ବିଜେପିର ଅଭିଯୋଗକୁ କାଟିଲା ବିଜେଡି ! ଦେଲା ନବୀନଙ୍କ ନିର୍ବାଚନୀ ଖର୍ଚ୍ଚର ହିସାବ

31

କନକ ବ୍ୟୁରୋ : ବିଜେଡି ପାଣ୍ଠି ଅନିୟମିତତାକୁ ନେଇ ରାଜନୈତିକ ହଟଚମଟ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚର ହିସାବ ଦେଲା ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଂସଦ ପ୍ରତାପ ଦେବ ଓ ପିନାକି ମିଶ୍ର ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ସମୟରେ ନବୀନ ପଟ୍ଟନାୟକ ବିଜେଡିଠାରୁ ୧୦ ଲକ୍ଷ ଟଙ୍କା ନେଇଥିବାବେଳେ ନିର୍ବାଚନୀ ଖର୍ଚ୍ଚ ବାବଦରେ ୧୩ ଲକ୍ଷ ୧୦ ହଜାର ୬୨୫ ଟଙ୍କା ବ୍ୟୟ କରିଥିବା ସତ୍ୟପାଠରେ ଦର୍ଶାଇଥିଲେ । ଆଉ ଏହାକୁ ନେଇ ଆପତି ଉଠାଇଥିଲା ବିଜେପି । ଏପରିକି ମାମଲା ମଧ୍ୟ ଦାୟର ହୋଇଥିଲା ।

ତେବେ ଏହି ଅସଙ୍ଗତି ନେଇ ସ୍ପଷ୍ଟ କରିଛନ୍ତି ସାଂସଦ ପିନାକି ମିଶ୍ର । ନବୀନଙ୍କୁ ବିଜେଡି ଦେଇଥିବା ୧୦ ଲକ୍ଷ ଟଙ୍କାରୁ ୬ଲକ୍ଷ ୪୮ ହଜାର ୩୨୦ ଟଙ୍କା ଫେରାଇ ଦେଇଥିବା ସତ୍ୟପାଠରେ ଦର୍ଶାଇଥିଲେ । ଅର୍ଥାତ ପାର୍ଟି ଦେଇଥିବା ଟଙ୍କାରୁ ୩ ଲକ୍ଷ ୫୧ ହଜାର ୬୮୦ ଟଙ୍କା ଖର୍ଚ୍ଚ କରିଛନ୍ତି ନବୀନ ପଟ୍ଟନାୟକ । କିନ୍ତୁ ନବୀନଙ୍କ ନିର୍ବାଚନୀ ପ୍ରଚାର ବାବଦରେ ଦଳ ପୁଣି ତା ତରଫରୁ ଖର୍ଚ୍ଚ କରିଛି ୯ ଲକ୍ଷ ୫୮ ହଜାର ୯୪୫ ଟଙ୍କା । ତେଣୁ ୩ ଲକ୍ଷ ୫୧ ହଜାର ୬୮୦ ଟଙ୍କା- ଯୁକ୍ତ ୯ ଲକ୍ଷ ୫୮ ହଜାର ୯୪୫ ଟଙ୍କା -ସମାନ ୧୩ ଲକ୍ଷ ୧୦ ହଜାର ୬୨୫ ଟଙ୍କା ।

ଏହାବାଦ ନବୀନ ନିଜ ହାତରୁ ଖର୍ଚ୍ଚ କରିଛନ୍ତି ୪ ଲକ୍ଷ ୧୭ ହଜାର ୨୨୩ ଟଙ୍କା । ୧୩ ଲକ୍ଷ ୧୦ ହଜାର ୬୨୫ ଟଙ୍କା -ଯୁକ୍ତ ୪ ଲକ୍ଷ ୧୭ ହଜାର ୨୨୩ ଟଙ୍କା- ସମାନ ୧୭ ଲକ୍ଷ ୨୭ ହଜାର ୮୪୮ ଟଙ୍କା । ଯାହା ନବୀନଙ୍କ ମୋଟ ନିର୍ବାଚନୀ ଖର୍ଚ୍ଚ । ତେବେ ନବୀନ ଦେଇଥିବା ସତ୍ୟପାଠରେ ଏହାକୁ ବ୍ରେକଅପ୍ କରି ଦର୍ଶାଇଥିଲେ କୌଣସି ଭୁଲ ବୁଝାମାଣ ହୋଇନଥାନ୍ତା ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।