ନବୀନଙ୍କ ନୂଆ ରୂପ ! ରଣନୀତି ନା ରାଜନୈତିକ ବାଧ୍ୟବାଧକତା

24

କନକ ବ୍ୟୁରୋ : ଗୋଟିଏ ପଟେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ । ଅନ୍ୟପଟେ ବଦଳୁଥିବା ରାଜନୈତିକ ପାଣିପାଗ । ଏହାରି ଭିତରେ ଏବେ ବଦଳୁଛନ୍ତି କି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ କିଛି ଦିନ ଭିତରେ ନବୀନଙ୍କ ନୂଆ ଅନ୍ଦାଜ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ବିଜେଡିର ପୂର୍ବ ଦବଦବା ବଜାୟ ରଖିବାକୁ ଏବେ ଜୋରସୋରରେ ଲାଗିପଡିଛନ୍ତି ନବୀନ ପଟ୍ଟନାୟକ ।

ଯେତେବେଳେ ନବୀନ ଓଡିଶା ରାଜନୀତିକୁ ପ୍ରବେଶ କଲେ ସେତେବେଳେ ଓଡିଆ ଜାଣି ନଥିବା ଜଣେ ସରଳ କିନ୍ତୁ ଖୁବ ନୀରବ ବ୍ୟକ୍ତି ଭାବେ ସାମ୍ନାକୁ ଆସିଲେ । ଏମିତିକି ଲୋକଙ୍କ ସହ ଖୁବ କମ ମିଳାମିଶା କରୁଥିବା ନବୀନ ଅମଲା ଓ କିଛି ବିଶ୍ୱସ୍ତ ରାଜନେତାଙ୍କୁ ନେଇ ଶାସନ ପରିଚାଳନା କଲେ । ଆଉ ଏଇ ଢାଂଚାରେ ହିଁ ହିଁ ୧୭ବର୍ଷ ଧରି କ୍ଷମତା ଜାବୁଡି ଧରିଛି ବିଜେଡି ।

ହେଲେ ହଠାତ ବଦଳିଯାଇଛି ନବୀନଙ୍କ ଅନ୍ଦାଜ । ଏକା ଏକା ରହୁଥିବା ନବୀନ ଏବେ ସାଧାରଣ ଲୋକଙ୍କ ଗହଣକୁ ଆସୁଛନ୍ତି । ନେତା ଓ ଅଫିସରଙ୍କୁ ଛାଡି ଲୋକଙ୍କ ସହ ମିଶୁଛନ୍ତି ।

କିଛିଦିନ ତଳେ ଓୟୁଏଟିର ସାଧରଣ ଛାତ୍ରଛାତ୍ରୀଙ୍କ ସହ ସେଲଫି ନେଇଥିଲେ ନବୀନ । ଆଉ ଜଣେ ଛାତ୍ରୀ ଦେଇଥିବା ଜୈବିକ ଛତୁ ବି ଖାଇଥିଲେ । ସେହିଭଳି ବିନା କୈାଣସି ଯୋଜନାରେ ଭଉଣୀ ଗୀତା ମେହେଟାଙ୍କ ସହ ମାର୍କେଟ ମଲ ବି ବୁଲି ଚର୍ଚ୍ଚାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ।

ଖାଲି ଏତିକି ନୁହେଁ । ସୋସିଆଲ ମିଡିଆରେ ବି ଖୁବ ସକ୍ରୀୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ । କିଛିଦିନ ତଳେ କୁମ୍ଭୀର ମୁହଁରୁ ବର୍ତିଥିବା ଦୁଇ କୁନି ଝିଅଙ୍କ ସହ ସେଲଫି ନେଇ ପୋଷ୍ଟ କରିଥିଲେ ନବୀନ ।

ସବୁବେଳେ ସୁରକ୍ଷାକର୍ମୀଙ୍କ ଗହଣରେ ରହୁଥିବା ଓ ଲୋକଙ୍କ ସହ ସହଜରେ ମିଶି ପାରୁ ନଥିବା ମୁଖ୍ୟମନ୍ତ୍ରୀଙ୍କର ଏ ଅନ୍ଦାଜ ସାଧାରଣ ଲୋକଙ୍କୁ ଯେତିକି ଉତ୍ସାହିତ କରୁଛି ସେତିକି ଆଶ୍ଚର୍ଯ୍ୟ ବି ଲାଗୁଛି । ପ୍ରଶ୍ନ ଉଠୁଛି ପଂଚାୟତ ନିର୍ବାଚନ ବିପର୍ଯ୍ୟୟପରେ ଲୋକଙ୍କ ସହ ଦଳକୁ ଯୋଡି ରଖିବା ପାଇଁ ନୂଆ ଷ୍ଟାଇଲ ଆପଣେଇଚନ୍ତି କି ନବୀନ ।