ସୁନ୍ଦରଗଡ଼ ଜିଲ୍ଲାରେ ବୁଲିଲା ବିଜେଡି ସୁପ୍ରିମୋଙ୍କ ହାଇଟେକ୍ ବସ! ନିର୍ବାଚନ ସଭାରେ ନବୀନ କହିଲେ, ଅଟକିବନି କାଳିଆ ଟଙ୍କା । ଜୁଏଲଙ୍କୁ ମାରିଲେ ତେରଛା ବାଣ
କନକ ବ୍ୟୁରୋ : କାଳିଆକୁ ଯୋଜନାକୁ ଅଟକାଇ ପାରିବେନି କେହି । ନିର୍ବାଚନୀ ପ୍ରଚାର ଏଭଳି ଦୃଢୋ଼କ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ ଏକାଧିକ ଜନସଭା ଏବଂ ଏକ ବିରାଟ୍ ରୋଡ୍ ସୋ’ କରିବା ସହ ସିଧାସଳଖ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଛନ୍ତି । କାଳିଆ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ରର ମୋଦି ସରକାର ଚକ୍ରାନ୍ତ କରୁଥିବା ନବୀନ ଅଭିଯୋଗ କରିଥିବା ବେଳେ କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ, ସୁପର ସ୍ପେଶାଲିଟି ହସ୍ପିଟାଲ, ଆଦିବାସୀ ଅଂଚଳ ବିକାଶର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଯେଉଁ କାଳିଆ ଯୋଜନାକୁ ନେଇ ଗତକାଲି ନିର୍ବାଚନ ଅଧିକାରୀଙ୍କ ପାଖରେ ପହଂଚିଥିଲେ ନବୀନ, ଆଜି ସେହି କାଳିଆ ପ୍ରସଙ୍ଗରେ ସିଧାସଳଖ ଜନସଭାରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି-କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଚାଲିଛି । ହେଲେ ଯୋଜନାକୁ ବନ୍ଦ ହେବାକୁ ଦେବେ ନାହିଁ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ନବୀନ ।
ସେହିପରି ମୋଦି ସରକାରଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି-ଚାଷୀଙ୍କୁ ଦୁଇଗୁଣା ଏମଏସପି କୁଆଡେ ଗଲା? ବ୍ରହ୍ମଣୀ ଉପରେ ଦ୍ୱିତୀୟ ସେତୁ ହେବ କେବେ? ଏହା ବ୍ୟତୀତ ସୁନ୍ଦରଗଡ଼ର ତୁଙ୍ଗ ନେତା ଜୁଏଲ ଓରାମଙ୍କୁ ଇଙ୍ଗିତ କରି କହିଛନ୍ତି- ଏଠି ଜଣେ କେନ୍ଦ୍ରମନ୍ତ୍ରୀ ଅଛନ୍ତି ଯିଏ କିଛି କରନ୍ତି ନାହିଁ ବୋଲି ଅଭିଯୋଗ କରିଛନ୍ତି ।
ଏପଟେ କାଳିଆ ଯୋଜନା ସଂପର୍କରେ ପ୍ରତିକ୍ରିୟା ରଖିଛି ବିଜେପି । ଦଳ କହିଛି-ପିଏମ୍ କିଷାନ୍ ଯୋଜନା ପାଇଁ ତାଲିକା ଦେଇନଥିବା ରାଜ୍ୟ ସରକାର ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛି । ରାଜନୀତିର ଏହି ଆରୋପ-ପ୍ରତ୍ୟାରୋପ ଭିତରେ କିନ୍ତୁ ବିରୋଧୀଙ୍କ ସବୁ ରଣନୀତିକୁ କାଉଁଟର କରିବା ପାଇଁ ନିଜେ ମଂଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ । ବସରେ ବୁଲୁଛନ୍ତି ବିଜେଡି ମୁଖିଆ । ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସୂଚନା ଦେଇ ନବୀନ କହିଛନ୍ତି , ୧୫୦ ଜନସଭା ଓ ହଜାରେ କିଲୋମିଟରର ରୋଡ ସୋ କାର୍ଯ୍ୟକ୍ରମ ରହିଛି ।