ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ କଡ଼ା ଟକ୍କର ଦେବ ବିଜେଡି ! ମୋଦିଙ୍କ ଟାର୍ଗେଟରେ ପଶ୍ଚିମ ଓଡ଼ିଶା ଭୋଟର, ନବୀନଙ୍କ ଟାର୍ଗେଟରେ କୃଷକ

63

କନକ ବ୍ୟୁରୋ : ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ସେତିକି ବଢ଼ିବାରେ ଲାଗିଛି । ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ନେତା ଘନ ଘନ ଗସ୍ତ କରୁଥିବାବେଳେ କାଉଁଟର କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛି ଶାସକ ବିଜୁ ଜନତା ଦଳ । ଏହି କ୍ରମରେ ମାତ୍ର ୩ସପ୍ତାହ ଭିତରେ ଆଜି ତୃତୀୟ ଥର ପାଇଁ ଓଡିଶା ଆସୁଛନ୍ତି ମୋଦି । ଡିସେମ୍ବର ୨୪ରେ ଭୁବନେଶ୍ୱର ଓ ଜାନୁଆରୀ ୫ ତାରିଖରେ ବାରିପଦା ପରେ ୧୦ଦିନ ଅନ୍ତରରେ ଆଜି ବଲାଙ୍ଗୀରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି ।

ଏପଟେ ଆଜି ମୋଦିଙ୍କୁ କାଉଁଟର କରିବାକୁ ଭୁବନେଶ୍ୱର ବରମୁଣ୍ଡା ପଡିଆରେ କୃଷକ ଆଲୋଚନା ଚକ୍ରର ଆୟୋଜନ କରିଛନ୍ତି ନବୀନ । ମୋଦିଙ୍କ ବଲାଙ୍ଗୀର କାର୍ଯ୍ୟକ୍ରମ ବନାମ ନବୀନଙ୍କ ବରମୁଣ୍ଡା କାର୍ଯ୍ୟକ୍ରମ । ଆଜି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମୋଦୀଙ୍କ ଟାର୍ଗେଟରେ ପଶ୍ଚିମ ଓଡ଼ିଶା ଭୋଟର ହୋଇଥିବାବେଳେ ନବୀନଙ୍କ ଟାର୍ଗେଟରେ କୃଷକ । ପୁଣି ଥରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର । ସରକାରୀ କାର୍ଯ୍ୟକ୍ରମ ସହ ବଲାଙ୍ଗୀରର ପଥରଚେପା ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ ମୋଦୀ । ଯେଉଁ ସମୟରେ ବଲାଙ୍ଗୀରରେ ମୋଦୀ ଉଦବୋଧନ ଦେଉଥିବେ, ସେହି ସମୟରେ ଭୁବନେଶ୍ୱରରେ କୃଷି ଓଡ଼ିଶା ଆଲୋଚନା ଚକ୍ରରେ ଯୋଗ ଦେଇଥିବେ ନବୀନ । ତେବେ ଦୁଇ ନେତାଙ୍କ ଆଭିମୁଖ୍ୟ କଣ ରହୁଛି ତାହା ଉପରେ ନଜର ।

କୃଷକଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆରେ କୃଷି ଓଡିଶାର ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ସୁଦୃଶ୍ୟ ପ୍ରଦର୍ଶନୀ ସହ ଆଲୋଚନା ଚକ୍ର , କୃଷକ- ବୈଜ୍ଞାନିକ ମତ ବିନିମୟ ଓ ଅଗ୍ରଣୀ କୃଷକମାନଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମର ବ୍ୟବସ୍ଥା ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୧୫ରୁ ୧୯ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ଏହି କର୍ମଶାଳା । ଏହି କର୍ମଶାଳାକୁ ପୂବାହ୍ନ ୧୧ଟାରେ ଉଦ୍ଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।