ରାସ୍ତାକୁ ଓହ୍ଲାଇଲେ ଚାଷୀ : ତେଜିଲା ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି

22

କନକ ବ୍ୟୁରୋ : କେନ୍ଦୁଝରର ଖଣି ଅଂଚଳ ତେଲକୋଇରେ ହକ୍ ମାଗିଲେ ହଜାର ହଜାର ଚାଷୀ । ତେଲକୋଇରେ ଚାଷୀଙ୍କ ବିଶାଳ ସତ୍ୟାଗ୍ରହ । ପୁଣି ଉଠିଲା ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଦାବି । ରାଜରାସ୍ତାରେ ହକ୍ ମାଗିଲେ ହଜାର ହଜାର ଚାଷୀ । ବର୍ଷାରେ ଭିଜିଭିଜି ୨୨ଟି ପଂଚାୟତର ୫ ହଜାରରୁ ଅଧିକ ଚାଷୀ ଆଜି ବ୍ଲକ୍ କାର୍ଯ୍ୟାଳୟ ଘେରିଛନ୍ତି । ଧାନର ଉଚିତ ମୂଲ୍ୟ ସହ ଚାଷୀଙ୍କୁ ୫ ହଜାର ଟଙ୍କା ପେନସନ୍ ଓ ସମ୍ମାନ ଦାବି କରିଛି ନବନିର୍ମାଣ କୃଷକ ସଂଗଠନ ।

ଦେଶର ୬୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭରଶୀଳ । ହେଲେ ସେହି ଚାଷ ଏବେ ଚାଷୀ ପାଇଁ ଚିନ୍ତାର କାରଣ ସାଜିଛି । ଚାଷକୁ ନିଜର ବେଉସା କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ସରକାର କହୁଛନ୍ତି କୃଷକ ହେଉଛି ଦେଶର ମେରୁଦଣ୍ଡ ହେଲେ ସେହି ମେରୁଦଣ୍ଡ ଶକ୍ତ କରିବାକୁ କାହାର ଦୃଷ୍ଟି ନାହିଁ ବୋଲି ଚାଷୀ ଅଭିଯୋଗ କରିଛି ।

ରାଜଧାନୀରେ ବିଶାଳ ଶୋଭାଯାତ୍ରା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନବନିର୍ମାଣ କୃଷକ ସଂଗଠନ ଚାଷୀଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରଖିଛି । ସମାଜର ଅନ୍ୟ ମାନଙ୍କ ଭଳି ଚାଷୀ ଉତ୍ପାଦନର ଉପଯୁକ୍ତ ମୂଲ୍ୟ, ପେନସନ୍ ଓ ଚାଷୀଙ୍କୁ ସମ୍ମାନ ଦାବି ଜୋର୍ ଧରିଛି । ଯଦି କୃଷକଙ୍କ ଦାବି ପୂରଣ ନହୁଏ ତେବେ ସମାଜରେ ବିରାଟ ଅସମାନତା ସୃଷ୍ଟି ହେବାର ଆଶଙ୍କା କରିଛି ନବନିର୍ମାଣ କୃଷକ ସଂଗଠନ ।