ରାତାରାତି ବଦଳିଗଲା ନିଷ୍ପତି ! ଯୁବ ନେତାଙ୍କ ବିଦ୍ରୋହ ଆଗରେ ମୁଣ୍ଡ ନୁଆଁଇଲେ ନବୀନ

30

କନକ ବ୍ୟୁରୋ : ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ରାତାରାତି ବଦଳିଛି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ୧୫ ଦିନ ତଳେ ଘୋଷିତ ଯୁବ କମିଟିରେ ଅମରେଶ ପତ୍ରୀଙ୍କୁ ରାଜ୍ୟ ସଭାପତି କରାଯାଇଥିଲା । ସେହି ଅମରେଶଙ୍କୁ ଗତକାଲି ରାତିରେ ଜୋନ୍ ସଂଯୋଜକ ଭାବେ ଏକ ପ୍ରେସ ଇସ୍ତହାର ଜରିଆରେ ପୁନଃ ଘୋଷଣା କରାଗଲା । ହେଲେ ରାତାରାତି ବିଦ୍ରୋହ ପରେ ଆଜି ପୁଣି ଥରେ ଅମରେଶଙ୍କୁ ରାଜ୍ୟ ସଭାପତି ସହ ଭୁବନେଶ୍ୱର ଜୋନ୍ ସଂଯୋଜକ ଦାୟିତ୍ୱ ଦିଆଗଲା ।

ଏପ୍ରିଲ୍ ୧୪ ୨୦୧୭ରେ ଯୁବ ଓ ଛାତ୍ର ବିଜେଡିର ନୂଆ କମିଟି ଘୋଷଣା କରିଥିଲେ ବିଜେଡି ଉପ-ସଭାପତି ସୂର୍ଯ୍ୟ ପାତ୍ର । ଯେଉଁଥିରେ ରାଣା ପ୍ରତାପ ପାତ୍ର ଛାତ୍ର ସଭାପତି ହୋଇଥିବାବେଳେ ଅମରେଶ ପତ୍ରୀ ହେଲେ ଯୁବ ସଭାପତି । କମିଟିରେ ଚାରି ଜଣ ବିଧାୟକ ରହିଲେ ପରାମର୍ଶଦାତା ।

ଗତକାଲି ରାତାରାତି ପ୍ରେସ୍ ଇସ୍ତହାର ଜରିଆରେ ବିଜେଡି ଉପ-ସଭାପତି ସୂର୍ଯ୍ୟ ପାତ୍ର ପୁଣି ଘୋଷଣା କଲେ ଯେ ଯୁବ ବିଜେଡି ପାଇଁ ୬ଟି ଜୋନ୍ କରାଗଲା । ଯେଉଁଥିରେ ଅମରେଶ ପତ୍ରୀ ଭୁବନେଶ୍ୱର ଜୋନ୍ ସଂଯୋଜକ । ଅମରେଶ ଜୋନ୍ ସଂଯୋଜକ ନା ରାଜ୍ୟ ସଭାପତି? ଏନେଇ ଦଳ ଭିତରେ ଓ ବାହାରେ ବଢିଲା ଦ୍ୱନ୍ଦ୍ୱ । ଦ୍ୱନ୍ଦ୍ୱ ବଢିଲା କାରଣ ପରାମର୍ଶଦାତା କମିଟିରେ ନଥିଲା ସେହି ପୁରୁଣା ବିଧାୟକଙ୍କ ନାଁ । କାର୍ଯ୍ୟକାରୀ ସଭାପତି ଓ ମହାସଚିବ ବି ପାଲଟି ଯାଇଥିଲେ ଜୋନ୍ ସଂଯୋଜକ ।

ତେବେ ନୂଆ କମିଟିକୁ ନେଇ ବଢିଥିଲା ଅସନ୍ତୋଷ । ବିଳମ୍ବିତ ରାତି ଯାଏଁ ବିଜେଡି କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ପ୍ରତିବାଦ କରିଥଲେ ବିଜେଡି ସଦସ୍ୟ ।

ବିଜେଡି କାର୍ଯ୍ୟାଳୟରେ ଥିବା ଯୁବ ସଭାପତି କକ୍ଷରେ ବସିଥିଲେ କିଛି କର୍ମୀ । ହେଲେ ଆସିଲେ ନାହିଁ ଅମରେଶ ପତ୍ରୀ । ଦଳୀୟ ବିଦ୍ରୋହ ସକାଳୁ ସକାଳୁ ତରବାରିଆ ଭାବେ ପୁଣି ବଦଳିଲା ଯୁବ କମିଟିର ରୂପରେଖ । ସେହି ସୂର୍ଯ୍ୟ ପାତ୍ର ପୁଣି ଘୋଷଣା କଲେ ପୁରୁଣା କମିଟି ବଦଳିନି । ଦଳର ଶକ୍ତି ବୃଦ୍ଧି ପାଇଁ ପୁରୁଣା ସଦସ୍ୟଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ ।

ବୟସରେ କମ୍ ହୋଇଥିବାରୁ ଅମରେଶଙ୍କ ସଭାପତି ପଦକୁ ପୁରୁଣା କର୍ମୀ ସହଜରେ ହଜମ କରି ପାରିଲେ ନାହିଁ । ଏପରିକି ଦଳର ପ୍ରଭାବଶାଳୀ ନେତାଙ୍କ ପାଖରେ ଏହା ବିରୋଧରେ ଫେରାଦ୍ ହୋଇଥିବା ବି ସୂଚନା ମିଳିଛି । ଦଳରେ ବଢୁଥିବା ଅସନ୍ତୋଷକୁ ରୋକିବା ପାଇଁ ନୂଆ କମିଟି ହୋଇଥିବା ଚର୍ଚ୍ଚା ହେଉଛି । ଯେଉଁଥି ପାଇଁ ନବୀନଙ୍କ ମୋହରରେ ବଦଳିଲା ଯୁବ କମିଟିର ପଦ ଓ ମର୍ଯ୍ୟଦା । ପ୍ରଶ୍ନ ଉଠୁଛି, ବାରମ୍ବାର ବିଦ୍ରୋହର ଭୟରୁ କଣ ନବୀନ ବି ନିଜ ନିଷ୍ପତ୍ତି ବଦଳଯାଉଥିବାକୁ ବାଧ୍ୟ ହେଉଛନ୍ତି ।