ଯେବେ ଏକାଠି ହେବେ ନବୀନ-ବିଜୟ! ବଦଳୁଛି ରାଜନୀତି, ବଦଳିବ ମିଜାଜ୍? ବିଜେଡି ଆପଣାଇବ, ଶକ୍ତି ବଢାଇବ?

59

କନକ ବ୍ୟୁରୋ : ଦୀର୍ଘ ୧୮ ବର୍ଷ ପରେ ଗୋଟିଏ ମଞ୍ଚରେ ଏକାଠି ହେବେ ରାଜ୍ୟ ରାଜନୀତିର ଦୁଇ ହେଭିୱେଟ ନେତା । ଆସନ୍ତାକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଦ ଟଲ ମ୍ୟାନ ରାଜ୍ୟର ଦୁଇ ପୁରୁଖା ନେତାଙ୍କୁ ଏକାଠି କରିବ । ଦେଖିବାକୁ ମିଳିବ ଏକ ବିରଳ ଦୃଶ୍ୟ । ଗୋଟିଏ ମଞ୍ଚରେ ଚେୟାର ସେୟାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ରାଜନୀତିର ଏକଦା କ୍ଷମତାଶାଳୀ ବିଜୟ ମହାପାତ୍ର । ଆଉ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଜୋରଦାର ଚର୍ଚ୍ଚା । କିନ୍ତୁ ଏହି ମହାମିଳନକୁ ରାଜନୈତିକ ବିଶାରଦ ମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । କୁହାଯାଉଛି ଏହି ପୁସ୍ତକ ଉନ୍ମୋଚନ ଉତ୍ସବ ରାଜ୍ୟ ତଥା ଜାତୀୟ ରାଜନୀତିର ଭବିଷ୍ୟତ ନିର୍ଦ୍ଧାରଣ କରିବ । ଏପରିକି ଏହି ମଞ୍ଚରୁ ସୃଷ୍ଟି ହେବ ଅନେକ ସମ୍ଭାବନା । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଅନେକ ଜାତୀୟ ସ୍ତରର ନେତା ଯୋଗଦେବେ । ଏପରିକି ବିଜୁ ଅମଳର ନେତା ଯେପରିକି ଲାଲକୃଷ୍ଣ ଆଡଭାନୀ, ଏଚ.ଡି ଦେବଗୌଡାଙ୍କ ଭଳି ବର୍ଷିୟାନ ନେତା ଯୋଗଦେବେ । କିନ୍ତୁ ସମସ୍ତଙ୍କ ନଜର ରହିବ ନବୀନ-ବିଜୟଙ୍କ ଉପରେ । ଏଥିସହ ଉତ୍ସବରେ ସାମିଲ ହେବାକୁ ଥିବା ବିଜୁ ଅମଳର ନେତା ମଧ୍ୟ ଫୋକସରେ ରହିବେ । କାରଣ ବଦଳୁଥିବା ପରିସ୍ଥିତିରେ ପୁଣି ମୁଳ ଜନତା ଦଳର ନେତା ଏକାଠି ହେବେନି, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

bijay naveenଆସନ୍ତାକାଲି ବିଜୁଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଦ ଟଲ ମ୍ୟାନ’ ଉନ୍ମୋଚନ ହେବ । ତେଣୁ ବିଜୁ ପରିବାରର ସମସ୍ତ ନେତା ତଥା ରାଜ୍ୟ ଓ ଜାତୀୟ ରାଜନୀତିର ଅନେକ ନେତାଙ୍କୁ ଏହି ଉତ୍ସବକୁ ଡକାଯାଇଛି । ଏପରିକି ବିଜୁଙ୍କ ଅନୁଗତ ଥିବା ତଥା ବିଜେଡି ଗଠନରେ ଯେଉଁମାନେ ପ୍ରମୁଖ ଭୂମିକା ଥିଲା ଆଉ ସମୟ ଚକ୍ରରେ ଦଳରୁ ବିଦା ହୋଇଥିଲେ ସେମାନଙ୍କୁ ମଧ୍ୟ ଗତକାଲି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ । ସେ ବିଜୟ ହୁଅନ୍ତୁ ଅବା ଦିଲ୍ଲୀପ ରାୟ । ଦୀର୍ଘଦିନ ଧରି ବିଜେଡି ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ଏହି ନେତା ନବୀନଙ୍କ ସହ ମଂଚ ସେୟାର କରିବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି ନବୀନ ଓ ବିଜୟଙ୍କ ଭିତରେ ଟଣାଯାଇଥିବା ଲକ୍ଷ୍ମଣରେଖାକୁ ଏହି ପୁସ୍ତକ ଲିଭାଇବାରେ ସହାୟକ ହେବ ।

ଏଭଳି କଥା ଏଥିପାଇଁ ଉଠୁଛି, କାରଣ ଏବେ କେନ୍ଦ୍ରାପଡାରେ ବିଜେଡି ଏବେ ସାଂସଦ ବୈଜୟନ୍ତଙ୍କ ସହ ଲଢୁଛି ବଡ ଲଢେଇ । ଏପରିକି ବୈଜୟନ୍ତଙ୍କୁ ନିଲମ୍ବନ କରିବା ପରେ କେନ୍ଦ୍ରାପଡାରେ ବିଜେଡି ପାଇଁ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ଲୋକପ୍ରିୟତାକୁ ପ୍ରତିହତ କରିବା ପାଇଁ ତଥା ବିଜେଡି ପାଇଁ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ବିଜୟଙ୍କୁ ଏକ ନୂଆ ଭୂମିକାରେ ଅବତୀର୍ଣ୍ଣ କରିବାକୁ ବିଜେଡି ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । କାରଣ ବୈଜୟନ୍ତଙ୍କୁ ଚେକମେଟ ଦେବା ପାଇଁ ବିଜୟ ହିଁ ଏକ ଅସ୍ତ୍ର ହୋଇପାରନ୍ତି । ଆଉ ଏହାର ପୁନାଦି ଆସନ୍ତାକାଲି ହେବାକୁ ଥିବା ପୁସ୍ତକ ଉନ୍ମୋଚନ ମଞ୍ଚରେ ପଡିବ ବୋଲି ଚର୍ଚ୍ଚା ହେଉଛି । ତେବେ ଯଦି ଏପରି ହୁଏ ଦୀର୍ଘ ୧୮ ବର୍ଷ ପରେ ପୁଣିଥରେ ଦଳକୁ ଫେରିପାରନ୍ତି ବିଜୁ ପରିବାରର ପୁରୁଣା ନେତା । ଆଉ ପାରମ୍ପରିକ ବିରୋଧୀଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିପାରେ । ଏପରିକି ପଞ୍ଚାୟତ ନିର୍ବାଚନ ପରେ ନବୀନ କହିଥିଲେ ପୁରୁଣା ନେତା ଦଳକୁ ଫେରିଲେ ତାଙ୍କୁ ସ୍ୱାଗତ କରାଯିବ । ତେବେ ବିଜେପିରେ ଅଲୋଡା ହୋଇ ପଡିଥିବା ବିଜୟ ମହାପାତ୍ର ମଧ୍ୟ କିଛିଦିନ ପୂର୍ବେ କହିଥିଲେ, ସେ ୨୦୦୦ ମସିହା କଥା ଅର୍ଥାତ ପୁରୁଣା କଥା ସମ୍ପୂର୍ଣ୍ଣ ଭୂଲି ସାରିଛନ୍ତି । ଆଉ ଏହି ଦୁଇ ହେଭିୱଟ ନେତାଙ୍କ ବୟାନ ନିଶ୍ଚିତ ଭାବେ ଏକ ବଡ ଧରଣର ପରିବର୍ତ୍ତନକୁ ସୂଚାଉଛି । ତେବେ ଆସନ୍ତାକାଲିିର ପୁସ୍ତକ ଉନ୍ମୋଚନ କଣ ନବୀନ-ବିଜୟଙ୍କ ଭିତରେ ଥିବା ମନୋମାଳିନ୍ୟକୁ ଦୂର କରିପାରିବ? ନବୀନ କଣ ପୁଣିଥରେ ବିଜୟଙ୍କୁ ଦଳକୁ ଫେରେଇନେବେ? ରାଜନୈତିକ ସମୀକରଣ ନବୀନ- ବିଜୟଙ୍କ ଭିତରେ ଦୂରତା କମାଇପାରିବ କି? କାରଣ ବିଜୟଙ୍କୁ ଯେଉଁଭଳି ଭାବେ ବିଜେଡିରୁ ବିଦା କରାଯାଇଥିଲା ତାହା ଏବେ ମଧ୍ୟ ଓଡ଼ିଶା ରାଜନୀତିର ଏକ କଳା ଅଧ୍ୟାୟ ହୋଇ ରହିଛି ।

କଣ ଥିଲା ସେହି ପୁରୁଣା ଘଟଣାବଳୀ ଯାହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିବା ସହ ବିଜୟ-ନବୀନଙ୍କ ମଧ୍ୟରେ ଟାଣି ଦେଇଥିଲା ଲକ୍ଷ୍ମଣରେଖା :
bijay and navvenରାଜ୍ୟ ରାଜନୀତିର ଭୀଷ୍ମ ପିତାମହ ବିଜୟ ମହାପାତ୍ର । ପାଖାପାଖି ଦୁଇ ଦଶନ୍ଧି ଧରି ପାୱାର କରିଡରର ଛାଇ ମାଡିନାହାନ୍ତି ଏହି ଧୁରନ୍ଧର ନେତା, ହେଲେ ଆଜି ବି ତାଙ୍କ ନାଁ ପଡିଲେ ରାଜ୍ୟ ରାଜନୀତିରେ ସୃଷ୍ଟି ହୁଏ କମ୍ପନ । ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଭାବେ ୧୯୮୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ କ୍ରମାଗତ ଚାରି ଥର ପାଟକୁରା ବିଧାନସଭା ଆସନକୁ ନିଜ କବଜାରେ ରଖିଥିଲେ ବିଜୟ । ୧୯୯୦ ମସିହାରେ ବିଜୁବାବୁଙ୍କ ସରକାରରେ ସେ ଥିଲେ ସବୁଠୁ ପାୱାରଫୁଲ । ଜଳସେଚନ ମନ୍ତ୍ରୀ ଥିବା ବିଜୟ ଥିଲେ ମନ୍ତ୍ରିମଣ୍ଡଳରେ ନମ୍ବର ଟୁ ମିନିଷ୍ଟର । ତାଙ୍କର ବିନା ସହମତିରେ ଇଂଚେ ଗଡୁନଥିଲା ଶାସନ କଳ ।ବିଜୁବାବୁଙ୍କ ପରେ ସେ ଥିଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର । ବିଜୁବାବୁଙ୍କ ଦେହାନ୍ତ ପରେ ତାଙ୍କରି ନାମରେ ବିଜୁ ଜନତା ଦଳ ପ୍ରତିଷ୍ଠା କରିବାରେ ଥିଲା ବିଜୟଙ୍କ ବଳିଷ୍ଠ ଭୂମିକା । ମାତ୍ର କିଛି ଦିନ ମଧ୍ୟରେ ବଦଳି ଯାଇଥିଲା ବିଜୟ ମହାପାତ୍ରଙ୍କ ରାଜନୈତିକ ଜୀବନର ମୋଡ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବିରୋଧ କରିବା, ତାଙ୍କ ପାଇଁ ପଡିଥିଲା ମହଙ୍ଗା । ନବୀନ ପଟ୍ଟନାୟକ ମଧ୍ୟ ବିଜୟଙ୍କ ଭଳି ପ୍ରତିଦ୍ୱ୍ନ୍ଦ୍ୱି ଯୋଗୁଁ ଦଳ ଭିତରେ ଅସୁରକ୍ଷିତ ମଣୁଥିଲେ । ଶେଷରେ ନବୀନଙ୍କ ରାଜନୈତିକ ଗୋଟି ଚାଳନାରେ ମାତ୍ ଖାଇଥିଲେ ବିଜୟ ।

ବିଜେଡିର ରାଜନୈତିକ ବ୍ୟାପାର କମିଟି ମୁଖ୍ୟ ଭାବେ ୨୦୦୦ ମସିହା ନିର୍ବାଚନରେ ଦଳୀୟ ରଣନୀତି ଚୂଡାନ୍ତ କରୁଥାନ୍ତି ବିଜୟ । ହେଲେ ନାଟକୀୟ ମୋଡ ନେଉଥାଏ ଇତିହାସ । ପ୍ରସ୍ତୁତ ହୋଇ ସାରିଥାଏ ଷଡଯନ୍ତ୍ରର ବ୍ଲୁପ୍ରିଣ୍ଟ । ଶେଷ ମୁହୂର୍ତରେ ଦଳୀୟ ଟିକେଟରୁ ବଞ୍ଚିତ ହୁଅନ୍ତି ବିଜୟ ।ଏହି ଷଡଯନ୍ତ୍ର ଏଭଳି ଭାବେ ହୋଇଥିଲା ଯେ, ଏହାର ସାମାନ୍ୟତମ ଟେର ମଧ୍ୟ ପାଇନଥିଲେ ବିଜୟ । ଘଟଣାଟି ଏପରି ଥିଲା, ୨୦୦୦ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଭାଗ ନେଇଥିଲା ବିଜୁଙ୍କ ଆଦର୍ଶକୁ ନେଇ ଗଢିଉଠିଥିବା ବିଜୁ ଜନତା ଦଳ । ବିଜେପି ସହ ମେଣ୍ଟ କରି ଓଡିଶା ଦଖଲ ପାଇଁ ଆରମ୍ଭ ହୋଇଥିଲା ଅଭିଯାନ । ବିଜେଡିର ସଭାପତି ନବୀନଙ୍କ ନେତୃତ୍ୱରେ ଲଢିବା ପାଇଁ ପ୍ରସ୍ତୁତ ହେଉଥିଲା ବିଜେଡି-ବିଜେପି ମେଣ୍ଟ । ଦଳରେ ନବୀନଙ୍କ ବ୍ୟତୀତ ଥିଲେ ବିଜୟ ମହାପାତ୍ର, ଦିଲୀପ ରାୟ, ନଳିନୀ ମହାନ୍ତିଙ୍କ ଭଳି ହେଭିୱେଟ ନେତା । ଏହି ସମୟରେ ବିଜୟ ରାଜନୈତିକ ବ୍ୟାପାର କମିଟିର ଅଧ୍ୟକ୍ଷ ଭାବେ ନିର୍ବାଚନ ନେଇ ଦଳୀୟ ରଣନୀତି ପ୍ରସ୍ତୁତ କରୁଥାନ୍ତି । ଏପରିିକି ଟିକେଟ ବଣ୍ଟା ଠାରୁ ଆରମ୍ଭ କରି ନିର୍ବାଚନର ସମସ୍ତ କଥା ବୁଝୁଥିଲେ ବିଜୟ ।

naveen_patnaik_bjd_20040209ନାମାଙ୍କନପତ୍ର ପାଇଁ ତାରିଖ ବଢିବା ସହ ବଢୁଥାଏ ଉତ୍ସୁକତା । ଆଉ ଏହି ସମୟରେ ବିଜେଡି ଟିକେଟରେ ପାଟକୁରା ଆସନରୁ ନାମାଙ୍କନପତ୍ର ଦାଖଲ କରିଥାନ୍ତି ବିଜୟ । କିନ୍ତୁ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ସବୁକିଛି ଓଲଟପାଲଟ ହୋଇଗଲା । ବଦଳିଗଲା ରାଜନୀତିର ଚିତ୍ର । ନାମାଙ୍କନପତ୍ର ଦାଖଲ କରିବା ପରେ ବିଜୟ ଭୁବନେଶ୍ୱର ଫେରି ଦଳୀୟ କଥା ବୁଝୁଥିବା ବେଳେ ଶେଷ ଘଣ୍ଟାକ ମଧ୍ୟରେ ଓଡ଼ିଶା ଇତିହାସ ପାଇଁ ଏକ ନୂଆ ଅଧ୍ୟାୟ ଅପେକ୍ଷା କରି ରହିଥିଲା । ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚଥିଲେ ଅତନୁ ସବ୍ୟସାଚୀ ନାୟକ । ହାତରେ ଥିଲା ଦୁଇଟି ଲଫାପା । ଆଉ ଏହି ବନ୍ଦ ଲଫାପା ହିଁ ବଦଳାଇ ଦେଇଥିଲା ବିଜୟଙ୍କ ରାଜନୈତିକ କ୍ୟାରିୟର । ଗୋଟିଏ ଲଫାପା ଭିତରେ ବିଜୟଙ୍କ ବିଜେଡି ଟିକେଟ କଟିଥିବାର ପ୍ରମାଣ ଓ ଅନ୍ୟ ଲଫାପା ଭିତରେ ଅତନୁଙ୍କ ପାଇଁ ଆସିଥିଲା ବିଜେଡି ଟିକେଟ । ଶେଷ ମୂହୂର୍ତ୍ତରେ ବିଜୟଙ୍କ ଟିକେଟ କାଟି ନବୀନ ଖେଳିଥିଲେ ଏକ ମାଷ୍ଟରଷ୍ଟ୍ରୋକ । ବିଜୟଙ୍କ ଟିକେଟ ଏମିତି ସମୟରେ କଟାଯାଇଥିଲା ଯେ, ବିଜୟ ସ୍ୱାଧୀନ ଭାବେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରି ପାରିନଥିଲେ । ଆଉ ସେବେଠାରୁ ବିଜୟଙ୍କ ପାଇଁ ବିଧାନସଭା ବାଟ ବନ୍ଦ ହୋଇଯାଇଥିଲା ।

book-releaseଏହାଭିତରେ ୪ଟି ନିର୍ବାଚନ ବିତିଯାଇଥିଲେ ମଧ୍ୟ ବିଜୟ ପାଇନାହାନ୍ତି ବିଜୟର ସ୍ୱାଦ । ଗତ ୪ଟି ନିର୍ବାଚନରେ ପରାଜିତ ହୋଇ ବିଧାନସଭା ଭିତରକୁ ମଧ୍ୟ ଯାଇପାରିନାହାନ୍ତି ବିଜୟ । ନୂଆ ଦଳ ଓଡ଼ିଶା ଗଣ ପରିଷଦ ଗଠନ କରି ବିଫଳ ହୋଇଛନ୍ତି ସେ । ରାଜ୍ୟ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା ପାଇଁ ଏନସିପିରେ ମିଶିଛନ୍ତି, ମାତ୍ର ସଫଳତାର ଗୋଟିଏ ବି ସିଡି ଚଢିବା ସମ୍ଭବ ହୋଇନି ତାଙ୍କ ପାଇଁ । ବିଜେପିରେ ଯୋଗ ଦେଇ ମୋଦିଙ୍କ ହାୱାରେ ୨୦୧୪ ନିର୍ବାଚନ ବୈତରଣୀ ପାରି ହେବା ଉଦ୍ୟମ ମଧ୍ୟ ବ୍ୟର୍ଥ ହୋଇଛି ତାଙ୍କର । ଆଉ ଏବେ ବିଜେପିରେ ବି କଣଠେସା ହୋଇପଡିଛନ୍ତି । ବିଫଳତାର ତାଲିକା ଏତେ ଲମ୍ବା ଯେ ଅନ୍ୟ କେହି ନେତା ହୋଇଥିଲେ ଅଦୃଶ୍ୟ ହୋଇ ସାରନ୍ତେଣି ରାଜନୀତି ମଇଦାନରୁ । ଏହି ଦୃଷ୍ଟିରୁ ବିଚାର କଲେ ବିଜୟ ମହାପାତ୍ର ହେଉଛନ୍ତି ରାଜ୍ୟ ରାଜନୀତିର ବିସ୍ମୟ । ୧୮ ବର୍ଷ ଧରି ବିଧାନସଭା ବାଟ ବନ୍ଦ ହୋଇଥିଲେ ବି କମିନାହିଁ ତାଙ୍କର ରାଜନୈତିକ ଗୁରୁତ୍ୱ । ଆଜି ବି ତାଙ୍କ ମୁହଁରୁ କଥା ପଦେ ବାହାରିଲେ, ଛାଇ ଯାଉଛି ଗଣମାଧ୍ୟମରେ । ହଲଚଲ କରିଦେଇଥାଏ ରାଜନୈତିକ ପରିବେଶକୁ । ଆଉ ଏହାରି ଭିତରେ ନବୀନ-ବିଜୟ ଭେଟଘାଟ ଆଗକୁ କେଉଁମୋଡ ନେଉଛି, ତା’ଉପରେ ନଜର ।