ବିଜେପୁରରେ ନବୀନଙ୍କ ନିଆରା ଅନ୍ଦାଜ ! ବନ୍ଧୁ ଅନଙ୍ଗଙ୍କୁ ହାତ ଦେଖାଇଲେ, ଅଭିନେତା ଅରିନ୍ଦମଙ୍କ ସହ ସେଲଫି ନେଲେ

30

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନର ପ୍ରଚାର ଓ ହୋହଲ୍ଲା ଭିତରେ ବି ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଜନସଭା ଚାଲିଥିବା ବେଳେ ଦେଖିବାକୁ ମିଳିଛି ନବୀନ ବାବୁଙ୍କ ହାଲୁକା ମୁଡର ଦୃଶ୍ୟ । ମଂଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଥିଲେ ଦଳର ବରିଷ୍ଠ ନେତା ତଥା ତାଙ୍କର ସ୍କୁଲ ଦିନର ବନ୍ଧୁ ଅନଙ୍ଗ ଉଦୟ ସିଂଦେଓ । ଦୁହେଁ ବେଶ୍ ପାଖାପାଖି ହୋଇ ବସିବା ସହ ବେଶ କିଛି ସମୟ ପାଇଁ କଥା ହୋଇଥିଲେ ।

ଏହାଭିତରେ ଅନଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବାଁ ହାତକୁ ଧରି କିଛି ସମୟ ନିରୀକ୍ଷଣ କରିବା ପରେ ପୁଣିଥରେ ଗପସପ ଆରମ୍ଭ କରିଥିଲେ । ଆଉ ଏହାକୁ ବେଶ୍ ଖୁସିର ସହ ଶୁଣୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲାଗୁଥିଲା ନିର୍ବାଚନକୁ ନେଇ ଆଦୌ ଚିନ୍ତିତି ନାହାନ୍ତି ନବୀନ । ପୁରା ହାଲୁକା ମନରେ ଥିବା ତାଙ୍କ ଚେହେରାରୁ ବାରି ହୋଇପଡୁଥିଲା । ଲାଗୁଥିଲା ଯେମିତି ଅନଙ୍ଗ ଉଦୟ ସିଂଦେଓ ମୁଖ୍ୟମନ୍ତ୍ରୀଙ୍କ ହାତରେଖା ଦେଖି ଗଣନା କରୁଛନ୍ତି ।

କିଛି ସମୟ ଧରି ନବୀନଙ୍କୁ ଅନଙ୍ଗ କିଛି କହିବା ପରେ ଏଥିରେ ବାଧା ପହଂଚାଇଥିଲେ ସୁରକ୍ଷାକର୍ମୀ । ସେ କିଛି କହିବା ପରେ ମୁଖ୍ୟମନ୍ତ୍ରୀଙ୍କ ହାତ ଛାଡି ଦେଇ ସ୍ୱାଭାବିକ ଭାବରେ ବସିଯାଇଥିଲେ ଦୁଇ ନେତା । ତେବେ ଏନେଇ ଅନଙ୍ଗ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରେ ଟିକିଏ ସମସ୍ୟା ଥିଲା । ସେଥିପାଇଁ ନବୀନ ତାଙ୍କୁ ହାତ ଦେଖାଉଥିଲେ ।

କେବଳ ଏହି ଗୋଟିଏ ଘଟଣା ନୁହେଁ ଆଉ ଗୋଟିଏ ଦୃଶ୍ୟ ବି ଆଜିର ପ୍ରଚାର ମଂଚରେ ଦେଖିବାକୁ ମିଳିଛି । ସଭା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଠିକ ପଛରେ ଠିଆ ହୋଇଥିଲେ ଅଭିନେତାରୁ ନେତା ସାଜିଥିବା ଅରିନ୍ଦମ ରାୟ । ସେ ହଠାତ ନିଜ ମୋବାଇଲ କାଢି ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଯାଇ ସେଲଫି ନେଇଥିଲେ । ଏହି ସମୟରେ ବେଶ୍ ମନଖୋଲା ହସି ଅରିନ୍ଦମଙ୍କ ସହ ସେଲଫି ଉଠାଇଥିଲେ ନବୀନ ପଟ୍ଟନାୟକ । ଅବଶ୍ୟ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସେଲଫି ନୁହେଁ । ଆଗରୁ ବହୁଥର ମୁଖ୍ୟମନ୍ତ୍ରୀ ସେଲଫି ନେଇଥିବା ଦେଖିବାକୁ ମିଳିଛି ।