ନବୀନଙ୍କ ଚିଠି ବନାମ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ ! କିଏ ବାନ୍ଧିବ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ?

43

କନକ ବ୍ୟୁରୋ : ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଲଢ଼େଇକୁ ସମର୍ଥନ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଏ ନେଇ ସୋମବାର ବଡ ଘୋଷଣା କରିଛନ୍ତି । କହିଛନ୍ତି, କେନ୍ଦ୍ର ସରକାର ଏହି ପ୍ରକଳ୍ପ ନ କଲେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ଏହି ସେତୁ କରିବେ । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେଥିରେ ବିଳମ୍ବ ହୋଇ ଚାଲିଛି । ଆଉ ଏହି ସମୟରେ ନବୀନଙ୍କ ଘୋଷଣା ଏକ ଭିନ୍ନ ରାଜନୈତିକ ସମୀକରଣ ଆଡକୁ ମଧ୍ୟ ଇସାରା କରୁଛି ।

NABIN DHARMENDRAଏହାରି ଭିତରେ ସୋମବାର ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ସେତୁ ନିର୍ମାଣରେ କେନ୍ଦ୍ର ବିଳମ୍ବ କଥା ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ୨୦୧୪ ଡିସେମ୍ବର ୧୪ ଏବଂ ଗତ ମେ ମାସର ଚିଠି କଥା ମନେପକାଇଛନ୍ତି । ବ୍ୟକ୍ତିଗତ ଭାବେ କେନ୍ଦ୍ରମନ୍ତ୍ରୀ ନିଜେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନବୀନ କହିଛନ୍ତି ।

ଗଡକରୀଙ୍କୁ ନବୀନଙ୍କ ଚିଠି ପରେ ଟ୍ୱିଟ୍ କରି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, କେନ୍ଦ୍ରର ଉଦାସୀନତା ଯୋଗୁଁ ନୁହେଁ ରାଜ୍ୟର ଜଙ୍ଗଲ ବିଭାଗର ବୈଧାନିକ ଅନୁମତି ପ୍ରଦାନ କରାଯାଇନଥିବାରୁ ଏହି କାର୍ଯ୍ୟ ବିଳମ୍ବିତ ହେଉଛି । ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ କୁମ୍ଭୀର କାନ୍ଦଣା ବଦଳରେ ରାଜ୍ୟ ସରକାରଙ୍କ ନିଜ ଦାୟିତ୍ୱକୁ ପ୍ରଥମେ ନିର୍ବାହ କରନ୍ତୁ ବୋଲି ଧର୍ମେନ୍ଦ୍ର ଟ୍ୱିଟ କରି ଜଣାଇଛନ୍ତି ।