ନବୀନଙ୍କ ବାଜପେୟୀ ଫର୍ମୁଲା ! ସାକ୍ଷାତ ପଛର ଗୁମରକୁ ନେଇ ଦ୍ୱନ୍ଦ୍ୱରେ ବିଜେଡି

22

କନକ ବ୍ୟୁରୋ : ସୋମବାର ଅଟଳ ବିହାରୀ ବାଜପେୟୀଙ୍କୁ ଭେଟିବା ପାଇଁ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଏହି ନୂଆ ରଣନୀତିରେ, ରାଜ୍ୟ ରାଜନୈତିକ ମାହୋଲ ସରଗରମ । ହଠାତ ଏତେବର୍ଷ ପରେ ବର୍ଷିୟାନ ନେତା ବାଜପେୟୀଙ୍କୁ କାହିଁକି ଭେଟିଲେ ନବୀନ । ରାଜନୈତିକ ଗୋଟି ଚାଳନାରେ ମାହିର ନବୀନଙ୍କ ଏହା ନୂଆ ରଣନୀତି ନୁହେଁ ତ ।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଓଡିଶା ମୁଖ୍ୟମନ୍ତ୍ରୀ ଭେଟିବା ରାଜ୍ୟ ବିଜେପି କ୍ୟାମ୍ପକୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ଦଳର କିଛି ନେତା ଏହାକୁ ସକାରାତ୍ମକ ଢଙ୍ଗରେ ଗ୍ରହଣ କରିଥିବାବେଳେ ଅନ୍ୟକିଛି ନେତା ନବୀନଙ୍କ ସାକ୍ଷାତକୁ ହଜମ କରିପାରୁ ନାହାନ୍ତି ।

୨୦୦୯ରେ ବିଜେପି ସହ ମେଂଟ ଭାଙ୍ଗିବା ପରଠାରୁ ଅନେକଥର ଦିଲ୍ଲୀ ଯାଇଥିବା ନବୀନ କେବେ ବାଜପେୟୀଙ୍କୁ ଭେଟିଥିବା ଖବର ନାହିଁ । ଆଉ ହଠାତ ୮ବର୍ଷ ପରେ ପୁରୁଣା ଦିନର ସଂପର୍କକୁ କାହିଁକି ମନେ ପକାଇଲେ ନବୀନ, ତାକୁ ନେଇ ବିଜେଡି ଭିତରେ ବି ଦ୍ୱନ୍ଦ୍ୱ । ସେପଟେ କଂଗ୍ରେସ ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖୁଛି ।

୨୦୦୯ରୁ ୨୦୧୭ ଏହାରି ଭିତରେ ବଦଳି ଯାଇଛି ରାଜନୈତିକ ସମୀକରଣ । ବାଜପେୟୀଙ୍କ ବିଜେପି ଓ ବର୍ତମାନର ମୋଦିଙ୍କ ବିଜେପି ଭିତରେ ଅନେକ ତଫାତ । ଦିନେ ମେଂଟ ସରକାରର ମୁଖ୍ୟମନ୍ତ୍ରୀ ନବୀନ ହେବେ ବୋଲି ବାଜପେୟୀ କହିଥିବାବେଳେ ଏବେ ତାଙ୍କୁ ଗାଦିଚ୍ୟୁତ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦି । ତେଣୁ ବିଜେଡି ଉପରେ ରାଜନୈତିକ ଚାପ ଜାରି ରଖିଥିବା କେନ୍ଦ୍ରୀୟ ବିଜେପିକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଏହା ନବୀନଙ୍କ ବାଜପେୟୀ ଗୁଗଲି ବୋଲି ଚର୍ଚ୍ଚା ହେଉଛି ।