ଶିଳ୍ପରେ ନିବେଶ କ୍ଷେତ୍ରରେ ନବୀନ ସରକାରଙ୍କ ବଡ଼ ପ୍ରତିଶ୍ରୁତି : ପସ୍କୋ ଗଲା, ଜିନ୍ଦଲ ଆସିଲା

29

କନକ ବ୍ୟୁରୋ : ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ବଡ଼ ନିବେଶକୁ ମିଳିଛି ମଂଜୁରୀ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କ୍ଷମତା ସଂପନ୍ନ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ମିଳିଛି ମଂଜୁରୀ । ରାଜ୍ୟରେ ମୋଟ୍ ୧ ଲକ୍ଷ ୧୦ ହଜାର ୮୯୩ କୋଟି ନିବେଶ ହେବାକୁ ଥିବା ବେଳେ ୪୬ ହଜାର ୫୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତେବେ ବଡ଼ କଥା ହେଉଛି, ପାରାଦୀପରେ ପସ୍କୋ ପ୍ରକଳ୍ପ ବନ୍ଦ ହେବା ପରେ ଜେଏସଡ଼ବ୍ଲ୍ୟୁ ସେଠାରେ ନୂଆ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

୫୦ ହଜାର କୋଟି ନିବେଶରେ ହେବାକୁ ଥିବା ଏହି କାରଖାନାରେ ବାର୍ଷିକ ୧୦ ମିଲିୟନ ଟନ୍ ଷ୍ଟିଲ୍ ଉତ୍ପାଦନ ହେବ । ଏଥିରେ ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁମାନ କରାଯାଉଛି, ପସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ଜମି ଏବେ ଜେଏସଡବ୍ଲ୍ୟୁ ପାଇବ । ୨୦୦୫ରେ ରାଜ୍ୟ ସରକାର ପସ୍କୋ ସହ ଏମଓୟୁ ସ୍ୱାକ୍ଷର କରିଥିବା ବେଳେ ଜମି ଓ ଖଣି ବିବାଦରେ ଫସି ରହିଥିବା ଏହି ପ୍ରକଳ୍ପ ପାଇଁ କାମ ବି ଆରମ୍ଭ ହୋଇପାରିନଥିଲା । ଆଉ ଶେଷରେ ଓଡ଼ିଶା ପ୍ରକଳ୍ପରୁ ନିଜକୁ ଓହରାଇ ନେଇଥିଲା ଏହି କଂପାନୀ ।

ଏହାପରେ ପାରାଦୀପରେ ଇସ୍ପାତ ପ୍ରକଳ୍ପ କରିବାକୁ ଆଗ୍ରହ ଦେଖାଇଥିଲେ ଜେଏସଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ । ଆଉ ଶେଷରେ ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କର ଅନୁମତି ମିଳିଛି । ସେହିଭଳି ଝାରସୁଗୁଡାରେ ଏନଏଲସି ଥର୍ମାଲ ପାୱାର ୨୩ ହଜାର ୫୬୯ କୋଟି ନିବେଶରେ ପାୱାରପ୍ଲାଂଟ ପ୍ରତିଷ୍ଠା କରିବ । ଏଥିରେ ୩୨୦୦ ମେଗାୱାଟ ବିଜୁଳି ଉତ୍ପାଦନ ହେବ, ୩ହଜାର ୩୨୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିସହ ନାଲକୋ ସ୍ମେଲଟର ପ୍ଲାଂଟର ସଂପ୍ରସାରଣ, ନାଲକୋ ରିଫାଇନାରୀ ସଂପ୍ରସାରଣ, ଭୁଷଣ ଷ୍ଟିଲþ ଆଣ୍ଡ ପାୱାର ଲିମିଟେଡରେ ଝାରସୁଗୁଡ଼ା ପ୍ରକଳ୍ପ, ଏନଏମଡିସି  ପେଲେଟ ପ୍ଲାଂଟ, ପିପିଏଲ ସଂପ୍ରସାରଣ ଭଳି ପ୍ରକଳ୍ପକୁ ମଧ୍ୟ ମଂଜୁରୀ ମିଳିଛି । ନିକଟରେ ମେକ୍ ଇନ୍ ଓଡ଼ିଶାରେ ମିଳିଥିବା ପ୍ରତିଶ୍ରୁତିର ୫୦ ପ୍ରତିଶତ ନିବେଶକୁ ଆଜି ମଂଜୁରୀ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଛନ୍ତି ।