ନବୀନ ଖୋଲିଲେ ଗୁମର । ସାମ୍ନାକୁ ଆଣିଲେ ବୈଜୟନ୍ତଙ୍କ ଅସଲ ଚେହେରା, କହିଲେ, ଗାଦି ପାଇଁ କରୁଥିଲେ ଗୁଜବ । ବିଜେପି-କଂଗ୍ରେସ ଆମର ଶତ୍ରୁ ନୁହଁନ୍ତି କିମ୍ବା ଆମେ ସେମାନଙ୍କର ବନ୍ଧୁ ନୁହଁ

830

କନକ ବ୍ୟୁରୋ : ୨୦୧୯ ନିର୍ବାଚନକୁ ନେଇ ବଡ ବୟାନ ଦେଇଛନ୍ତି ବିଜେଡି ସୁପ୍ରିମୋ । ୨୦୧୯ ନିର୍ବାଚନ କୁରୁକ୍ଷେତ୍ରରେ କୌଣସି ଜାତୀୟ ଦଳ ବହୁମତ ହାସଲ କରିପାରିବେ ନାହିଁ । ଏଭଳି ସଂକେତ ଦେଇଛନ୍ତି ନବୀନ । ଆଞ୍ଚଳିକ ଦଳ ଗୁଡିକ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସୂଚାଇ ଦେଇଛନ୍ତି ନବୀନ । ଏପରିକି ଆଞ୍ଚଳିକ ଦଳ ହିଁ ନିଣ୍ଣାୟକ ଭୂମିକାରେ ନଜର ଆସିବେ ।

ଏଭଳି ସ୍ଥିତିରେ ବିଜେଡି କେଉଁ ପକ୍ଷ ନେବ ସେ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନବୀନ କହିଛନ୍ତି, ପୂର୍ବଭଳି ଏହି ଦୁଇ ଦଳ ଠାରୁ ସମଦୂରତା ଫର୍ମୁଲା ଆପଣାଇବ ବିଜେଡି । ଯେଉଁଦଳ ଓଡିଶାର ବିକାଶର ସାଥ ଦେବେ ସେହି ଦଳକୁ ବିଜେଡି ସମର୍ଥନ କରିବ ବୋଲି କହିଛନ୍ତି ନବୀନ । ଏହାଛଡା ବିଜେପି କିମ୍ବା କଂଗ୍ରେସକୁ ବିଜେଡି ଶତ୍ରୁ ନଜରରେ ଦେଖେ ନାହିଁ କି ଭଲ ବନ୍ଧୁ ଭାବେ ମଧ୍ୟ ଗ୍ରହଣ କରେ ନାହିଁ । କିନ୍ତୁ ନିର୍ବାଚନ ପରେ କୌଣସି ଦଳକୁ ସମର୍ଥନ ବିଜେଡି ଦେଇନପାରେ ବୋଲି କହିଛନ୍ତି ନବୀନ ।

ଓଡିଶାରେ ୨୦୧୯ରେ ମୋଦି ଲହର କାମ କରିବ ନାହିଁ । ଓଡିଶାରେ ଯେଉଁଭଳି ବିକାଶ ମୂଳକ କାର୍ଯ୍ୟ ବିଜେଡି ସରକାର କରିଛି ତାହାର ଜବାବ ଆଗାମୀ ନିର୍ବାଚନରେ ଭୋଟର ଦେବେ ବୋଲି କହିଛନ୍ତି ନବୀନ । ଏହାଛଡା ନବୀନ ସରକାରକୁ ବ୍ୟୁରୋକ୍ରାଟ ଚଳାଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାର ଉତ୍ତରରେ ନବୀନ କହିଛନ୍ତି, ଏହା ସମ୍ପୂର୍ଣ୍ଣ ବାଜେ କଥା । ସରକାରକୁ ମୁଁ ଓ ମୋ ମନ୍ତ୍ରୀମଣ୍ଡଳ ଚଳାଇଥାଉ ବୋଲି ସ୍ପଷ୍ଟ କରିଛନ୍ତି ।

ଏସବୁ ଭିତରେ ବୈଜୟନ୍ତଙ୍କୁ ନେଇ ବଡ ବୟାନ ଦେଇଛନ୍ତି ନବୀନ । ବୈଜୟନ୍ତ ମୋ ସ୍ଥାନ ନେବାକୁ ଚାହୁଁଥିଲେ ଓ ମୋ ସ୍ୱାସ୍ଥ୍ୟବସ୍ଥା ସର୍ମ୍ପକରେ ଅପପ୍ରଚାର କରୁଥିଲେ ବୋଲି କହିଛନ୍ତି ନବୀନ । ଏପରିକି ବିଜେଡିର ପ୍ରତିଷ୍ଠାତା ସଦସ୍ୟ ବୋଲି ବୈଜୟନ୍ତ ଯେଉଁ ଦାବି କରୁଛନ୍ତି ତାହାକୁ ନେଇ ନବୀନ କହିଛନ୍ତି. ସେ କେବେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ନଥିଲେ । ନିଜର ରାଜନୈତିକ ଅଭିଳାଷ ଚରିତାର୍ଥ ପାଇଁ ବୈଜୟନ୍ତ ତାଙ୍କ ବିରୋଧରେ ଏଭଳି ଅପପ୍ରଚାର କରୁଥିଲେ ବୋଲି କହିଛନ୍ତି ନବୀନ ।

ଏସବୁ ବାଦ୍ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ନବୀନ କହିଛନ୍ତି, ୨୦୧୭ରେ ଆମେ ତାଙ୍କୁ ହାଲୁକା ଭାବେ ନେଇଥିଲୁ । ଏପରିକି ମୁଁ ନିଜେ ପ୍ରଚାର ମୈଦାନକୁ ଓହ୍ଲାଇନଥିଲି । କିନ୍ତୁ ପଞ୍ଚାୟତ ନିର୍ବାଚନର ତ୍ରୁଟିକୁ ଆମେ ସୁଧାରି ନେଇଛୁ ବୋଲି କହିଛନ୍ତି ନବୀନ ।