ଟେନସନରେ ନବୀନ ! ଦାବୀ ମାନିଲେ ରାଜ୍ୟ ରାଜକୋଷ ଉପରେ ପଡିବ ବୋଝ ! ନମାନିଲେ ଦଳର କ୍ଷତି

66

କନକ ବ୍ୟୁରୋ : ୩ଟି ସଙ୍ଗଠନ । ୩ଟି ଦାବୀ । ଯାହା ଟେନସନ ଦେଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । କେମିତି ହେବ ମୁକାବିଲା । ଦାବୀ ମାନିବେ ନା ଚୁପ ରହିବେ । ଏହି ଚିନ୍ତାରେ ଏବେ ନବୀନ । ଯଦି ଦାବୀ ମାନି ନିଅନ୍ତି ତେବେ ଅତିରିକ୍ତ ଋଣ ବୋଝ ପଡିବ ଆଉ ଯଦି ଦାବୀ ନ ମାନନ୍ତି ତେବେ କ୍ଷତିଗ୍ରସ୍ତ ହୋଇପାରେ ଭୋଟବ୍ୟାଙ୍କ ।

ଶିକ୍ଷକଙ୍କ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ, କୃଷିଋଣ ଛାଡ ଓ ୭ମ ବେତନ କମିଶନ ଦରମା ଦାବୀକୁ ଯଦି ସରକାର ମାନି ନିଅନ୍ତି ତେବେ ରାଜ୍ୟ ଉପରେ ଅତିରିକ୍ତ ଋଣ ବୋଝ ପଡିବା ସମ୍ଭାବନା ରହିଛି । ଯାହା ଏବେ ମୁଖ୍ୟମନ୍ତ୍ରୀଙ୍କ ଟେନସନର କାରଣ ହୋଇଛି ।

ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ଦାବୀରେ ରାଜରାସ୍ତାରେ ରାତି କାଟୁଛନ୍ତି ଶିକ୍ଷକ ଓ ଅଧ୍ୟାପକ । ହଜାର ହଜାର ସଂଖ୍ୟାରେ ଶିକ୍ଷକ ଅଧ୍ୟାପକ ଭୁବନେଶ୍ୱର ଲୋୟର ପିଏମଜିରେ ୧୪ ଦିନ ଧରି ଧାରଣାରେ ବସିଛନ୍ତି । ଦାବୀ ପୁରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଫାସଫା ମନା କରିଦେଇଛନ୍ତି ଏମାନେ । ଦିନକୁ ଦିନ ଏମାନଙ୍କ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ମାନେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବା ଆରମ୍ଭ କଲେଣି । ରାସ୍ତାରେ ଗଣେଷ ପୂଜା ପାଳନ ହୋଇଛି । ପ୍ରବଳ ବର୍ଷାରେ ବି ଆନ୍ଦୋଳନ ଚାଲୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଧାରଣା ସ୍ଥଳରେ ପହଂଚି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ସରକାର ମଧ୍ୟ ଏ ଦିଗରେ ବିଚାରବିମର୍ଷ କରୁଛନ୍ତି ।

ଯଦି ସରକାର ଏହି ଦାବୀକୁ ମାନି ନିଅନ୍ତି, ତେବେ ବାର୍ଷିକ ୮୦୫ କୋଟି ଆବଶ୍ୟକତା ରହିବ । ସେହିଭଳି କୃଷିଋଣ ଛାଡ ପାଇଁ ସ୍ୱର ଉଠିଥିବା ବେଳେ ଯଦି କୃଷିଋଣ ଛାଡ କରାଯାଏ ତେବେ ପାଖାପାଖି ୧୯ହଜାର କୋଟି ଟଙ୍କାର ଆବଶ୍ୟକତା ରହିବ । ଅନ୍ୟପଟେ ରାଜ୍ୟ ସରକାରୀ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଲାଗୁ କ ରି ଦରମା ଦେଲେ ୫ହଜାର ୫ଶହ କୋଟି ଓ ବକେୟା ବାବଦକୁ ପ୍ରାୟ ୯ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି । ୨୦୧୬ ଜାନୁଆରୀ ୧ରୁ ଏହି ଲାଗୁ କରିବାକୁ ନିର୍ଦ୍ଦେଶ ଥିବାରୁ ବକେୟା ଦରମା ବାବଦକୁ ଖର୍ଚ୍ଚ କରିବାକୁ ପଡିବ । ଯାହା ସରକାରଙ୍କୁ ଅଡୁଆ ପରିସ୍ଥିତିିରେ ପକାଇ ଦେଇଛି ।

ଯଦି ସରକାର ସବୁ ଦାବୀକୁ ମାନି ନିଅନ୍ତି ତେବେ ରାଜ୍ୟକୁ ୩୪ ହଜାର ୩ଶହ କୋଟିର ଭରଣା କରିବାକୁ ପଡିବ । ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ୩୬ ହଜାର ୭ଶହ ୪୦ କୋଟି ରାଜସ୍ୱ ଆଦାୟର ଲକ୍ଷ୍ୟ ରଖିଛି । ଯଦି କେବଳ ଦାବୀ ପୁରଣ କରିବାକୁ ଯାଇ ୩୪ ହଜାର କୋଟି ଖର୍ଚ୍ଚ କରାଯାଏ ତେବେ ରାଜ୍ୟର ବିକାଶ କେମିତି ହେବ ସେହି ଚିନ୍ତା ଘାରିଛି ସରକାରଙ୍କୁ ।

ରାଜ୍ୟ ସରକାର ଆଦାୟ କରିବାକୁ ଥିବା ରାଜସ୍ୱର ସିଂହଭାଗ ଅର୍ଥ ଶିକ୍ଷକ, ଅଧ୍ୟାପକ, ଚାଷୀ ଓ ସରକାରୀ କର୍ମଚାରୀ ପିଛାରେ ଖର୍ଚ୍ଚ ହେବ । ଯାହା ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଯୋଜନାରେ ଖର୍ଚ୍ଚ ହେବା କଥା । ଶିକ୍ଷା, ସ୍ୱାସ୍ଥ୍ୟ, ସଡକ ପରିବହନ ଭଳି ବିଭିନ୍ନ ଜନକଲ୍ୟାଣକାରୀ ଦିଗରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ଏହି ଦାବୀ ସବୁକୁ ପୁରଣ କରିବା ଦିଗରେ ଖର୍ଚ୍ଚ କରିହେବ କି ନାହିଁ ସେନେଇ ବିଚାର କରୁଛନ୍ତି ରାଜ୍ୟ ସରକାର ।

ଏସବୁ ଭିତରେ ପ୍ରଶ୍ନ ଉଠୁଛି ସତରେ କଣ ସରକାର ଏସବୁ ଦାବୀକୁ ମାନିନେବେ । ଆଗକୁ ପୌର ନିର୍ବାଚନ । ପରେ ପରେ ସାଧାରଣ ନିର୍ବାଚନ । ବିକାଶ ପାଇଁ କାମ କରୁଥିବା ଦଳ ବୋଲି କହୁଥିବା ବିଜେଡି ଏବେ ଧର୍ମସଙ୍କଟ ଦେଇ ଗତି କରୁଛି । କାରଣ ପାଦେ ପାଦେରେ ବିପଦ ରହିଛି । ନିର୍ବାଚନରେ ପରାଜୟ ସ୍ୱାଦ ଚାଖିବାକୁ ଆଦୌ ପ୍ରସ୍ତୁତ ନୁହେଁ ଦଳ । ତେଣୁ ମାପିଚୁପି ନିର୍ଣ୍ଣୟ ନେଉଛନ୍ତି ନବୀନ । ଏପଟେ ନିଜ ଦଳର କିଛି ନେତା ବି ଶିକ୍ଷକଙ୍କ ଆନ୍ଦୋଳନକୁ ଭିତିରି ସମର୍ଥନ କରୁଛନ୍ତି । କୃଷିଋଣକୁ ଯଥାର୍ଥ ବୋଲି ବି କହୁଛନ୍ତି । ତେଣୁ ଅଡୁଆରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଏତେ ପରିମାଣର ବୋଝରୁ କେମିତି ମୁକୁଳିବ ରାଜ୍ୟ । ଆଇଓସିଏଲରୁ ମିଳିବାକୁ ଥିବା ୧୫ଶହ କୋଟି ଏହି ଦିଗରେ ଖର୍ଚ୍ଚ କରିବାକୁ ସରକାର ଚିନ୍ତା କରୁଥିବା ଆଲୋଚନା ହେଉଛି । ଶିକ୍ଷକଙ୍କ ଦାବୀକୁ ଗ୍ରହଣ କରିବା ସହ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କରି ସରକାର ଜିଆଇଏ ପ୍ରଦାନ କରିବ ବୋଲି ବିଜେପି ଶିକ୍ଷକଙ୍କୁ କର୍ଣ୍ଣମନ୍ତ୍ର ଦେଇଛି । ତେଣୁ ଆଇଓସିଲରୁ ସରକାର ୧୫ଶହ କୋଟି ପାଇଲେ ଶିକ୍ଷକଙ୍କ ପାଇଁ କାହିଁକି ୮୦୫ କୋଟି ଖର୍ଚ୍ଚ କରିବେ ନାହିଁ ବୋଲି ମଧ୍ୟ ଶିକ୍ଷକ ଓ ଅଧ୍ୟାପକ ପ୍ରଶ୍ନ କରିଛନ୍ତି ।

ଏହାରି ଭିତରେ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ୨୦୧୭ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ଋଣ ବୋଝ ୬୫ ହଜାର କୋଟି ରହିଛି । ୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ସରକାର ୩ହଜାର କୋଟି ଋଣ କରିସାରିଲେଣି । କିନ୍ତୁ ଅଧିକ ଋଣ ବୋଝ ହୁଏତ ୧୯୯୯ ର ସ୍ଥିତିକୁ ତିଆରି କରିବ ସେଥିପାଇଁ ଜଗିରଖି ପଦକ୍ଷେପ ନେବେ ବୋଲି ଅର୍ଥନୈତିକ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି । ତେବେ ଆଗକୁ ନବୀନ ଏହି ଟେନସନରୁ କିଭଳି ମୁକୁଳୁଛନ୍ତି ତାହା ଦେଖିବାର କଥା ।