ଘୋଷଣା କରିଥିଲେ, କାର୍ଯ୍ୟରେ କରିନଥିଲେ । ମୋଦିଙ୍କୁ ମନେ ପକାଇଦେଲେ ନବୀନ ।

165

ଝାରସୁଗୁଡା ବିମାନ ବନ୍ଦରକୁ ନେଇ ସେପଟେମ୍ବରରେ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ମୋଦି ଆସିଥିଲେ, ନବୀନ ବି ଥିଲେ । ଶ୍ରେୟ ନେବାର ଧାରା ଜୋରଦାର ହୋଇଥିଲା । ମୋଦିଙ୍କ ସାମ୍ନାରେ ନବୀନ ପ୍ରସ୍ତାବ ରଖିଥିଲେ, ଆଉ ନିଜ ଭାଷଣରେ ମୋଦି ନାଁ ପରିବର୍ତ୍ତନ ନେଇ କହିଥିଲେ । ହେଲେ ମାସେ ପରେ କଣ ହୋଇଛି?


ସାଧାରଣ ଭାଷାରେ କହିବାକୁ ଗଲେ ଝାରସୁଗୁଡା ବିମାନ ବନ୍ଦରର ନାମ ପରିବର୍ତ୍ତନ ପାଇଁ ଭରା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ରଖିଥିଲେ । ଆଉ ନିଜ ଭାଷଣର ଆରମ୍ଭରେ ମୋଦି ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଭାବେ ଅଭିହିତ କରିଥିଲେ । ହେଲେ ମାସେ ପରେ ନାମ ପରିବର୍ତ୍ତନ ନେଇ କେନ୍ଦ୍ର ତରଫରୁ କୈାଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।
ଖାଲି ଏତିକି ନୁହେଁ, ପଶ୍ଚିମ ଓଡିଶାରୁ ବିମାନ ଉଡାଣ ଆଉ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ନେଇ ଯେଉଁ ଜୋରଦାର ପ୍ରଚାର ଦେଖିବାକୁ ମିଳିଥିଲା, ତାହା ମଧ୍ୟ ଗତ ୨୫ ଦିନ ଧରି ଠପ ହୋଇଯାଇଛି । ଅର୍ଥାତ୍, ବିମାନ ବନ୍ଦରରୁ ଉଡାଣ ସ୍କିମରେ ବିମାନ ଉଡୁନଥିଲା । ଯେତେବେଳେ ବିମାନ ବନ୍ଦରରୁ ବିମାନ ଉଡିବା ବନ୍ଦ ହୋଇଯାଇଥିଲା, ସେତେବେଳେ ବିମାନ ବନ୍ଦରର ନାଁ କଥା କିଏ ବା ଆଉ ପଚାରେ ।


ହେଲେ ଝାରସୁଗୁଡାରେ ଯେଉଁ ଆନ୍ଦୋଳନ ମୁଣ୍ଡ ଟେକିଲା ଏବଂ ଦାବିପତ୍ର ନବୀନ ନିବାସ ଏବଂ ତୃତୀୟ ମହଲା ଯାଏଁ ପହଂଚିଲା, ସେତେବେଳେ ସରକାର ସଜାଗ ହେଲେ । ଆଉ ମୁଖ୍ୟମନ୍ତ୍ରୀ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗିଦେଲେ । ବିମାନ ଉଡାଅ ଏବଂ ନାମ ପରିବର୍ତ୍ତନ କର । ଏହି ଦୁଇଟି ଦାବି ସହ ନବୀନ ଚିଠି ଲେଖୀବା ପରେ କେନ୍ଦ୍ର ମଧ୍ୟ କିଛି ନିଷ୍ପତ୍ତି ନେବ । ନଚେତ ଭୋଟ ରାଜନୀତିରେ ପ୍ରଭାବ ପଡିବା ସ୍ୱାଭାବିକ ।


ତେବେ ବଡ କଥା ହେଉଛି, ଉଦଘାଟନ ଆଉ ଉଡାଣ ଆରମ୍ଭର ଯେଉଁ ବିଜ୍ଞାପନ ଆଉ ପ୍ରଚାର ଖୁବ ଜୋରରେ ଚାଲିଲା, ତାର ବାସ୍ତବ ପରିଣତି କଣ ତାହା ସମସ୍ତେ ବୁଝିଗଲେ । ସେହିଭଳି ନେତା ଦେଉଥିବା ପ୍ରତିଶୃତି ପ୍ରକୃତରେ କାର୍ଯ୍ୟକାରୀ ହୁଏ କି ନାହିଁ, ସେକଥା ମଧ୍ୟ ସାମ୍ନାକୁ ଆସିଲା । ପ୍ରଚାର ଆଉ ବାସ୍ତବତା ଭିତରେ ଥିବା ଫରକ ଲୋକ ମଧ୍ୟ ବୁଝିବା ଆବଶ୍ୟକ ।


ଗୋଟିଏ ବିମାନ ବନ୍ଦର ତିଆରି ହେଉଛି, ପଶ୍ଚିମ ଓଡିଶାରୁ ବିମାନ ଉଡାଣ ନେଇ ପ୍ରତିଶ୍ରୁତି ଦିଆଯାଉଛି, ଉଡାଣ ଦୁଇ ଦିନ ବି ସଠିକ ଭାବେ ଚାଲିପାରିଲାନି ଆଉ ବନ୍ଦ ହୋଇଗଲା, ଆଉ ଏହାରି ଭିତରେ ସମସ୍ତେ ଉତ୍ତର ଖୋଜୁଛନ୍ତି, ସଠିକ ଭାବେ ଗୋଟିଏ ବିମାନ ବନ୍ଦରକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ପଦକ୍ଷେପ ନନେଇ କାହିଁକି ତରବରିଆ ଭାବେ ଏହାକୁ ଉଦଘାଟନ କରି ଦିଆଗଲା ।


ନବୀନ ଚିଠି ଲେଖିଦେବା ପରେ କେନ୍ଦ୍ରରୁ କଣ ଉତ୍ତର ଆସୁଛି ତାକୁ ଅପେକ୍ଷା । ହେଲେ ଏହି ଚିଠି ଦିଆନିଆ ଭିତରେ ମୂଳ ସମସ୍ୟାର ସମାଧାନ ହେବ ତ?