୧୨ରେ ନବନିର୍ମାଣ କୃଷକ ସଂଗଠନର ନିର୍ଣ୍ଣାୟକ ଲଢ଼େଇ ! ଆନ୍ଦୋଳନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିଲେ ଅକ୍ଷୟ କୁମାର

60

କନକ ବ୍ୟୁରୋ: ଆସନ୍ତା ୧୨ତାରିଖରୁ ରାଜ୍ୟରେ ନିର୍ଣ୍ଣାୟକ ଲଢ଼େଇ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ରାଜ୍ୟର ୩୬ଲକ୍ଷ ଚାଷୀ ପରିବାରଙ୍କ ପାଇଁ ୨୧ହଜାର ୬ଶହ କୋଟି ଟଙ୍କା ଚାଷୀ ସୁରକ୍ଷା ଭତ୍ତା ବାବଦରେ ବଜେଟରେ ବ୍ୟୟବରାଦ କରିବା ପାଇଁ ସଂଗଠନ ଦାବି କରିଛି । ତେବେ ଏହି ନିର୍ଣ୍ଣାୟକ ଲଢ଼େଇ ପୂର୍ବରୁ ସଂଗଠନ ରହିଥିବା ଦାବିକୁ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ଏହାସହ ଧାନ କ୍ୱିଣ୍ଟାଲକୁ ଦେଢ଼ ଗୁଣା କରିବା ପାଇଁ କେନ୍ଦ୍ର ଯେଉଁ ଘୋଷଣା କରିଛନ୍ତି ତାହା କେଉଁ ଆଧାରରେ କରାଯିବ ଏଥିପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ଶ୍ରୀ କୁମାର । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସଂଗଠନର ଚିଠି ପଠାଇ ଦିଆଯାଇଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

ଚିଠିରେ ଶ୍ରୀ କୁମାର ଉଲ୍ଲେଖ କରିଛନ୍ତି ଯେ, ଦୀର୍ଘ ୭୦ବର୍ଷର ସ୍ୱାଧୀନତା ପରେ ଦେଶରେ ଚାଷୀମାନେ ଅବହେଳି, ଶୋଷିତ ଓ ଲାଞ୍ଛିତ ଅବସ୍ଥାରେ ଜୀବନ ବିତାଉଛନ୍ତି । ସ୍ୱାଧୀନତା ପରବର୍ତୀ ସମୟରେ ୩ଲକ୍ଷ ୨୦ହଜାର ଚାଷୀ ଆତ୍ମହତ୍ୟା କରିସାରିଲେଣି । ୫୦ବର୍ଷ ତଳେ ଚାଷୀର ଯେଉଁ ସମ୍ମାନ ଥିଲା ତାହା ଆଜି ଧୂଳିସାତ ହୋଇଯାଇଛି । ଚାଷୀ ନିଜ ଅମଳର ଉଚିତ୍ ମୂଲ୍ୟ ପାଉନାହିଁ । ସାର, କମ୍ପ୍ୟୁଟର, ମୋବାଇଲ ଭଳି ବସ୍ତୁର ଦାମ୍ ନିଜେ କମ୍ପାନି ସ୍ଥିର କରୁଥିବା ବେଳେ ଚାଷୀର ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ସରକାର ସ୍ଥିର କରୁଛନ୍ତି । ସରକାର ସ୍ଥିର କରୁଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀର ସବୁ ଖର୍ଚକୁ ହିସାବକୁ ନିଆଯାଏ ନାହିଁ ।

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ରାଜ୍ୟର ୩୫ପ୍ରତିଶତ ଜଳସେଚିତ । ପଞ୍ଜାବର ମାଟି ତଳେ ୩ପ୍ରତିଶତ ପାଣି ରହିଥିବା ବେଳେ ସେଠାରେ ୮୫ପ୍ରତିଶତ ଜମି ଜଳସେଚିତ । ମାତ୍ର ଓଡ଼ିଶାରେ ୧୩ପ୍ରତିଶତ ଜଳ ରହିଥିଲେ ହେଁ ଜଳସେଚନ ବ୍ୟବସ୍ଥା ହୋଇପାରୁନାହିଁ । ଗତ ୮ବର୍ଷ ଧରି ସଂଗଠନ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଲଢ଼େଇ କରି ଆସୁଥିବା ବେଳେ ଓଡ଼ିଶା ବିଧାନସଭା ସଭାରେ ଧାନ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ପାଇଁ ସର୍ବଦଳୀୟ ପ୍ରସ୍ତାବ ପାରିତ ହୋଇଛି । କେନ୍ଦ୍ର ସରକାର ଗତ ବଜେଟରେ ଧାନ କ୍ୱିଣ୍ଟାଲ ପିଛା ଦେଢ଼ ଗୁଣା କରିବା ପାଇଁ ଘୋଷଣା କରିଥିଲେ ହେଁ ବାସ୍ତବିକତାରେ ଏହା ଲାଗୁ ହୋଇନାହିଁ ।

ଏଥିପାଇଁ ଚଳିତମାସ ୨୩ତାରିଖରେ ସହିଦ ଭଗତ ସିଂଙ୍କ ବଳିଦାନ ଦିବସରେ ରାମଲୀଳା ମୈଦାନରେ ଆନ୍ନା ହଜାରେ ଅନଶନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଶ୍ରୀ ହଜାରେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ୨୦୧୦ ମସିହାରେ ଚାଷୀଙ୍କୁ ଉଚିତ୍ ମୂଲ୍ୟ, ପେନସନ୍ ଓ ସମ୍ମାନ ଦାବି ନେଇ ସଂଗଠନ ଆନ୍ଦୋଳନ କରିଆସୁଛି । ବିଗତ ଦିନରେ ରାଜ୍ୟ ସରକାରଙ୍କ ସହିତ ସଂଗଠନର ଆଲୋଚନା ହୋଇଥିଲେ ହେଁ କୌଣସି ଫଳ ମିଳିପାରି ନାହିଁ । ତେଣୁ ଚଳିତମାସ ୧୨ତାରିଖରୁ ସଂଗଠନ ନିର୍ଣ୍ଣାୟକ ଲଢ଼େଇ ଡାକରା ଦେଇଛି । ତାହା ପୂର୍ବରୁ ରାଜ୍ୟ ସରକାର ଆସନ୍ତା ବଜେଟରେ ୩୬ଲକ୍ଷ ଚାଷୀ ପରିବାରଙ୍କ ପାଇଁ ୨୧ହଜାର ୬ଶହ କୋଟି ବରାଦ କରିବାକୁ ଶ୍ରୀ କୁମାର ଚିଠିରେ ଉଲ୍ଲେଖ କରିଛନ୍ତି ।