ପ୍ରମିଳାଙ୍କ ଠାରୁ ଆରମ୍ଭ, ଚନ୍ଦ୍ରାଣୀଙ୍କ ପାଖରେ ଶେଷ । ଦକ୍ଷିଣରୁ ଉତ୍ତର, ୨୧ ଆସନରୁ ୭ ମହିଳାଙ୍କୁ ମୈଦାନକୁ ଓହ୍ଲାଇଲେ ନବୀନ । ପୂରା ହେଲା ବିଜେଡି ସୁପ୍ରିମୋଙ୍କ ପ୍ରତିଶୃତି

743

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ କଥା ଦେଇଥିଲେ, ପ୍ରାର୍ଥୀ ଘୋଷଣା ସହ ନିଜ କଥା ରଖିଛନ୍ତି ବିଜେଡି ସୁପ୍ରିମୋ । ଆଉ ଏହାସହ ନବୀନ ଦର୍ଶାଇଛନ୍ତି ଯେ, ସେ ଯାହା କୁହନ୍ତି ତାହାକୁ ପୂରଣ କରି ଦେଖାନ୍ତି । ନିର୍ବାଚନ ପୂର୍ବରୁ ମୋଟ ଆସନର ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରିବାକୁ ଘୋଷଣା କରିଥିଲେ ନବୀନ । ଏପରିକି ଏନେଇ ଏକ ବିଲ ମଧ୍ୟ ସଂସଦରେ ଆଣିଥିଲା ବିଜେଡି । ଆଉ ନବୀନଙ୍କ ଏହି ପ୍ରୟାସକୁ ପୂରା ଦେଶରୁ ସମର୍ଥନ ମିଳିଥିଲା ।

ନିର୍ବାଚନ ବେଳେ ପ୍ରାର୍ଥୀ ଘୋଷଣା ବେଳେ ପ୍ରଥମରୁ ହିଁ ଏହାର ଝଲକ ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ପ୍ରାର୍ଥୀ ବିଜେଡି ଘୋଷଣା କରିଥିବା ବେଳେ ଏଥିରେ ୩ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଦଳ । ମହିଳା ସଶକ୍ତୀକରଣର ବାର୍ତ୍ତା ଦେଉଥିବା ନବୀନ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ବେଳେ ଏସଏଚଜି ଗ୍ରୁପ ସଦସ୍ୟ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ମାଷ୍ଟରଷ୍ଟ୍ରୋକ ମାରିଥିଲେ । ଅତି ସାଧାରଣବର୍ଗରୁ ଆସିଥିବା ପ୍ରମିଳାଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଚାରିଆଡୁ ପ୍ରଂଶସା ସାଉଁଟିଥିଲା ।

ପ୍ରମିଳାଙ୍କ ସହ ଏହି ପର୍ଯ୍ୟାୟରେ କୋରାପୁଟ ଆସନ ପାଇଁ କୌଶଲ୍ୟା ହିକକା ଓ ସୁନ୍ଦରଗଡ ଆସନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳଙ୍କୁ ମୈଦାନକୁ ଓହ୍ଲାଇଥିଲା । ସେହିଭଳି ପରବର୍ତ୍ତୀ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୯ ଲୋକସଭା ଆସନରୁ ମଧ୍ୟ ୩ ଜଣ ମହିଳାଙ୍କୁ ମୈଦାନକୁ ଓହ୍ଲାଇଥିଲା ଦଳ । ଯାଜପୁରରୁ ରୀତା ତରାଇଙ୍କ ବଦଳରେ ଶର୍ମିଷ୍ଠା ସେଠୀଙ୍କୁ ଦଳ ପ୍ରଥମ ଥର ପାଇଁ ସୁଯୋଗ ଦେଇଥିଲା । ସେହିଭଳି ତିର୍ତ୍ତୋଲ ବିଧାୟିକା ଥିବା ରାଜଶ୍ରୀ ମଲ୍ଲିକଙ୍କୁ ଦଳ କୁଳମଣି ସାମଲଙ୍କ ସ୍ଥାନରେ ଜଗତସିଂହପୁରରୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଳାଇଛି । ଏହାଛଡା ଭଦ୍ରକ ଆସନରୁ ମଧ୍ୟ ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ମହିଳା କାର୍ଡରେ ପ୍ରାର୍ଥୀ କରିଛି ।

ଦୁଇଟି ପର୍ଯ୍ୟାୟରେ ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ବଳକା ୩ଟି ଆସନକୁ ନେଇ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । କଟକ, ଢେଙ୍କାନାଳ ଓ କେଉଁଝର ଆସନ ମଧ୍ୟରୁ କେଉଁ ଆସନରେ ଦଳ ମହିଳା କାର୍ଡ ଖେଳିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି କେଉଁଝରରେ ବିଜେଡିର ମହିଳା ସାଂସଦ ଥିବାରୁ ଏହି ଆସନ ଉପରେ ସମସ୍ତଙ୍କର ଫୋକସ ରହିଥିଲା । ଆଉ ଆଜି ନବୀନଙ୍କ ଘୋଷଣାରେ ମଧ୍ୟ ଏହାର ପ୍ରତିଛବି ଦେଖିବାକୁ ମିଳିଥିଲା । କେଉଁଝର ସାଂସଦ ଶକୁନ୍ତଳା ଲାଗୁରୀଙ୍କ ବଦଳରେ ଗତକାଲି ଦଳରେ ମିଶିଥିବା ଚନ୍ଦ୍ରାଣି ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ନବୀନଙ୍କ ଏହି ଘୋଷଣା ପରେ ଦକ୍ଷିଣରୁ ଉତ୍ତର ପ୍ରତ୍ୟେକ ଅଞ୍ଚଳରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ ଭାବେ ସାମ୍ନାକୁ ଆଣିଛି । ବିଜେଡି ସୁପ୍ରିମୋଙ୍କ ଏହି ନୂଆ ଷ୍ଟ୍ରାଟେଜି ଦଳକୁ କେତେ ଫାଇଦା ଦେବ ତାହା ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ ।