ଧର୍ମେନ୍ଦ୍ରଙ୍କୁ ରିହାତି ଦେଲେ ନବୀନ ! ଭାଟ୍ ହାର କମାଇଲେ ରାଜ୍ୟ ସରକାର

57

କନକ ବ୍ୟୁରୋ : ଯେଉଁ ପାଇପ ଯୋଗେ ଗ୍ୟାସ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଶାସକ ବିଜେଡିର ପ୍ରତିନିଧି ଯିବାକୁ ବି ମଂଗି ନଥିଲେ, ସେହି ଯୋଜନା ଉପରେ ୫ ପ୍ରତିଶତ ଭାଟ କମାଇଛନ୍ତି ରାଜ୍ୟ ସରକାର । ଅର୍ଥାତ ପାଇପ ଯୋଗେ ଗ୍ୟାସ ନେଲେ ଏଣିକି ୫ ପ୍ରତିଶତ କମ ଭାଟ ଦେବାକୁ ପଡ଼ିବ । ଆପଣ ମନେ ପକାନ୍ତୁ ଧର୍ମେନ୍ଦ୍ର ଯେତେବେଳେ ଭୁବନେଶ୍ୱରରେ ଏହି ପ୍ରକଳ୍ପର ଶୁଭାରମ୍ଭ କରୁଥିଲେ, ଠିକ ଏହାକୁ ଚ୍ୟାଲେଂଜ କରି କଟକରେ ପାନୀୟ ଜଳପ୍ରକଳ୍ପର ଆରମ୍ଭ କରୁଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏହାକୁ ଶିଳ୍ପସଂସ୍ଥାର କର୍ମଚାରୀଙ୍କ ପାଇଁ, ଗରିବଙ୍କ ପାଇଁ ନୁହେଁ ବୋଲି ସମାଲୋଚନା ବି କରିଥିଲେ । ହେଲେ ଏହି ଯୋଜନାରେ କମିଛି ଭାଟର ପରିମାଣ । କୁହାଯାଉଛି-ସହରାଂଚଳ ନିର୍ବାଚନକୁ ଦେଖି ମନବଦଳାଇ ଦେଲେ ରାଜ୍ୟ ସରକାର ।

ବିଜେଡି-ବିଜେପି ପ୍ରତିଦ୍ୱନ୍ଦିତା ଏବଂ ଶ୍ରେୟ ନେବାର ପ୍ରତିଯୋଗିତା ଭିତରେ, ଓଡ଼ିଶା ବିଜେପିର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚକମା ଦେଲା ଭଳି ନିଷ୍ପତି ନେଇଛନ୍ତି ନବୀନ ସରକାର । ପାଇପ ଯୋଗେ ଗ୍ୟାସ ଯୋଗାଣ ପ୍ରକଳ୍ପ ପାଇଁ ଶ୍ରେୟ ନେଉଥିବା ବିଜେପି ଏବଂ ଧର୍ମେନ୍ଦ୍ରଙ୍କ ମୁହଁ ବନ୍ଦ କରି ଦେଲା ଭଳି ନିଷ୍ପତି ଗତ କ୍ୟାବିନେଟ ବୈଠକରେ ହୋଇଛି । ଯେଉଁଥିରେ ଖାଉଟିମାନଙ୍କୁ ପାଇପ ଯୋଗେ ଗ୍ୟାସ ଯୋଗାଣ ହେଉଥିଲେ, ତାର ବିକ୍ରି ଉପରେ ୫ ପ୍ରତିଶତ ଭାଟ ଲାଗୁ ନେଇ କ୍ୟାବିନେଟ ନିଷ୍ପତି ନେଇଛିି ।

ଯାହା ଉପରେ ୧୫ ପ୍ରତିଶତ ଭାଟ ଥିଲା ତାକୁ ୧୦ ପ୍ରତିଶତ କମାଇ ଦିଆଯାଇଛି । ଅର୍ଥାତ ଏଣିକି ପାଇପ ଯୋଗେ ଆପଣ ଗ୍ୟାସ ପାଇଲେ ଆପଣଙ୍କୁ ମାତ୍ର ୫ ପ୍ରତିଶତ ଭାଟ ଦେବାକୁ ପଡିବ । କେନ୍ଦ୍ର ସହଜରେ ପାଇପ ଯୋଗେ ଗ୍ୟାସ ଯୋଗଇବାର ସୁବିଧା କରିଥିବା ବେଳେ ଶସ୍ତା ଦରରେ ଯୋଗଇବାର ଯୋଜନା କରି, ଧର୍ମେନ୍ଦ୍ରଙ୍କ ଯୋଜନାକୁ ହାଇଜାକ କରିନେଇଛନ୍ତି ନବୀନ ସରକାର ।

ଗତ ଅକ୍ଟୋବର ୨୦ ତାରିଖର ଭୁବନେଶ୍ୱରରେ ଧର୍ମେନ୍ଦ୍ର ପ୍ରଧାନ, ଉର୍ଜ୍ଜା ଗଙ୍ଗା ଯୋଜନାର ଶୁଭାରମ୍ଭ କରିଥିଲେ । ଯାହା ଦ୍ୱାରା ପାଇପ ଲାଇନ ଯୋଗେ ଗ୍ୟାସ ଯୋଗାଣ ଆରମ୍ଭ ହୋଇଥିଲା । କିନ୍ତୁ ପ୍ରଥମ ପର୍ଯ୍ୟାୟରେ କେବଳ ନାଲକୋ ନଗରୀରେ ଏହି ସେବା ଆରମ୍ଭ ହୋଇ ପାରିଛି । ଯାହକୁ ନେଇ ବିଜେଡି ଅଭିଯୋଗ କରିଥିଲା ଯେ ଜନତା ନୁହଁନ୍ତି ବରଂ ଏକ ଶିଲ୍ପ ସଂସ୍ଥାର କର୍ମଚାରୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ଯୋଜନା । ଆଉ ଏବେ ନିଜ ଆଡୁ ଭାଟ ହ୍ରାସ କରିବାର ନିଷ୍ପତ୍ତି ନେଇ ପୁଣି ଥରେ କନ୍ଦ୍ରେମନ୍ତ୍ରୀଙ୍କ ଯୋଜନାକୁ ଚ୍ୟାଲେଞ୍ଚ ଦେଇଛନ୍ତି ରାଜ୍ୟ ସରକାର । ଆଉ କୁହାଯାଉଛି ଆଗକୁ ଥିବା ସହରାଂଚଳ ନିର୍ବାଚନକୁ ଆଖିରେ ରଖି କେନ୍ଦ୍ରମନ୍ତ୍ରୀଭ୍କ ବଡ ଚକମାଦେଇଛନ୍ତି ରାଜ୍ୟ ସରକାର ।