ଜୟପାଟଣା ସାଧାରଣ ସଭାରେ ପୁଣି ଥରେ ମହିଳାଙ୍କ ଉପରେ ଗୁରତ୍ୱ ଦେଲେ ନବୀନ : ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡ଼ି ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

151

କନକ ବ୍ୟୁରୋ : ଜୟପାଟଣାର ସାଧାରଣ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ । ଖରାରେ ନିର୍ବାଚନୀ ସଭାରେ ଯୋଗଦେଇଥିବାରୁ ଲୋକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଜେଡ଼ିର ସାଂସଦ ପ୍ରାର୍ଥୀ ଓ ବିଧାୟକଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବା ପାଇଁ ନିବେଦନ କରିଛନ୍ତି । ନିର୍ବାଚନୀ ସଭାରେ ପୁଣି ଥରେ ମା’ଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ ।

ନିର୍ବାଚନୀ ସଭାରେ ନବୀନ କହିଛନ୍ତି ମା’ମାନେ ବିକାଶର ପ୍ରକୃତ ଡବଲ ଇଞ୍ଜିନ୍ । ବିଜେଡ଼ି କ୍ଷମତାକୁ ଆସିଲେ ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ରାଶି ବୃଦ୍ଧି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ମା’ମାନଙ୍କୁ ୭ ଲକ୍ଷ ବଦଳରେ ୧୦ ଲକ୍ଷ ପ୍ରଦାନ କରାଯିବ । ଏହାବ୍ୟତୀତ ମିଶନ ଶକ୍ତିର ମା’ମାନଙ୍କୁ ୫ ହଜାର କୋଟି ପର୍ଯ୍ୟନ୍ତ ସରକାରୀ କାମ ଯେଗାଇ ଦିଆଯିବ । ଗରିବ ଝିଅ ମାନଙ୍କୁ ବିବାହ ସମୟରେ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ।

ସବୁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କ ପାଇଁ ବିନା ସୁଧରେ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ଝିଅଙ୍କୁ ମାଗଣାରେ ଶିକ୍ଷା ସୁବିଧା ଉପଲବ୍ଧ କରାଯିବ । କେଜିରୁ କଲେଜ, ମେଡ଼ିକାଲ, ଇଞ୍ଜିନିୟରିଂ ସବୁ ପାଠ୍ୟକ୍ରମ ପାଇଁ ମାଗଣାରେ ପଢ଼ିପାରିବେ ଝିଅମାନେ । ଦଳ ସରକାର ଗଢ଼ିଲେ ଆଶ୍ରମ ସ୍କୁଲ ପରିଚାଳନା, ଡାକ୍ତରଖାନା ପରିଚାଳନା, ସ୍କୁଲ ୟୁନିଫର୍ମ ଯୋଗାଣ ଅନେକ ସରକାରୀ କାମ ପାଇଁ ମିଶନ ଶକ୍ତିର ମା’ମାନଙ୍କୁ ନିୟୋଜିତ କରାଯିବ । ଯଦ୍ୱାରା ମିଶନ ଶକ୍ତିର ମା’ମାନେ ୫ ଶହ କୋଟି ଟଙ୍କାର ଲାଭ ପାଇବେ ।

ସେପଟେ ଜୟପାଟଣାର ସାଧାରଣ ସଭାରୁ ପୁଣି ଥରେ କେନ୍ଦ୍ରୀୟ ନେତାଙ୍କ ଉପରେ ବର୍ଷିଛନ୍ତି ବିଜେଡ଼ି ସଭାପତି । ନିର୍ବାଚନ ଆସିଲେ କେନ୍ଦ୍ରର ବଡ଼ ବଡ଼ ନେତାଙ୍କ କଥା ମନେ ପଡ଼େ । ଭବାନୀପାଟଣାର ରେଳ ୱାଗନ, ଦୁଇଗୁଣା ଏମଏସପି, ସବୁ ଜମିକୁ ଜଳସେଚନ, ଏସସି/ଏସଟି ପିଲାଙ୍କ ବୃତ୍ତି କାହିଁକି ବନ୍ଦ କରାଗଲା ପ୍ରଶ୍ନ କରିବା ନେଇ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।