ମୋଦିଙ୍କୁ ନବୀନଙ୍କ ପ୍ରଶ୍ନ, ଭୁଲିଗଲେକି ଉଜ୍ଜଳା ଓ ସ୍କିଲ ଇଣ୍ଡିଆ ସ୍କାମ୍ ?

49

କନକ ବ୍ୟୁରୋ : ଝାରସୁଗୁଡାରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯୋଗର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫୦ ଲକ୍ଷ ପରିବାରକୁ ଯୋଡା ଯାଇଛି । ମହିଳାଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ରାଶି ୭ ଲକ୍ଷ ଟଙ୍କା ରହିଛି । ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ ଲକ୍ଷ ନୂଆ ଲୋକଙ୍କୁ ଯୋଡାଯାଇଛି । ପିସି ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ମୋଦି ତାଙ୍କ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କହିଥାଇ ପାରନ୍ତି । ଉଜ୍ଜଳା ଓ ସ୍କିଲ ଇଣ୍ଡିଆ ସ୍କାମ କଥା ପ୍ରଧାନମନ୍ତ୍ରୀ ଭୁଲି ଯାଇଛନ୍ତି କି ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

ସେପଟେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦରକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ଥରରେ ପହଞ୍ଚିଛି । ସେ ବିଷୟରେ ପ୍ରଧାନମନ୍ତ୍ରୀ କଣ ପାଇଁ କିଛି କହିଲେନି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ତେଲଦର ବୃଦ୍ଧି ଯୋଗୁଁ ଦେଶବାସୀ ହଇରାଣ ହେଉଛନ୍ତି । ଦର ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନବୀନ କହିଛନ୍ତି ।

ସେହିପରି ଆୟୁଷ୍ମାନ ଯୋଜନା ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଠାରୁ ରାଜ୍ୟ ଯୋଜନାରେ ଅଧିକ ସୁବିଧା ରହିଛି । ରାଜ୍ୟ ଯୋଜନାରେ ଅଧିକ ୫୦ ଲକ୍ଷ ଲୋକ ସୁବିଧା ପାଇବେ ବୋଲି ନବୀନ କହିଛନ୍ତି । ରାଜ୍ୟ ଯୋଜନାରେ ମହିଳାଙ୍କ ପାଇଁ ୭ ଲକ୍ଷ ଯାଏଁ ଚିକିତ୍ସା ସୁବିଧା ରହିଥିବା ନବୀନ କହିଛନ୍ତି ।