୧୮ ମିନିଟର ସାକ୍ଷାତକାରରେ ଅନେକ କଥା ଉପରୁ ପରଦା ହଠାଇଲେ ନବୀନ । ସରକାରଙ୍କ ସଫଳତା ବଖାଣିଲେ, ବୈଜୟନ୍ତଙ୍କ ଗୁମର ଖୋଲିଲେ । ଦେଖନ୍ତୁ ପୂରା ଭିଡିଓ

832

କନକ ବ୍ୟୁରୋ : ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ବିଜେଡି ସୁପ୍ରିମୋ ଅନେକ ଗୁମର ଖୋଲିଛନ୍ତି । ଖାସକରି ସାମ୍ପ୍ରତିକ ରାଜନୀତି ସ୍ଥିତି ଓ ବିଜେଡିର ପ୍ରର୍ଦଶନ ନେଇ ମୁହଁ ଖୋଲିଛନ୍ତି ନବୀନ । ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ନବୀନ । ଆଉ ଏହି ସାକ୍ଷାତକାରରେ ବୈଜୟନ୍ତଙ୍କ ସର୍ମ୍ପକରେ ବଡ ବୟାନ ଦେଇଛନ୍ତି ନବୀନ । ଯାହା ଉଭୟ କେନ୍ଦ୍ରାପଡା ଓ ରାଜ୍ୟ ରାଜନୀତିର ତାତି ବଢାଇ ଦେଇଛି ।

ବିଜୁ ବାବୁଙ୍କର କର୍ମସ୍ଥଳୀ ଥିବା କେନ୍ଦ୍ରାପଡାର ବିକାଶ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ସାଂସଦ ଭାବେ ଦାୟିତ୍ୱ ଦେଇଥିଲେ ମଧ୍ୟ ସେ ବିଶ୍ୱାସ ଭାଙ୍ଗିବାକୁ ପଛାଇନଥିଲେ । ଏପରିକି କେନ୍ଦ୍ରାପଡାକୁ ସ୍ୱାଧୀନତାର ୭୦ ବର୍ଷ ପରେ ରେଳ ସଂଯୋଗ ହୋଇନଥିଲା । କେନ୍ଦ୍ରାପଡାକୁ ରେଳ ସଂଯୋଗ ପାଇଁ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରିଥିଲି । କିନ୍ତୁ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଯାହା କହିଥିଲେ ତାହା ସବୁଠୁ କଷ୍ଟ ଦେଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁଯାୟୀ, ବୈଜୟନ୍ତ କେନ୍ଦ୍ରାପଡା ବଦଳରେ ବରଂ ନିଜ ଶିଳ୍ପର ପ୍ରସାର କରିବା ପାଇଁ ରେଳ ଚଳାଚଳ କରିବାକୁ ତାଙ୍କୁ କହିଥିଲେ । ଏପରିକି କେନ୍ଦ୍ରାପଡାରେ କିଭଳି ଶିଳ୍ପ ପ୍ରତିଷ୍ଠା ହେବ ତାହା ପାଇଁ ବୈଜୟନ୍ତଙ୍କର ଚିନ୍ତା ନଥିଲା । ସବୁବେଳେ ନିଜର ଶିଳ୍ପର ବିକାଶ ପାଇଁ ଚିନ୍ତା କରୁଥିଲେ ବୈଜୟନ୍ତ ।

ଏହାଛଡା ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବୈଜୟନ୍ତ ଅପପ୍ରଚାର କରୁଥିଲେ ବୋଲି ନବୀନ କହିଛନ୍ତି । ନିଜର ରାଜନୈତିକ ସ୍ୱାର୍ଥ ପାଇଁ ବୈଜୟନ୍ତ ଏପରି କରୁଥିଲେ ବୋଲି ନବୀନ କହିଛନ୍ତି । ଏହାବାଦ୍ ୨୦୧୪ରେ ବୈଜୟନ୍ତ ଫାଇନାନ୍ସ କମିଟିର ଚେୟାରମ୍ୟାନ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ତାଙ୍କର ଏହି ଇଚ୍ଛା ପୂରଣ ନ ହେବାରୁ ସେ ଏଭଳି କରିଥିଲେ ବୋଲି କହିଛନ୍ତି ନବୀନ ।

ବୈଜୟନ୍ତଙ୍କୁ ଟାର୍ଗେଟ କରିବା ସହ ସରକାରଙ୍କ ସଫଳତାର କାହାଣୀ କହିଛନ୍ତି ନବୀନ । ଚଳିତ ଥର ବିଜେଡି ଭଲ ପ୍ରଦର୍ଶନ କରିବ ଓ ଓଡ଼ିଶାରେ ସରକାର ବିରୋଧୀ ହାୱା ନାହିଁ ବୋଲି କହିଛନ୍ତି ନବୀନ । ନିର୍ବାଚନ ପରେ ବିଜେଡିର ସଫଳତା ବଢ଼ି ଚାଲିଛି । ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଗତ ନିର୍ବାଚନ ଅପେକ୍ଷା ଦଳ ଆହୁରୀ ଭଲ ପ୍ରଦର୍ଶନ କରି କହିଛନ୍ତି ନବୀନ ।

ଏହି ସାକ୍ଷତାକାର ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ତିନୋଟି ବଡ ଉପଲବ୍ଧି ସଂପର୍କରେ ସୂଚନା ଦେଇଛନ୍ତି । ଦାରିଦ୍ର‌୍ୟ ଦୂରୀକରଣ, ବିପର୍ଯ୍ୟୟ ପରିଚାଳନା ଏବଂ ସ୍ୱଚ୍ଛ ଶାସନକୁ ସରକାରଙ୍କ ବଡ ଉପଲବ୍ଧି ବୋଲି କହିଛନ୍ତି ନବୀନ । ଏହାଛଡା ମୋଦିଙ୍କ ପ୍ରତି ନରମ ମନୋଭାବ ପୋଷଣ କରୁଥିବା ଉତ୍ତରରେ ନବୀନ କହିଛନ୍ତି, କାହାକୁ ବ୍ୟକ୍ତିଗତ ଆକ୍ଷେପ କରିବା ବଦଳରେ ମୁଁ ତାଙ୍କ ସରକାରର ଦୋଷ ଓ ଦୁର୍ବଳତା ଓ ଯୋଜନାକୁ ନେଇ ପ୍ରଶ୍ନ କରେ । ଏହାଛଡା କୌଣସି ଦଳ ଏଥର କେନ୍ଦ୍ରରେ ଏକକ ସଂଖ୍ୟା ଗରିଷ୍ଠତା ପାଇବ ନାହିଁ ବୋଲି କହିଛନ୍ତି ନବୀନ । ତେଣୁ ଓଡିଶାର ସ୍ୱାର୍ଥକୁ ଯିଏ ଦୃଷ୍ଟି ଦେବ ସେହି ଦଳକୁ ଆମେ ସମର୍ଥନ କରିବୁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ । କିନ୍ତୁ ଏବେ ମଧ୍ୟ ଉଭୟ ଦଳ ଠାରୁ ବିଜେଡି ସମଦୂରତାରେ ରହିଛି ।

କେନ୍ଦ୍ର ରାଜନୀତିରେ ଏଣ୍ଟ୍ରି କରିବା ପ୍ରଶ୍ନରେ ନବୀନ କହିଛନ୍ତି, ଜାତୀୟ ରାଜନୀତିରେ ପ୍ରବେଶ କରିବା ନେଇ ତାଙ୍କର ସେମିତି କୌଣସି ଅଭିଳାଷା ନାହିଁ । ଏହାଛଡା ତାଙ୍କ ସରକାରକୁ ଅଫିସର ଚଳାଉଛନ୍ତି ବୋଲି ଯେଉଁ ଅଭିଯୋଗ ଆସିଛି ସେନେଇ ମଧ୍ୟ ମୁହଁ ଖୋଲିଛନ୍ତି ନବୀନ । ତାଙ୍କ ସରକାରକୁ ଅଫିସର ଚଳାଉଥିବା ଅଭିଯୋଗ ୨୦୦୦ ମସିହାରୁ ହୋଇ ଆସୁଛି ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଓଡିଶାର ବିକାଶ ପାଇଁ ଆମ ଅଫିସର ଭଲ କାମ କରୁଛନ୍ତି ବୋଲି ନବୀନ କହିଛନ୍ତି ।

ଏସବୁ ବ୍ୟତୀତ ନବୀନଙ୍କ ପରେ ବିଜେଡିର ମଙ୍ଗ କିଏ ଧରିବ ପ୍ରଶ୍ନରେ ବିଜେଡି ସୁପ୍ରିମୋ କହିଛନ୍ତି, ତାଙ୍କ ଦଳର ନେତା ଓ କର୍ମୀ ସ୍ଥିର କରିବେ କିଏ ଦଳର ମଙ୍ଗ ଧରିବ । ଏପରିକି ତାଙ୍କ ଭଉଣୀ ରାଜନୀତିରେ ଏଣ୍ଟ୍ରି କରିବେ କି ପ୍ରଶ୍ନରେ ନବୀନ କହିଛନ୍ତି, ରାଜନୀତି ପ୍ରତି ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କର କୌଣସି ଇଚ୍ଛା ନାହିଁ । ତାଛଡା ସେ ଏବେ ନ୍ୟୁୟର୍କରେ ରହୁଛନ୍ତି ବୋଲି କହିଛନ୍ତି ନବୀନ । ଏଭଳି କହି କୌଣସି ସ୍ପଷ୍ଟ ସଂକେତ ଦେଇନଥିଲେ ନବୀନ ।