ଦେଶରେ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ! ଆଜି ପ୍ରଭାବିତ ହେବ ବ୍ୟାଙ୍କିଂ ସେବା, ରାଜ୍ୟର ୫ ହଜାର ଶାଖା ବନ୍ଦ

36

କନକ ବ୍ୟୁରୋ : ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କ ସଂଘର ମିଳିତ ଫୋରମ୍ ଏହି ଧର୍ମଘଟ ଡାକରା ଦେଇଛି । ବ୍ୟାଙ୍କ ସଂଘର ମିଳିତ ଫୋରମ୍ ଅଧୀନରେ ଥିବା ୯ଟି ସଂଘର ଅଧିକାରୀ ଏବଂ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ । ଫଳରେ ଦେଶର ୨୧ଟି ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକର ସେବା ବନ୍ଦ ରହିବ ।ଦେଶରେ ଥିବା ପ୍ରାୟ ୭୦ରୁ ୮୦ ହଜାର ସରକାରୀ ବ୍ୟାଙ୍କ ଶାଖାର ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ । ଗତ ସପ୍ତାହ କେନ୍ଦ୍ର ସରକାରଙ୍କ ମୁଖ୍ୟ ଶ୍ରମ କମିସନରଙ୍କ ସହିତ ବ୍ୟାଙ୍କ ସଂଘର ହୋଇଥିବା ଆଲୋଚନା ବିଫଳ ହୋଇଛି।  ଫଳରେ ଧର୍ମଘଟ ଜିଦରେ ସଂଘ ଗୁଡ଼ିକ ଅଟଳ ରହିଛନ୍ତି ।

ଧର୍ମଘଟ ଯୋଗୁଁ ଓଡିଶାର ୫ ହଜାର ଶାଖା ବନ୍ଦ ରହିବ । ଏହା ସହ ରାଜ୍ୟରେ ପାଖାପାଖି ୪୦ ହଜାର ଅଧିକାରୀ ଓ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ । ତେବେ ଘରୋଇ ଆଇସିଆଇସିଆଇ ବ୍ୟାଙ୍କ, ଏଚଡ଼ିଏଫସି ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଆଦି ଧର୍ମଘଟରେ ସାମିଲ ହୋଇ ନଥିବାରୁ ଏଗୁଡ଼ିକର ଶାଖା ଖୋଲା ରିହବ ବୋଲି ଜଣାପଡ଼ିଛି ।

ଆସନ୍ତୁ ଜାଣିବା ବ୍ୟାଙ୍କ ଧର୍ମଘଟ କାହିିଁକି ହେଉଛି ଓ ଧର୍ମଘଟ ଫଳରେ କି ପ୍ରଭାବ ପଡିବ ?

କେନ୍ଦ୍ରରେ ଏନଡିଏ ସରକାର ଆସିବା ପରେ ବିଭିନ୍ନ ବ୍ୟାଙ୍କର ମିଶ୍ରଣ ପାଇଁ ନୀତିଗତ ନିଷ୍ପତି ନେଇଛନ୍ତି । ଆଉ ଏହାକୁ ବିରୋଧ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ଅନ୍ୟାନ୍ୟ ଦାବି ସହ ସରକାରଙ୍କ ପ୍ରସ୍ତାବିତ ବ୍ୟାଙ୍କ ମିଶ୍ରଣ ନୀତିକୁ ବିରୋଧ କରି କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇଛନ୍ତି । ଧର୍ମଘଟ ଫଳରେ ବ୍ୟାଙ୍କ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି ।  ଚେକ୍ କ୍ଲିଅର ବି ବିଳମ୍ବ ହୋଇପାରେ । ଆଜି ବ୍ୟାଙ୍କ ଧର୍ମଘଟ ହେଲେ ସାଧାରଣ ଜନତା ପ୍ରଭାବିତ ହେବେ । କାରଣ ଗ୍ରାମାଂଚଳରେ ଘରୋଇ ବ୍ୟାଙ୍କ ଗୁଡିକର ସେଭଳି ପ୍ରଭାବ ନାହିଁ । ଏଠାରେ ବଡ ପ୍ରଶ୍ନ ହେଉଛି ଧର୍ମଘଟ ଟାଳିବା ପାଇଁ  ମୁଖ୍ୟ ଶ୍ରମ କମିଶନର ଓ ବ୍ୟାଙ୍କ୍ କର୍ମଚାରୀ ସଂଘ ଆଲୋଚନା କରିଥିଲେ । କିନ୍ତୁ ଏହା ବିଫଳ ହୋଇଥିଲା । ତେବେ ପ୍ରଶ୍ନ  ଉଠୁଛି ଏହା ପରେ ସମାଧାନ ପାଇଁ ଯଥେଷ୍ଟ ଉଦ୍ୟମ ହେଲା ନାହିଁ କାହିଁକି ।