ସବୁଜ ଶିବିରରୁ ଆକ୍ରମଣରେ ଘାଇଲା ଗେରୁଆ । ମୋବାଇଲର ଉଦାହରଣ ଦେଇ ମୋଦି ସରକାରକୁ ଟାର୍ଗେଟ କଲେ ନବୀନ

516

କନକ ବ୍ୟୁରୋ : ୨୨ ବର୍ଷରେ ପାଦ ଦେଇଛି ବିଜେଡି । ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଡାଇରେକ୍ଟ ଆଟାକ୍ । ନିଜ ଭାଷଣରେ କେନ୍ଦ୍ର ସରକାରଙ୍କୁ ୯ଟି ପ୍ରଶ୍ନ ପଚାରିବା ସହ ଏହାର ଜବାବ ଓଡିଶା ମାଗୁଛି ବୋଲି କହିଛନ୍ତି ନବୀନ । ତେବେ ୯ଟି ପ୍ରଶ୍ନ ମଧ୍ୟରୁ ନବୀନଙ୍କ ଦ୍ୱିତୀୟ ପ୍ରଶ୍ନ ବେଶ କୌତୁହଳ ସୃଷ୍ଟି କରିଛି । ଦ୍ୱିତୀୟ ପ୍ରଶ୍ନରେ ଟେଲିକମ ସେକ୍ଟରରେ ରାଜ୍ୟରେ ଦେଖାଦେଉଥିବା ସମସ୍ୟା ସର୍ମ୍ପକରେ ବଖାଣିଛନ୍ତି ନବୀନ । ଆଉ ତାହା ପୂରା ମଜାଳିଆ ଢଙ୍ଗରେ । ନବୀନ କହିଥିଲେ , ମୋବାଇଲ ଧରିବାକୁ ହେଲେ ଗଛ ଚଢିବା ଶିଖିବାକୁ ପଡିବ ।

ରାଜ୍ୟରେ ଟେଲିକମ ସେକ୍ଟରର ସମସ୍ୟା କହିବାକୁ ଯାଇ ନବୀନ କହିଛନ୍ତି ବିଏସଏନଏଲ ହେଉଛି ଭାରତ ସରକାରଙ୍କର ସବୁଠୁ ବଡ ନେଟୱର୍କ । ଏବେ ଅଧିକାଂଶ ଲୋକଙ୍କ ପାଖରେ ମୋବାଇଲ ରହିଛି । କିନ୍ତୁ ଏବେ ମଧ୍ୟ ଓଡିଶାର ଅଧିକାଂଶ ଗାଁକୁ ନେଟୱର୍କ ନାହିଁ । ଗଛ ଉପରେ ବସିଲେ ଯାଇ ମୋବାଇଲ ଲାଗୁଛି । କୋଠା ଉପରକୁ ଗଲେ ହିଁ କଥା ହୋଇପାରିବ । ମୋବାଇଲ ଧରିବା ପାଇଁ ଗଛ ଚଢା ଶିଖିବାକୁ ପଡୁଛି । ସେହିଭଳି ସହରରେ ମଧ୍ୟ ମୋବାଇଲ ନେଟୱର୍କ ସମସ୍ୟା କିଛି କମ ନୁହେଁ । ସହରରେ ଅଧିକାଂଶ ସମୟ ମୋବାଇଲ ନେଟୱର୍କ ବ୍ୟସ୍ତ ରହୁଛି । ଆଉ ଏଭଳି କହି କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି ନବୀନ ।

ନବୀନଙ୍କ ୯ଟି ପ୍ରଶ୍ନ :
୧. ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ, କୋଷ୍ଟାଲ ହାଇୱେ କେବେ ହେବ ? ତାହାକୁ ଆମେ ଅପେକ୍ଷା କରି ରହିଛୁ

୨. ଟେଲିକମ : ଗଛ ଉପରେ ଚଢ଼ିଲେ ଆସୁଛି ନେଟୱାର୍କ, କେବେ ଗାଁରେ ପହଁଚିବ ଟେଲିକମ ନେଟୱାର୍କ
୩. ରେଲୱେ : ରେଳବାଇରେ ଉନ୍ନତି କେବଳ ପ୍ଲାଟଫର୍ମ ଟିକେଟରେ ଆସିଛି । ଟିକେଟ ଦର ବୃଦ୍ଧି ପାଇଛି । ଖୋର୍ଦ୍ଧା ବଲାଙ୍ଗୀର ରେଳବାଇ ଇତିହାସରେ ରହିଲା ଭଳି ଲାଗୁଛି ।
୪. ବ୍ୟାଙ୍କ ସୁବିଧା ନାହିଁ
୫. କୋଇଲା ନିଲାମ : କୋଇଲା ବ୍ଲକ ନିଲାମ ହେଲେ ଓଡ଼ିଶା ୭୦ ହଜାର କୋଟି ଟଙ୍କା ପାଇବ ବୋଲି କହିଥିଲେ । ହେଲେ ୩ ବର୍ଷରେ ମାତ୍ର ୩୭୦ କୋଟି ଟଙ୍କା ମିଳିଛି ।
୬. ଚାଷୀ : ଚାଷୀଙ୍କୁ ଠିକ ସମୟରେ କ୍ଷତିପୂରଣ ମିଳିଲାନି । ଉଚିତ ମୂଲ୍ୟ ମିଳିଲାନି । ବେସରକାରୀ ବୀମା କମ୍ପାନୀ ଲାଭବାନ ହେଲେ ।
୭. ଇସ୍ତାହାର : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଏମଏସପି, ମହିଳାଙ୍କ ପାଇଁ ୩୩% ସଂରକ୍ଷଣ କିଛି ହେଲାନାହିଁ । ସାଢେ଼ ୪ ବର୍ଷ ବିତିଗଲାଣି ।
୮.ଏସସି ଏସଟି ବିକାଶ : ଆଦିବାସୀ ଅଂଚଳର ବିକାଶ ପାଇଁ ଟଙ୍କା ବନ୍ଦ କରିଦେଲେ । ଗରିବ ଏସସି ଏସଟି ଛାତ୍ରଛାତ୍ରୀଙ୍କ ବୃତି ଅର୍ଥ ମଧ୍ୟ ଦେଲେନାହିଁ ।
୯. ଉଜ୍ଜ୍ୱଳା : ବହୁତ ପ୍ରଚାର ହେଉଛି । ସବୁଆଡେ଼ ବଡ଼ବଡ଼ ହୋଡର଼୍ିଂ । ୩୦ ଲକ୍ଷ ମହିଳାଙ୍କୁ ଗ୍ୟାସ କନେକ୍ସନ ଦିଆଗଲା ବୋଲି କୁହାଗଲା, ହେଲେ ରିଫିଲ କଲେ କେତେ ଜଣ ? ଗ୍ୟାସ ଦର କେତେ ଆପଣମାନେ ଜାଣନ୍ତି ।