ନିଜ ଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧି ରଖିଲେ ଗାଉଁଲି ମହିଳା । ୧୯ ମିନିଟ୍ ଧରି ନବୀନ ଶୁଣିଲେ ଜୟନ୍ତୀ ଏକ୍କାଙ୍କ କାହାଣୀ, ସେସନ ସରିବା ପରେ ଡାକି ହାତ ମିଳାଇଲେ ନବୀନ

408

କନକ ବ୍ୟୁରୋ : ଓଡିଶାର ମହିଳା କେତେ ସଶକ୍ତ ତାର ଉଦାହରଣ ଦେଖିବାକୁ ମିଳିଛି ମେକ ଇନ ଓଡିଶା କନକ୍ଲେଭରେ । ମହିଳା ଉଦ୍ୟୋଗ କର୍ମଶାଳାରେ ପଶ୍ଚିମ ଓଡିଶାର ମହିଳା ଜୟନ୍ତୀ ଏକ୍କା ବଖାଣିଥିଲେ ନିଜ ସଫଳତାର କାହାଣୀ । ହେଲେ ଏତେ କାହାଣୀ ଥିଲା ଯେ ସମୟ କମ୍ ପଡିଥିଲା । ଜୟନ୍ତୀଙ୍କୁ ବାରମ୍ବାର ଭାଷଣ ସାରିବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ସେ କହିଚାଲିଥିଲେ । ଯେଉଁଠି ଖୋଦ୍ ଆଇଏଏସ ଅଫିସର ମାନେ ଦୁଇ ଚାରି ମିନିଟରୁ ଅଧିକ ସମୟ କହିବାକୁ ସୁଯୋଗ ପାଉନଥିଲେ । ସେଠାରେ ଜୟନ୍ତୀ ୧୯ ମିନିଟ ଧରି କହି ଚାଲିଥିଲେ । ଆଉ ଜୟନ୍ତୀଙ୍କ ଉପସ୍ଥାପନା ଏତେ ପ୍ରଭାବଶାଳୀ ଥିଲା ଯେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ କଥାକୁ ବେଶ ଆଗ୍ରହର ସହ ଶୁଣିଥିଲେ । ଏପରିକି ମଝିରେ ମଝିରେ ଜୟନ୍ତୀଙ୍କ ମଜାଳିଆ କଥାରେ ମୁଖ୍ୟମନ୍ତ୍ରୀ ହସୁଥିବାର ଦୃଶ୍ୟ କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ।

ମେକ୍ ଇନ୍ ଓଡିଶାର ମହିଳା ଉଦ୍ୟୋଗ କର୍ମଶାଳାରେ ସଫଳତାର କାହାଣୀ କହି ଚାଲିଥିଲେ ପଶ୍ଚିମ ଓଡିଶାର ମହିଳା ଜୟନ୍ତୀ ଏକ୍କା । ମିଶନ ଶକ୍ତି ତାଙ୍କ ଜୀବନରେ କେମିତି ପରିବର୍ତନ ଆଣିଛି, ସେ କଥା କହୁଥିବା ସମୟରେ ଭାଷଣ ଶେଷ କରିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ନିଜ କାହାଣୀ ନ ସରିବା ପର୍ଯ୍ୟନ୍ତ ଜୟନ୍ତୀ ଚୁପ୍ ରହିନଥିଲେ ।

କିପରି ଏସଏଚଜି ଗ୍ରୁପ କାମ କରୁଛନ୍ତି । ଆରମ୍ଭ କେମିତି ଥିଲା , ଲୋନ କିପରି ମିଳିଥିଲା , ସେସବୁ କଥା କହୁଥିଲେ ଜୟନ୍ତୀ । କେମିତି ତିଆରି ହେଉଥିଲା ଛତୁଆ । ମେସିନ କିପରି ବସାଗଲା ଗୋଟି ଗୋଟି କରି ଉପସ୍ଥାପନ କରୁଥିଲେ ଜୟନ୍ତୀ । ଯାହାକୁ ବେଶ ଆଗ୍ରହ ସହକାରେ ଶୁଣୁଥିଲେ ମୁଖ୍ୟମନ୍ତ୍ରୀ । ଏପରିକି ଅଫିସର ମାନଙ୍କୁ ମଧ୍ୟ ନିଜ ଭାଷଣରେ ବାନ୍ଧି ରଖିଥିଲେ ଜୟନ୍ତୀ । କିନ୍ତୁ ସମୟ ଅଭାବରୁ ତାଙ୍କୁ ଭାଷଣ ସାରିବାକୁ କୁହାଯାଇଥିଲା । ହେଲେ ଜୟନ୍ତୀଙ୍କ କହିବା ହେଲା, ଏସଏଚଜି ମହିଳା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆଜି ତାଙ୍କ କଥା ଶୁଣିବାକୁ ବାଧ୍ୟ ।ଏହା ଶୁଣି ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ମିତ ହସ ଦେଇଥିଲେ ଆଉ ତାଙ୍କର ସବୁକଥା ଶୁଣିଥିଲେ । ଏ

ବାରମ୍ବାର ରୋକିବାରେ ଆୟୋଜକ ବିଫଳ ହେବା ପରେ ଜୟନ୍ତୀ ଏମିତି କହିଚାଲିଥିଲେ ସଫଳତାର କାହାଣୀ । ଶେଷରେ ରୋକାଯିବାରୁ ଜୟନ୍ତୀ କହିଥିଲେ ସରି ସରି । କିନ୍ତୁ ଆୟୋଜକମାନେ ତାଙ୍କୁ ଧନ୍ୟବାଦ ଦେବା ସହିତ ସମୟ ନଥିବାରୁ ପରବର୍ତି ସେସନରେ କହିବେ ବୋଲି ଆଶ୍ୱାସନା ଦେଇଥିଲେ । ଆଉ ତାପରେ ସରିଥିଲା ସେସନ । ସେସନ ପରେ ମୁଖ୍ୟମନ୍ତ୍ରୀ ଜୟନ୍ତୀଙ୍କୁ ଡାକି ତାଙ୍କ ବାବଦରେ ପଚାରିବା ସହ ହାତ ମିଳାଇଥିଲେ ।