କନକ ବ୍ୟୁରୋ : ଦାମଙ୍କ ବୟାନରୁ ହାତ ଛଡାଇନେଲା ବିଜେଡି । ନା ବିଜେପି ନା କଂଗ୍ରେସ, କାହାରି ନିକଟତର ହେବ ନାହିଁ ଦଳ । ସୁପ୍ରିମୋଙ୍କ ଏଭଳି ଟ୍ୱିଟ୍ ପରେ, ବଦଳିଯାଇଛି ବିଜେଡି ବରିଷ୍ଠ ମନ୍ତ୍ରୀଙ୍କ ବୟାନ । ଦାମ କହିଛନ୍ତି, ବିଜେଡି ଏକାକୀ ୧୨୫ ଆସନରେ ଜିତିବାକୁ ସମର୍ଥ । ଗତକାଲି କହିଥିଲେ ବିଜେପିର ଗତିରୋଧ ପାଇଁ କଂଗ୍ରେସ ସହ ହାତ ମିଳାଇବାକୁ ପ୍ରସ୍ତୁତ ବିଜୁ ଜନତା ଦଳ । ରାଜ୍ୟ ରାଜନୀତିରେ ଦାମଙ୍କ ନୂଆ ସମୀକରଣ ସଂକେତକୁ ନେଇ ଯେଉଁ ହଲଚଲ ସୃଷ୍ଟି ହୋଇଥିଲା ସେଥିରେ ପାଣି ପକାଇ ଦେଇଛନ୍ତି ନବୀନ ପଟ୍ଟନାୟକ ।
Kanak News is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ସହ ମେଂଟ ପ୍ରସଙ୍ଗରେ ଦାମୋଦର ରାଉତଙ୍କ ମନ୍ତବ୍ୟକୁ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍ । ଉଭୟ କଂଗ୍ରେସ ଓ ବିଜେପିଠାରୁ ବିଜୁ ଜନତା ଦଳ ସମଦୂରତା ବଜାୟ ରଖିଥିବା ଟ୍ୱିଟରରେ ସ୍ପଷ୍ଟ କରିଛନ୍ତି ନବୀନ । ତେବେ ରାଜ୍ୟବାସୀଙ୍କ ଆଶୀର୍ବାଦରେ ସେମାନଙ୍କ ଅଧିକାର ପାଇଁ ଲଢେଇ ଜାରି ରହିବ ବୋଲି ନିଜ ଟ୍ୱିଟର ଆକାଉଂଟରେ ଉଲ୍ଲେଖ କରିଛନ୍ତି ନବୀନ ପଟ୍ଟନାୟକ ।
୨୦୦୯ରେ ବିଜେପିଠାରୁ ସମ୍ପର୍କ ଛିନ୍ନ କରି ସଫଳତା ପାଇବା ପରେ ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା କଥା ବାରମ୍ବାର କହିଆସୁଛନ୍ତି ନବୀନ । ଏପରିକି ଚଳିତବର୍ଷ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ପୁଣିଥିରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ହେଲେ ଦଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଦ୍ୱନ୍ଦାତ୍ମକ ବୟାନ ପରେ ପୁଣି ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖିଛନ୍ତି ନବୀନ ।
ଗତକାଲି ଦେଇଥିବା ବୟାନରୁ ଆଜି ୟୁଟର୍ଣ୍ଣ ମାରିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । କଂଗ୍ରେସ ସହ ମେଂଟ ପ୍ରସଙ୍ଗରେ ମତ ବଦଳାଇ କହିଛନ୍ତି, ତାଙ୍କ କଥାର ଅର୍ଥକୁ ଅନର୍ଥ କରାଯାଉଛି । ଓଡିଶାରେ ବିଜେଡି ଏକାକୀ ୧୨୫ ଆସନରେ ଜିତିବାକୁ ସମର୍ଥ ବୋଲି ଦାମ ଦମ୍ଭୋକ୍ତି କରିଛନ୍ତି । ତଥାପି କଂଗ୍ରେସ ଅଛୁଆଁ ନୁହଁ ବୋଲି ମତ ଦେଇଛନ୍ତି । ଯେ କୌଣସି ଦଳ ସାଂପ୍ରଦାୟିକ ଶକ୍ତି ସହ ଲଢିବ ତାକୁ ବିଜେଡି ସମର୍ଥନ କରିବ ବୋଲି ଦାମ କହିଛନ୍ତି ।
ରାଜନୀତିରେ ସବୁକିଛି ସମ୍ôଭବ । ୨୪ ଘଂଟାରେ ବଦଳିଗଲା ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ସ୍ୱର । ବିଜେପି ପରି ସାଂପ୍ରଦୀୟିକ ଶକ୍ତିକୁ ଓଡିଶାରେ ରୋକିବା ପାଇଁ ଅଣବିଜେପି ଦଳ ଏକାଠି ହେବା ଦରକାର ବୋଲି ଗତକାଲି କହିଥିଲେ ଦାମ । ହେଲେ ପାର୍ଟି ସୁପ୍ରିମୋଙ୍କ ସମଦୂରତ୍ୱ ଆଭିମୁଖ୍ୟ ନେଇ ସ୍ପଷ୍ଟୀକରଣ ପରେ, ବୟାନ ବଦଳାଇବାକୁ ବାଧ୍ୟ ହେଲେ କି ଦାମ ?
ତେବେ ଦାମଙ୍କ ବୟାନକୁ ନେଇ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେଡି ଦଳକୁ ବିଶ୍ୱାସ କରି ହେବ ନାହିଁ । କଂଗ୍ରେସ ରାଜ୍ୟରେ ଏକାକୀ ଲଢିବାକୁ ସମର୍ଥ । ତେଣୁ ବିଜେଡି ପ୍ରଥମେ ନିଜ ଘର ସମ୍ଭାଳୁ ବୋଲି ନିରଞ୍ଜନ କହିଛନ୍ତି । ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ ଆଜି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମୁହଁ ଖୋଲିଛନ୍ତି । ବିଜୟ କହିଛନ୍ତି, ଏବେ ରାଜ୍ୟରେ ଯେଉଁଭଳି ପରିସ୍ଥିତି ରହିଛି ଏଥିରେ ବିଜେଡି ଓ କଂଗ୍ରେସ ମେଣ୍ଟ ହେବା କଷ୍ଟକର । ତେବେ ରାଜନୀତିରେ ସବୁକିଛି ସମ୍ଭବ ବୋଲି ସେ ମତ ଦେଇଛନ୍ତି ।ଏସବୁ ଭିତରେ ରାଜ୍ୟ ରାଜନୀତି କେଉଁ ଆଡକୁ ଗତି କରୁଛି ତାହା ଦେଖିବାକୁ ବାକି ରହିଲା ।