ନବୀନଙ୍କ ତିନିଟି ଘୋଷଣା

52

କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନ ପୂର୍ବରୁ ନବୀନଙ୍କ ମାଷ୍ଟରଷ୍ଟ୍ରୋକ । ୨୪ ଘଂଟା ଭିତରେ ବିଜେପୁର ପାଇଁ ସଡକ, ବିଜୁଳି ଓ ପାଣିର ବ୍ୟବସ୍ଥା କରି ବିଜେଡି ଆରମ୍ଭ କରିଛି ମିଶନ ବିଜେପୁର । ଗତକାଲି ବିଜେପୁରରେ ଗଙ୍ଗାଧର ମେହେର ଅଣ୍ଡରଗ୍ରାଉଣ୍ଡ କେନାଲ ଯୋଜନା ପରେ ଆଜି ଗାଏସିଲଟର ଦୁଇଟି ଓଭରବ୍ରିଜ ଓ ବରପାଲ୍ଲୀରେ ବିଜୁଳୀ ପାଇଁ ପାୱାର ଗ୍ରୀଡ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ବିଜେପୁର ଉପ-ନିର୍ବାଚନରେ ବିଜେଡିର ଭୋଟ ବ୍ୟାଙ୍କ ବଢାଇବା ନେଇ ଚର୍ଚ୍ଚା ହେଉଛି ।

ଗତ ତିନି ଥର ବିଜେପୁରରେ ପରାସ୍ତ ହୋଇଥିବା ବିଜୁ ଜନତା ଦଳ ପାଇଁ ଉପ-ନିର୍ବାଚନ ଏବେ ସମ୍ମାନର ପ୍ରଶ୍ନ । ପ୍ରଥମେ ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାରକୁ ବିଜେଡିରେ ମିଶାଇ ପତ୍ନୀ ରୀତାଙ୍କୁ ପ୍ରାର୍ଥୀ ଘୋଷଣା କଲେ । ଏହା ପରେ ବିଜେପୁରବାସୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ।

୧୬ ଅକ୍ଟୋବର, ୨୦୧୭: ବିଜେପୁର ପାଇଁ ଅଣ୍ଡରଗ୍ରାଉଣ୍ଡ କେନାଲ ଯୋଜନା ଯାହା ବରଗଡର ଗର୍ବ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ନାଁରେ ନାମିତ ହେଲା । ବ୍ୟୟ ଅଟକଳ: ୧୨୫୦ କୋଟି ଟଙ୍କା

୧୭ ଅକ୍ଟୋବର, ୨୦୧୭: ବରଗଡରୁ ବଲାଙ୍ଗୀର ଓ ଭେଡେନରୁ ଗାଏସିଲଟ ଯାଏ ଦୁଇଟି ପୋଲ । ବ୍ୟୟ ଅଟକଳ: ୬ କୋଟି ଟଙ୍କା

ବରପାଲିରେ ୩୩ କେବିର ବିଦ୍ୟୁତ ଗ୍ରୀଡ୍ 
ଚାଷୀ ମୃତ୍ୟୁ ନେଇ ପଶ୍ଚିମ ଓଡିଶାରେ ହଟଚମଟ ଚାଲିଥିବା ବେଳେ ଚାଷୀ ସମାବେଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶାର ଚାଷୀଙ୍କ ବିକାଶ ପାଇଁ ୩୫ହଜାର କୋଟି ଯୋଜନା ଘୋଷଣା କରିଥିଲେ । ତେବେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଦୁଇ ବର୍ଷ କାହିଁକି ଲାଗିଲା ବୋଲି ପ୍ରଶ୍ନ କରିଛି ବିରୋଧୀ । ବିଜେପୁର ପାଇଁ ରାଜନୀତି ବୋଲି ଅଭିଯୋଗ କରିଛି ବିଜେପି ।

ଗତ ପଂଚାୟତ ନିର୍ବାଚନରେ ବିଜେପୁରରେ ଜନାଦେଶ ଯାଇଥିଲା ବିଜେପି ସପକ୍ଷରେ । ସେପଟେ ୨୦୦୪ରୁ ଲଗାତାର ଭାବେ ବିଧାୟକ ପଦ ହାତେଇଛି କଂଗ୍ରେସ । ଏପରି ସ୍ଥିତିରେ ବିଜେପୁର ଉପ-ନିବାର୍ଚନରେ ସବୁ କୌଶଳ ହାତେଇ ବାଜିମାତ କରିବା ଲକ୍ଷ୍ୟରେ ନବୀନ ବ୍ରିଗେଡ୍ ।

ବିଜେପୁର ପାଇଁ ସଡକ, ବିଜୁଳି ଓ ପାଣିର ଯୋଜନାକୁ ପୁଂଜି କରି ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁରରେ ପଦଯାତ୍ରା କରିବେ ନବୀନ । ଏହି ସବୁ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇ ନିର୍ବାଚନ ବୈତରଣୀ ପାରି ହେବା ଲକ୍ଷ୍ୟରେ ବିଜୁ ଜନତା ଦଳ ।