ନବନିର୍ମାଣ ଯୁବ ଛାତ୍ର ସଂଗଠନର ବିଶାଳ ସମାବେଶ : ନୂତନ ଓଡ଼ିଶା ଗଠନ କରିବାକୁ ଆହ୍ଵାନ

36

କନକ ବ୍ୟୁରୋ : ଗୁଣାତ୍ମକ ଶିକ୍ଷା ସହ ଶିକ୍ଷା ସମାପ୍ତ ପରେ ନିଯୁକ୍ତି, ଶାସନର ପ୍ରତ୍ୟେକ ସ୍ତରରେ ଓଡ଼ିଆ ଭାଷାର ପ୍ରଚଳନ, ନିଶାମୁକ୍ତ ଓଡ଼ିଶା, ମହିଳାଙ୍କୁ ସୁରକ୍ଷା, ଚାଷୀକୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ୍‌ ଆଦି ଦାବି ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଏକ ବିଶାଳ ସମାବେଶ ରାଜଧାନୀର ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ହୋଇଯାଇଛି। ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପରିପ୍ରେକ୍ଷୀରେ ଆୟୋଜିତ ଏହି ସମାବେଶରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଯୁବକ, ଛାତ୍ର ସାମିଲ ହୋଇଥିଲେ। ଓଡ଼ିଶାବାସୀଙ୍କ ନ୍ୟାଯ୍ୟ ଦାବି ନେଇ ଚାଷୀ ନେତା, ଛାତ୍ରନେତା ବିଧାନସଭା ସମ୍ମୁଖରେ ରଣହୁଙ୍କାର ଦେଇଥିବାବେଳେ ଅତିଥିମାନେ ଛାତ୍ର ଓ ଯୁବକମାନଙ୍କୁ ଆନ୍ଦୋଳନ ଜରିଆରେ ନିଜ ହକ୍‌ ହାସଲ କରିବା ସହ ଏକ ନୂତନ ଓଡ଼ିଶା ଗଠନ କରିବାକୁ ଆହ୍ଵାନ ଦେଇଥିଲେ।

ନବ ନିର୍ମାଣ ଛାତ୍ର ସଂଗଠନର ରାଜ୍ୟ ଆବାହକଏମ୍‌ଡି ମନଓ୍ଵର ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଶାଳ ଛାତ୍ରସମୁଦ୍ରକୁ ଉଦ୍‌ବୋଧନ ଦେଇ ନବ ନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଭାଷଣରେ କୌଣସି ପରିବର୍ତନ ହୁଏନାହିଁ। ଗଣତନ୍ତ୍ରରେ ଭୋଟ୍‌ ହେଉଛି ସବୁଠୁ ବଡ଼ ଅସ୍ତ୍ର। ଓଡ଼ିଶାର ଛାତ୍ର ଓ ଚାଷୀର ଭାଗ୍ୟ ପରିବର୍ତନ ପାଇଁ ପ୍ରଥମେ ମୋଦି ଓ ନବୀନ ସରକାରକୁ ସଂଖ୍ୟାର ଗଣିତ ଖେଳରେ ହରାଇବାକୁ ପଡ଼ିବ। ତେଣୁ ୧୮ବର୍ଷ ହୋଇଥିବା ବ୍ୟକ୍ତି ପ୍ରଥମେ ଭୋଟ୍‌ ଦାନ କରନ୍ତୁ। ନିଜ ବୁଥ୍‌ରେ ଚାଷୀକୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ୍‌ ପ୍ରଦାନକୁ ସମର୍ଥନ କରୁଥିବା ଯୁବକଙ୍କୁ ଏକାଠି କରନ୍ତୁ। ଓଡ଼ିଶାରେ ୬ ହଜାରରୁ ଅଧିକ ପଞ୍ଚାୟତ ଅଛି। ପ୍ରତି ପଞ୍ଚାୟତରେ ନିଜ ମାଟିକୁ ଭଲ ପାଉଥିବା ଜଣେ ଯୁବକ ଏଥିପାଁଇ ଯଥେଷ୍ଟ।

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ବକ୍ତବ୍ୟ ରଖି କହିଲେ, ଚାଷର ବ୍ୟବସ୍ଥା ଏପରି ହେବା ଦରକାର ଯେମିତି ଜଣେ ଚାଷୀ, ଜଣେ ସରକାରୀ କର୍ମଚାରୀ ମାସକୁ ପାଉଥିବା ସର୍ବନିମ୍ନ ଦରମା ତା’ର କ୍ଷେତରୁ ପାଇପାରିବ। ମାତ୍ର ପାଞ୍ଚ ବର୍ଷ ବିଧାୟକ ରହିଲେ ମାସକୁ ତିରିଶ ହଜାର ପେନ୍‌ସନ୍‌ ମିଳୁଛି। ହେଲେ ୧୪ ବର୍ଷରୁ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଚାଷୀକୁ ତାର ବାର୍ଦ୍ଧକ୍ୟରେ ସରକାର କ’ଣ ପାଇଁ ପେନ୍‌ସନ୍‌ ପ୍ରଦାନ କରିବେନି ବୋଲି ସେ ପ୍ରଶ୍ନ କରିଥିଲେ । ଚାଷୀକୁ କେନ୍ଦ୍ର ଓ ରାଜ୍ୟ ସରକାର ପେନ୍‌ସନ୍‌ ପ୍ରଦାନ କଲେ ପ୍ରାୟ ସାତ ହଜାର କୋଟି ଟଙ୍କା ଖର୍ଚ ହେବ। ବର୍ତମାନ ସ୍ଥିତିରେ ଏନେଇ ସରକାର ଉପରେ କୌଣସି ଚାପ ପଡ଼ିବ ନାହିଁ। ଏଥିନେଇ ସରକାର ପେନ୍‌ସନ୍‌ ଫଣ୍ଡ୍‌ ଗଠନ କରନ୍ତୁ। ପ୍ରକୃତ ଚାଷୀ ଚିହ୍ନଟ ଏବଂ ଧାନର ଉପଯୁକ୍ତ ମୂଲ୍ୟ ପ୍ରଦାନ ଲାଗି ଶ୍ରୀ କାନୁନଗୋ ଦାବି କରିଥିଲେ। ଏଥିସହିତ ଶ୍ରୀ କାନୁନଗୋ ନିଜର ଗୋଟିଏ ମାସର ପେନ୍‌ସନ୍‌ ନବନିର୍ମାଣ ଛାତ୍ର ସଂଗଠନର ସଂଗ୍ରାମ ଲାଗି ପ୍ରଦାନ କରିବାକୁ ଘୋଷଣା କରିଥିଲେ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଲେ, ଦେଶର ଶିକ୍ଷାନୀତି ଏପରି ହେବା ଦରକାର ଯେମିତି, ଚାଷୀ, ଖଟିଖିଆ, ମୁଲିଆର ପିଲା ଯେଉଁଠି ପାଠ ପଢ଼ିବ, ସେଇଠି ମଧ୍ୟ କୋଟିପତିର ପିଲା ପାଠ ପଢ଼ିବ। ସମ୍ବିଧାନ କହୁଛି ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଦରକାର। କିନ୍ତୁ ଆଜି ମୁଷ୍ଟିମେୟ ଧନୀକ ବ୍ୟକ୍ତି ସମସ୍ତ ସୁବିଧାର ସୁଯୋଗ ନେଉଛନ୍ତି। ୭୦ ଭାଗ ଲୋକ ପଛରେ ରହିଯାଇଛନ୍ତି। ୭୦ ଭାଗ ଜନସାଧାରଣଙ୍କ ପିଲା ନିର୍ଭର କରୁଥିବା ସ୍କୁଲର ସର୍ବ ନିମ୍ନ ଭିତ୍ତିଭୂମି ନାହିଁ। ବିଦେଶୀ ପୁଞ୍ଜି ଭାରତୀୟ ବଜାରକୁ ନିୟନ୍ତ୍ରଣ କରୁଛି। ଅବହେଳିତ ବର୍ଗର ଦାବି ହାସଲ ନେଇ ନବନିର୍ମାଣ ଛାତ୍ର ସଂଗଠନ ତା’ର ସଂଗ୍ରାମ ଜାରି ରଖୁ।

ପଶ୍ଚିମବଙ୍ଗର ଚାଷୀ ନେତା ଗୌତମ ପାଲ୍‌ କହିଲେ, ଓଡ଼ିଶାର ଚାଷୀ ଆନ୍ଦୋଳନ ଦେଶର ପ୍ରତ୍ୟେକ ପ୍ରାନ୍ତରେ ପ୍ରଭାବ ପକାଇଛି। ଯେଉଁ ଦେଶରେ କୃଷକ, ଦଳିତ, ନାରୀକୁ ତାର ଅଧିକାର, ସମ୍ମାନ ମିଳେନି ସେଠିକାର ଗଣତନ୍ତ୍ର ସଫଳ ନୁହେଁ। ଇଂରେଜମାନେ ଆମେ ଦେଶରୁ ଚାଲି ଯାଇଥିଲେ ମଧ୍ୟ ଆମେ ଏବେବି ପରାଧୀନ । ଆମର ଜଳ, ଜଙ୍ଗଲ, ଜମି ସବୁକୁ କର୍ପୋରେଟ୍‌ ହାଉସ ନିୟନ୍ତ୍ରଣ କରୁଛନ୍ତି। ଏଥିନେଇ ଦ୍ୱିତୀୟ ମୁକ୍ତି ସଂଗ୍ରାମର ଆବଶ୍ୟକତା ରହିଛି। ବିଶିଷ୍ଟ କବି ଶୈଳଜ ରବି ଉଦ୍‌ବୋଧନ ଦେଇ କହିଲେ, ଦେଶର ପରିବର୍ତନ ନେଇ ଯୁବକମାନେ ଆଗଭର ହୁଅନ୍ତୁ। ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ। ଭାରତୀୟ ବଜାର ଆଜି ବିଦେଶୀଙ୍କ କବ୍‌ଜାରେ। ଧନୀ ଲୋକଙ୍କୁ ଦୃଷ୍ଟିର ରଖି ସେଇ ବଜାର ପ୍ରସ୍ତୁତ କରାଯାଇଛି। ଶେଷରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ଆଜିର ଶାସନ ବ୍ୟବସ୍ଥାରେ ଥିବା ଲୋକମାନେ ରାଷ୍ଟ୍ର, ସମାଜ ପ୍ରତି କୃତଜ୍ଞ ନୁହଁନ୍ତି। ସାରା ଦୁନିଆକୁ ଆହାର ଯୋଗାଉଥିବା ଚାଷୀକୁ ଏଠି ମାସକୁ ତିନିଶହ ଟଙ୍କା ଭତ୍ତା ମିଳୁଛି। ପିଅନ ମାସକୁ ଅଠର ହଜାର, ଆଇଏଏସ୍‌ ଅଧିକାରୀ ମାସକୁ ଅଢ଼େଇ ଲକ୍ଷ ଟଙ୍କା ନେଉଛନ୍ତି। ତେଣୁ ଯୁବକ, ଛାତ୍ରମାନେ ସଂକଳ୍ପ ନିଅନ୍ତୁ ସାରା ଚାଷୀ କୂଳକୁ ନିଜର ହକ୍‌ ପାଇଁ ଏକାଠି କରନ୍ତୁ। ରାଜନୀତିକୁ ଲୋକନୀତି ନିୟନ୍ତ୍ରଣ କରିପାରିଲେ ଚାଷୀ , ଖଟିଖିଆ, ମୁଲିଆ ତାର ଅଧିକାର ପାଇବ।

ଛାତ୍ର ସଂଗଠନର ଉପଦେଷ୍ଟା ମଧୁମିତା ସାମଲ, ସହସଂଯୋଜକ ସାଇପ୍ରସାଦ ପଲାଇ, କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, କୃଷକ ନେତା ଉମାକାନ୍ତ ରାଉତ, ଅବଦୁଲ ଓ୍ଵାଲି, ନିମାଇଁ ରାୟ, ପ୍ରଶାନ୍ତ କୁମାର ପ୍ରଧାନ, ମୁସ୍କାନ ନାୟକ, ସଚିନ୍‌ ମହାପତ୍ର, ଇଜୁ ଅମିର ଖାନ୍‌, ରଞ୍ଜିତ ପଟ୍ଟନାୟକ, କୁଶଧ୍ୱଜ ନାୟକ, ରଶ୍ମିରଂଜନ ସ୍ୱାଇଁ, କଳିଙ୍ଗ ସ୍ୱାଇଁ, ମାନସ ରଞ୍ଜନ ବେହେରା, ସୁଧାକର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥଲେ। ଚାଷୀଙ୍କ ଅଧିକାର ନେଇ ଲଢ଼େଇ କରି ଜେଲ୍‌ ଯାଇଥିବା ସଂଗଠନର ନେତାଙ୍କୁ ସମାବେଶରେ ସମ୍ବର୍ଦ୍ଧିତ କରାଯାଇଥିଲା। କୃଷକ ନେତା ଦୁର୍ଗାପ୍ରସାଦ ଦାସଙ୍କ ସଂଗ୍ରାମୀ ଗୀତ ପରିବେଷଣ ସହ ସମାବେଶ ଶେଷ ହୋଇଥିଲା।