ନବୀନଙ୍କ ସର୍ମ୍ପକରେ ନୂଆ କଥା । ହଲିଉଡ ଫିଲ୍ମରେ ଅଭିନୟ କରିଥିଲେ ନବୀନ, ସାମ୍ନାକୁ ଆସିଲା ୩୦ ବର୍ଷ ତଳର କଥା

90

କନକ ବ୍ୟୁରୋ : ଫିଲ୍ମରେ ଅଭିନୟ କରିଥିଲେ ନବୀନ । ରୁବେନ୍ ବାନାର୍ଜିଙ୍କ ପୁସ୍ତକ ପ୍ରକାଶ ପରେ ସାମନାକୁ ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ନୂଆ ନୂଆ ତଥ୍ୟ । ୩୦ ବର୍ଷ ତଳେ ଏକ ଇଂରାଜୀ ଫିଲ୍ମରେ ଅଭିନୟ କରିଥିଲେ ନବୀନ । ଏହାଛଡ଼ା ତାଙ୍କର ଅନେକ ହଲିଉଡ୍ ଅଭିନେତା-ଅଭିନେତ୍ରୀଙ୍କ ସହ ଭଲ ବନ୍ଧୁତା ଥିଲା ।

ହଲିଉଡ ଫିଲ୍ମ ‘ଦି ଡିସିଭର୍ସ’ । ୧୯୮୮ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ଥିଲେ ପର୍ସ ବ୍ରୋସନନ ଓ ସଇଦ ଜାଫ୍ରି । ୩୦ ବର୍ଷ ତଳର ଏହି ଫିଲ୍ମକୁ ନେଇ ଏବେ ଓଡ଼ିଶାରେ ବେଶ ଚର୍ଚ୍ଚା । ଏହାର କାରଣ ହେଉଛି ଏଥିରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ନବୀନ । ମର୍ଚାଂଟ୍ ଆଇଭରୀଙ୍କ ନିର୍ମିତ ଚଳଚିତ୍ର ‘ଦି-ଡିସିଭର୍ସ’ରେ ଅଭିନୟ କରିଥିଲେ ନବୀନ ପଟ୍ଟନାୟକ । ନିକଟରେ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜିଙ୍କ ଲିଖିତ ପୁସ୍ତକ ନବୀନ ପଟ୍ଟନାୟକ ପ୍ରକାଶ ହେବା ପରେ ଏହି ରୋଚକ ତଥ୍ୟ ସାମନାକୁ ଆସିଛି ।

ରୁବେନ୍ ବାନାର୍ଜିଙ୍କ ବହିରେ ଏପରି କିଛି ତଥ୍ୟ ରହିଛି, ଯାହା ଅନେକ ଲୋକଙ୍କ ପାଇଁ ନୂଆ । ଏଥିରେ ନବୀନଙ୍କ ଅପ୍ରତିଦ୍ୱନ୍ଦୀ ରାଜନୈତିକ ଜୀବନ ସଂପର୍କରେ ଯେତିକି ବର୍ଣ୍ଣନା ହୋଇଛି, ସେତିକି ହୋଇଛି ତାଙ୍କ ଜୀବନ ଚର୍ଯ୍ୟା ଉପରେ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଦିଲ୍ଲୀ ସୋସିଆଲ ସର୍କଲରେ ଥିଲେ ବେଶ ଜଣାଶୁଣା । ଦାମୀ-ନାମୀ ସମ୍ଭ୍ରାନ୍ତ ପରିବାରର ଲୋକଙ୍କ ସହ ବିଭିନ୍ନ ପାର୍ଟିରେ ତାଙ୍କୁ ଦେଖିବାକୁ ମିଳୁଥିଲା । ଯୁବକ ସମୟରେ ହୋଟେଲ ଓବରାଇ ପରିସରରେ ଏକ ବୁଟିକ୍ ଖୋଲିଥିଲେ, ଯାହାର ଗ୍ରାହକ ଥିଲେ କିଛି ନାମୀଦାମୀ କଳାକାର । ବିଶ୍ୱର ବିଭନ୍ନ ପ୍ରାନ୍ତରେ ନବୀନଙ୍କର ବନ୍ଧୁ ଥିଲେ । ବହି ପଢ଼ିବା, ଲେଖିବା ଠାରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ସବୁଥିରେ ଥିଲା ତାଙ୍କର ଆଗ୍ରହ ।

ରୁବେନ୍ ବାନାର୍ଜି ତାଙ୍କ ବହିରେ ନବୀନଙ୍କ ବନ୍ଧୁ ତଥା ବରିଷ୍ଠ ସାମ୍ବାଦିକ ତବଲୀନ ସିଂହଙ୍କ ‘ଦରବାର’ ପୁସ୍ତକର ଉଲ୍ଲେଖ କରିଛନ୍ତି । ସେହି ବହିରେ ନବୀନଙ୍କ ଯୁବକ ବେଳର ଅନେକ କଥା ବର୍ଣ୍ଣନା ରହିଛି । ହଲିଉଡ୍ ସୁପରଷ୍ଟାର ‘ରବର୍ଟ ଡେ ନିରୋ’ ମଧ୍ୟ ନବୀନଙ୍କର ଭଲ ବନ୍ଧୁ ଥିଲେ । ନବୀନଙ୍କ ସହ ବସାଉଠା କରୁଥିଲେ ‘ରୋଲିଂ ଷ୍ଟୋନସ’ର ଅଭିନେତା ମିକ୍ ଜାଗର, ଅଭିନେତ୍ରୀ କୁକ୍ ଷ୍ଟ୍ରାର୍କ ଏବଂ ପ୍ରସିଦ୍ଧ ଲେଖକ ବ୍ରୁସ୍ ଚାଟୱିନ୍ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବର୍ଷ ବର୍ଷ ଧରି ସୋସିଆଲ୍ ସର୍କଲରେ ଘୁରି ବୁଲୁଥିବା ନବୀନ, ମୁଖ୍ୟମନ୍ତ୍ରୀ ହେବା ପରେ ସେହି ଦୁନିଆକୁ ସଂପୂର୍ଣ୍ଣ ଭାବେ ଅଲବିଦା କରିଦେଇଥିଲେ ।