ନବରଙ୍ଗପୁର ଝରିଗାଁରେ ପଦାକୁ ଆସିଲା ବିକାଶର ଚେହେରା ! ରାସ୍ତା କି ପୋଲ ନଥିବାରୁ ଶବକୁ କାନ୍ଧେଇ ନାଳ ପାରିହେଲେ ସମ୍ପର୍କୀୟ

22

କନକ ବ୍ୟୁରୋ: ନବରଙ୍ଗପୁର ଝରିଗାଁ ବ୍ଲକ ଇଚ୍ଛାପୁର ପଂଚାୟତ ଅନ୍ତର୍ଗତ କାଳିଆପାଣି ଗାଁରେ ଘଟିଛି ଅଭାବନୀୟ ଘଟଣା । ସବୁଦିନିଆ ରାସ୍ତା ଓ ପୋଲ ନଥିବାରୁ ଶବକୁ କାନ୍ଧେଇ ନାଳ ପାରି ହୋଇଛନ୍ତି ସମ୍ପର୍କୀୟ । ବର୍ଷାରେ ଗାଁକୁ ଯାଇଥିବା ରାସ୍ତା ଶୋଚନୀୟ ହୋଇପଡିଛି । ନାଳରେ ପୋଲ ବି ନିର୍ମାଣ ହୋଇନାହିଁ ।

ଫଳରେ ଗାଁର ମୋହନ ମାଝିଙ୍କ ଗର୍ଭବତୀ ପତ୍ନୀ ନିଲେ ମାଝିଙ୍କୁ ସମ୍ପର୍କୀୟ ଟ୍ରାକ୍ଟର ଯୋଗେ ନାଳ ପାର କରାଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଶେଷରେ ତାଙ୍କ ଶବକୁ ୩ କିଲୋମିଟର ଦୂର କାନ୍ଧରେ ବୋହି ଭରା ନାଳ ପାର ହୋଇ ଗାଁକୁ ଫେରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ରବିବାର ରାତି ୨ଟାରେ ନିଲେଙ୍କୁ ପ୍ରସବ ବେଦନା ହୋଇଥିଲା । ଗାଁର ଜଣେ ବ୍ୟକ୍ତିଙ୍କ ଟ୍ରାକ୍ଟର ସହାୟତାରେ ତାଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ନିଲେଙ୍କ ମୃତ୍ୟୁ ହୋଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସରେ ଶବକୁ ପଠାଯାଇଥିଲା । ମାତ୍ର ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା । ପରେ ବହୁତ ପାଣି ଯୋଗୁଁ ନିଲେଙ୍କ ଶବଙ୍କୁ ଟ୍ରାକ୍ଟର ଯୋଗେ କେବଡି ନଦୀ ପାର କରାଇବା ସମ୍ଭବ ହୋଇନଥିଲା । ଫଳରେ ସମ୍ପର୍କୀୟମାନେ ଶବକୁ ବୋହି ବୋହି ବହୁ କଷ୍ଟରେ ନାଳ ପାର କରାଇଥିଲେ । ସେଠାରେ କାଦୁଅ ରାସ୍ତାରେ ୩ କିଲୋମିଟର ଚାଲି ଚାଲି ସମ୍ପର୍କୀୟ କାଳିଆପାଣି ଗାଁରେ ପଂହଚିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-