ସାକ୍ଷାତ ପଛର ସତ ! ପର୍ଯ୍ୟାପ୍ତ ୧୦୦ ଓ ୫ଶହ ଟଙ୍କିଆ ନୋଟ୍ ଯୋଗାଇବାକୁ ଅନୁରୋଧ କଲେ ନବୀନ

32

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଚିଠି ଲେଖିଲେ , ଆଦିବାସୀଙ୍କ ପାଇଁ ଫୋନ୍ କଲେ । ଆଉ ଶେଷରେ ସାରା ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସାକ୍ଷାତ କଲେ । ନୋଟ୍ ବ୍ୟାନ୍ ଧନୀଙ୍କ ପାଇଁ କାଳ ହୋଇଛି । ହେଲେ ଟଙ୍କା ବଦଳର କଟକଣା ଗରିବଙ୍କୁ ଦେଉଛି ଯନ୍ତ୍ରଣା । ଏମିତି କିଛି ବାସ୍ତବତାର ତଥ୍ୟ ପ୍ରମାଣକୁ ଧରି ଆଜି ପ୍ରଧାନମନ୍ତ୍ରୀଙ୍କ ପାଖରେ ଫେରାଦ୍ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଦାବି ରଖିଥିଲେ –

ଜିଲ୍ଲା ସମବାୟ ବ୍ୟାଙ୍କଗୁଡିକୁ ଜମା ଓ ବଦଳ ପାଇଁ ସୁଯୋଗ ଦିଆଯାଉ ।

ଆଦିବାସୀଙ୍କୁ ୫୦ ହଜାରରୁ ଅଧିକ ଜମା ପାଇଁ ସୁଯୋଗ ସହ ପାନ୍ କାର୍ଡ ବାଧ୍ୟତାମୂଳକ କରାନଯାଉ ।

ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟଙ୍କ ପାଇଁ ନିୟମକୁ କୋହଳ କରାଯାଉ ।

୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମ ପଂଚାୟତରେ କମର୍ସିଆଲ୍ ବ୍ୟାଙ୍କ୍ ଖୋଲାଯାଉ ।

ଗାଁ ଲୋକଙ୍କ ସୁବିଧା ପାଇଁ ଭ୍ରାମ୍ୟମାଣ ବ୍ୟାଙ୍କ୍ ବ୍ୟବସ୍ଥା ସହ ବ୍ୟାଙ୍କରେ ୧୦୦ ଓ ୫୦୦ ଟଙ୍କିଆ ନୋଟ୍ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଯାଉ ।

ସେପଟେ ମୋଦିଙ୍କ ସହ ନବୀନଙ୍କ ଏ ସାକ୍ଷାତକୁ ନେଇ ଓଡିଶାରେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି । ନୋଟ୍ ବ୍ୟାନ୍ ପରଠାରୁ କେନ୍ଦ୍ରକୁ ନବୀନଙ୍କ ବାରମ୍ବାର ଅନୁରୋଧର ଭିନ୍ନ ଅର୍ଥ ବାହାର କରିଛି ବିଜେପି । ଗତକାଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଥିଲେ , ଆଦିବାସୀଙ୍କୁ ଅସ୍ତ୍ର କରି ନବୀନ୍ କଳାଧନକୁ ଧଳା କରିବାକୁ ବାହାନା ଖୋଜୁଛନ୍ତି । ସେପଟେ ସମବାୟ ବ୍ୟାଙ୍କ୍ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ସରକାରଙ୍କ ନିୟନ୍ତ୍ରଣରେ । ତେଣୁ କଳାଧନକୁ ଧଳା କରିବାକୁ ଏମାନଙ୍କ ସାହାରା ନେବାକୁ ନବୀନ୍ ଚେଷ୍ଟା କରୁଥିବା ବି ଚର୍ଚ୍ଚା ହେଉଛି ।

ଅନ୍ୟ ପକ୍ଷରେ ଆସନ୍ତା ୨୫ ତାରିଖରେ ଓଡିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । ଏହାପୂର୍ବରୁ ମୋଦିଙ୍କ ସହ ନବୀନଙ୍କ ସାକ୍ଷାତ, ସଲାସୁତୁରା କଥାକୁ ସଂକେତ ଦେଉଥିବା କଂଗ୍ରେସ୍ ଅଭିଯୋଗ କରିଛି ।