ଧରାପୃଷ୍ଠକୁ ସୁଶୋଭିତ କରିଛି ଶୀତୁଆ ସକାଳ  । ପ୍ରବଳ ଜାଡରେ ଝଲସୁଛି ପ୍ରକୃତିର ସୁନ୍ଦରତା । 

142

କନକ ବ୍ୟୁରୋ : ଧରାପୃଷ୍ଠକୁ ସୁଶୋଭିତ କରିଛି ଶୀତୁଆ ସକାଳ  । ଶୀତର ଆଗମନ ପ୍ରକୃତିରାଣୀକୁ ସବୁଜ ସୁନ୍ଦର କରି ତୋଳିଥିବା ବେଳେ ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଂଚଳ ମଧ୍ୟ ନିଜକୁ ଘୋଡ଼େଇ ଦେଇଛି ଶୀତର ଚାଦର ତଳେ  । ଜାଣନ୍ତୁ ଖଣିଜ ସହର ଯୋଡ଼ାରେ କିଭଳି ଆସିଛି ଶୀତଋତୁ  ।

ଶୀତରେ ଥରୁଛି ସବୁଜ କେନ୍ଦୁଝର । ଯୋଡ଼ାରେ ବି ପଡ଼ିଲାଣି ଶୀତର ପ୍ରଭାବ । ଶୀତର ଚାଦର ତଳେ ହସୁଛି ଓଡ଼ିଶା  । ଆଉ ସେପଟେ ଖଣିଖାଦାନ ଭରା ଯୋଡ଼ାରେ ବି ପାଦ ଚିପି ଚିପି ପହଁଚିଲାଣି ପାହାଡ଼ିଆ ଜାଡ଼  । କୁହୁଡ଼ିଆ ରାସ୍ତାଘାଟ କହୁଛି ଯେଭଳି ନିଦ ଭାଂଗୁ ଡେରିରେ ଆଜି ଏହି ଅଳସୁଆ ସକାଳରେ, ଶୂନଶାନ୍ ପଡ଼ିଥାଉ ପଛେ ସହର ଆଉ ବସତି  । ତଥାପି ଖଟିଖିଆ ମେହନତି ମଣିଷକୁ ଲଢ଼ିବାକୁ ହେବ ନିଜ ନିଜ ଜୀବନ ଜୀବିକାର ଯୁଦ୍ଧ, ତେଣୁ ଏଭଳି ସମୟରେ ଗରମ୍ ଚାକପରୁ ଉଷୁମ୍ ଟାଣି ଆଗକୁ ବଢ଼ିବା ହିଁ ଭଲ  । ତମାମ୍ ଦୃଶ୍ୟ କହୁଛି ଯୋଡ଼ାରେ ଏଥରକ ବାଘୁଆ ଶୀତ  ।

କେବଳ ସହର ନୁହଁ ଯୋଡ଼ାର ଗାଁ ଗଣ୍ଡାରେ ବି ଖୁବ ବସିଛି ଶୀତର ଆସର  । ଏକାଠି ନିଆଁ ପୁଇଁବା ଭିତରେ ଯେଭଳି ଶୀତକୁ ହରାଇବାର ପ୍ରବଳ ଉତ୍କଣ୍ଠା ସମସ୍ତଙ୍କର । ତେବେ ଲୋକଙ୍କ ପାଇଁ ଏହି ଜାଡ଼ୁଆ ଶୀତ ଯେତେ ମଉଜ୍ ଆଣିଛି, ସେତିକି ଲୋକଙ୍କ ପାଇଁ ସୃଷ୍ଟି ହୋଇଛି ବୋଝ ଉପରେ ନଳିତା ବିଡ଼ା ଭଳି ପରିସ୍ଥିତି  । ଖୋଲା ଆକାଶ ତଳେ ଜୀବନ ବିତାଉଥିବା ଲୋକେ ଏଭଳି ଶୀତରେ କେତେ ଅସହାୟ ତାହା କେବଳ ଦେଖିଲେ ହିଁ ବୁଝିହେବ  । ଅନ୍ୟପଟେ ଯୋଡ଼ାର ଆଠ/ନଅ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ସ୍କୁଲ ଯିବା ବି ଖୁବ କଷ୍ଟଦାୟକ ହୋଇପଡ଼ିଛି ଛାତ୍ରଛାତ୍ରୀଙ୍କ ପାଇଁ  । ଶୀତଋତୁ ଆରମ୍ଭ ନହେଉଣୁ ଯୋଡ଼ାରେ ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିଗଲାଣି ପାରଦ  । ତେଣୁ ଅସମ୍ଭାଳ କରିବ ଏଥରକ ଶୀତଋତୁ ତାହାର ଏବେଠାରୁ ମିଳିଲାଣି ସ୍ପଷ୍ଟ ପ୍ରମାଣ ଓ ସୂଚନା  ।