ଧାଡିରେ ଛିଡା ହେଲେ , ଭୋଟ ଦେଲେ ନବୀନ । କହିଲେ, ୨୦୧୯ରେ ଭଲ ପ୍ରଦର୍ଶନ କରିବ ବିଜେଡି

639

କନକ ବ୍ୟୁରୋ : ଗଣତନ୍ତ୍ରର ସବୁଠୁ ବଡ ପର୍ବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାସହ ନିଜର ମୂଲ୍ୟବାନ ଭୋଟ ଦେଇଛନ୍ତି ନବୀନ । ଭୁବନେଶ୍ୱର ଏକାମ୍ର ନିବାର୍ଚନମଣ୍ଡଳୀର ଭୋଟର ଭାବେ ଭୋଟ ଦେଇଛନ୍ତି ନବୀନ । ଏକାମ୍ର ନିର୍ବାଚନମଣ୍ଡଳୀର ୧୧୨ ନମ୍ବର ବୁଥ୍ ଏରୋଡ୍ରମ କଲୋନୀ ୟୁପି ସ୍କୁଲରେ ଭୋଟ ଦେଇଛନ୍ତି ବିଜେଡି ସୁପ୍ରିମୋ । ସକାଳୁ ସକାଳୁ ଏହି କେନ୍ଦ୍ରରେ ଭୋଟ ଦେବାକୁ ଭୋଟର ମାନେ ଲମ୍ବା ଲାଇନରେ ଛିଡା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି ।

ଭୋଟ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ବୟାନ ଦେଇଛନ୍ତି । ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ନବୀନ । ୪ଟି ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟ ପାଇଁ ଭୋଟଗ୍ରହଣ ଚାଲିଛି । ମୋଟ ୬ ଲୋକସଭା ଓ ୪୨ ବିଧାନସଭା ଭୋଟଗ୍ରହଣ ଚାଲିଛି । ଏହାପରେ ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଓ ୪୧ ବିଧାନସଭା ଭୋଟ ଗ୍ରହଣ କରାଯିବ । କେବଳ ପାଟକୁରାରେ ବିଜେଡି ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁଁ ଏଠାରେ ନିର୍ବାଚନକୁ ସ୍ଥଗିତ କରାଯାଇଛି ।

ନବୀନଙ୍କ ପୂର୍ବରୁ ବିଜେଡିର କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି କଟକରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଲମ୍ବା ଲାଇନରେ ଛିଡା ହେବା ସହ ଭୋଟ ଦେଇଛନ୍ତି ଅନୁଭବ । ସେହିଭଳି ଖଣ୍ଡପଡାରୁ ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଖଣ୍ଡପଡାରେ ଭୋଟ ଦେଇଛନ୍ତି । ସେହିଭଳି ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ, ନଳିନୀ ପ୍ରଧାନ ପ୍ରମୁଖ ନିଜ ଅଞ୍ଚଳରେ ଭୋଟ ଦେଇଛନ୍ତି । ଏହାଛଡା ଅନ୍ୟ ମାନଙ୍କୁ ମଧ୍ୟ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ପରିବାରବର୍ଗଙ୍କ ସହ ଲମ୍ବା ଲାଇନରେ ଛିଡା ହେବା ସହ ଭୋଟ ଦେଇଛନ୍ତି । ସେହିଭଳି ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ନିଜର ମୂଲ୍ୟବାନ ଭୋଟ ଦେଇଛନ୍ତି । କଂଗ୍ରେସ ନେତାଙ୍କ ମଧ୍ୟରୁ କଟକ ଲୋକସଭା ପ୍ରାର୍ଥୀ ପଞ୍ଚାନନ କାନୁନଗୋ ଓ ଜଟଣୀ ବିଧାନସଭା ପ୍ରାର୍ଥୀ ସୁର ରାଉତରାୟ ମଧ୍ୟ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି । ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ପାଖାପାଖି ୯୨ ଲକ୍ଷ ଭୋଟର ଏହି ପର୍ଯ୍ୟାୟରେ ଭୋଟ ଦେବେ ।