ମହାନଦୀ ଟ୍ରିବ୍ୟୁନାଲ ଗଠନ ନେଇ ପ୍ରଧାନମନ୍ତ୍ରୀଙ୍କୁ କଡା ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ !

34

କନକ ବ୍ୟୁରୋ :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସଙ୍ଗ ହେଉଛି, ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ । ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ଯେଉଁଥିରେ ନବୀନ ମୋଦିଙ୍କୁ ମନେ ପକାଇଦେଇଛନ୍ତି ଅନ୍ତରାଜ୍ୟ ନଦୀ ଜଳ ବିବାଦ ଆଇନ୍ କଣ କହୁଛି । ଏହି ଆଇନ୍ର ଧାରା ୪ (୧) କଥା ଉଲ୍ଲେଖ କରିଛନ୍ତି । ଲେଖିଛନ୍ତି, ସେଲ୍ ଶବ୍ଦର ବ୍ୟବହାର ହୋଇଥିବାରୁ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାର ବାଧ୍ୟ । ଏପରିକି ଏହାର ଏକ ସମୟ ସୀମା ବି ରହିଛି । ଏବଂ ସେହି ସମୟସୀମା ହେଉଛି ୧ ବର୍ଷ ।

ଏଥିସହ କେନ୍ଦ୍ର ସରକାରଙ୍କ ଜଳସମ୍ପଦ ମନ୍ତ୍ରାଳୟ ପୂର୍ବରୁ ନେଇଥିବା ନିଷ୍ପତ୍ତି କଥା ବି ମନେ ପକାଇଦେଇଛନ୍ତି । ଲେଖିଛନ୍ତି, ଏହି ମନ୍ତ୍ରାଳୟ ସ୍ପଷ୍ଟ ଭାବେ ନିଷ୍ପତ୍ତି ନେଇଥିଲା ଯେ, ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇପାରିବ ନାହିଁ । ତେଣୁ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ୍ ଅନୁସାରେ ଟ୍ରିବ୍ୟୁନାଲ ଗଠନ କରାଯାଇ ମାମଲାର ସମାଧାନ କରାଯିବ । ଏଥିରୁ କେନ୍ଦ୍ର ସରକାର କିଭଳି ଓହରିଗଲେ ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ନବୀନ । ଚିଠିରେ ନବୀନ ଲେଖିଛନ୍ତି, ପୂର୍ବ ପ୍ରତିଶ୍ରୁତିରୁ ମୁହଁ ମୋଡି ନେଇଛନ୍ତି କେନ୍ଦ୍ର ସରକାର । ଏହା ଆଶ୍ଚର୍ଯ୍ୟଜନକ ଓ ରାଜ୍ୟକୁ ନ୍ୟାୟ ନଦେବା ପାଇଁ ଏକପ୍ରକାର ଚକ୍ରାନ୍ତ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମହାନଦୀ ଟ୍ରିବ୍ୟୁନାଲ ଗଠନ ପ୍ରସଙ୍ଗରେ ମୋଦି ସରକାରଙ୍କ ସହ ନବୀନ ମୁହାଁମୁହିଁ ହେବା ଭଳି ପରିସ୍ଥିତି ଦେଖାଦେଇଛି । ଚିଠିରେ ଛତିଶଗଡ ସରକାରଙ୍କ ଉଦ୍ଦେଶ୍ୟରେ ନବୀନ ଲେଖିଛନ୍ତି, ସଂଘୀୟ ବ୍ୟବସ୍ଥା ଅନୁସାରେ ତାଙ୍କ ସହ ଆଲୋଚନା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ । ଛତିଶଗଡ ସରକାର ଲୁଚିଛପି ଓ ଏକପାଖିଆ ଭାବେ ବନ୍ଧ ନିର୍ମାଣ କରିଥିବାରୁ ତାଙ୍କ ସହ ଆଲୋଚନାରୁ ଓଡିଶାର ସ୍ୱାର୍ଥ ସାଧନ ହେବ ନାହିଁ ବୋଲି ଚିଠିରେ ଲେଖାଯାଇଛି  ।