ଜାତୀୟ ଖଣିଜ ଆଇନ୍‌- ୨୦୦୮ର ପୁନରାବଲୋକନ ! ଗଠନ ହେଲା ୨୯ଜଣିଆ ଟିମ୍‌

36

କନକ ବ୍ୟୁରୋ: ଚଳିତମାସ ୨ତାରିଖରେ ସୁପ୍ରିମ କୋର୍ଟ ଓଡ଼ିଶା ଖଣି ଦୁର୍ନୀତିର ରାୟ ପ୍ରକାଶ କରିଥିଲେ । ଏଥିରେ ଜାତୀୟ ଖଣିଜ ଆଇନ-୨୦୦୮ର ପୁନରାବଲୋକନ ସହ ଦଶନ୍ଧି ପୁରୁଣା ଜାତୀୟ ଖଣିଜ ଆଇନକୁ ସଂଶୋଧନ କରିବା ଦରକାର ବୋଲି ରାୟରେ କେନ୍ଦ୍ର ସରକାରଙ୍କୁ କହିଥିଲେ । ରାୟକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜାତୀୟ ଖଣିଜ ଆଇନ-୨୦୦୮ର ପୁନରାବଲୋକନ ସହ ନୂଆ ଜାତୀୟ ଖଣିଜ ଆଇନକୁ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡି.କେ. ରାଜେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ୨୯ଜଣିଆ କମିଟି ଗଠନ କରାଯାଇଛି ।

୨୦୧୭ ଅକ୍ଟୋବର ୩୧ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି । କମିଟିର ଯେଉଁସବୁ ଟର୍ମସ୍ ଅଫ୍ ରେଫରେନ୍ସ ରହିଛି, ସେଗୁଡ଼ିକ ହେଲା- ଜାତୀୟ ଖଣିଜ ଆଇନ ୨୦୦୮ର ସମୀକ୍ଷା, ନିକଟରେ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ତାର ପୃଷ୍ଟଭୂମିରେ ନୂଆ ଖଣିଜ ଆଇନ୍ ଆଇନ ପ୍ରସ୍ତୁତ କରିବା ପାଇଁ ସୁପାରିଶ ତଥା ସ୍ୱଚ୍ଛତାର ନିଦର୍ଶନ, ସାମାଜିକ ଓ ଆର୍ଥିକ ବୃଦ୍ଧିର ସମତୁଲତା ତଥା ମାଇନିଂ ଇଣ୍ଡଷ୍ଟ୍ରିଜର ସ୍ଥିରତା । ଏତଦ୍ ବ୍ୟତୀତ ଖଣିଜ ବିକାଶ ଓ ସଂରକ୍ଷଣ, ପରିବେଶ ସୁରକ୍ଷା ପାଇଁ ମହତ୍ତ୍ୱପୂର୍ଣ୍ଣ ସୁପାରିଶ କରିବା ସହ ରାଜ୍ୟ ଓ ଅଞ୍ଚଳମାନଙ୍କରେ ମାଇନିଂର କ୍ୟାରିଙ୍ଗ କାପାସିଟିର ଆକଳନ ଆଦି ସାମିଲ ରହିଛି ।

ଖଣିଜ ପଦାର୍ଥଗୁଡ଼ିକର ସର୍ଭେ ଓ ଅନେ୍ଵଷଣର ଉନ୍ନତମାନ ସଂପର୍କରେ ସୁପାରିଶ କରିବା ସହିତ ଶ୍ରମଶକ୍ତିର ବିକାଶ, ଭିତ୍ତିଭୂମି ବିକାଶ, ଖଣିଖନନ ପାଇଁ ଆର୍ଥିକ ସହାୟତା ତଥା ମାଇନିଂରେ ଗବେଷଣା ସଂପର୍କରେ ସୁପାରିଶ କରିବା ପାଇଁ ଟର୍ମସ୍ ଅଫ୍ ରେଫରେନ୍ସରେ ଉଲ୍ଲେଖ କରାଯାଇଛି । ଷ୍ଟ୍ରାଟେଜିକ୍ ମିନେରାଲର ବିକାଶ କିଭଳି କରାଯାଇପାରିବ ସେ ନେଇ ପରୀକ୍ଷାନିରୀକ୍ଷା କରି ସୁପାରିଶ କରିବା ପାଇଁ ମଧ୍ୟ କୁହାଯାଇଛି । ଖଣିଜ ଅନ୍ୱେଷଣ ଓ ବିକାଶ ସଂପର୍କିତ ଆର୍ଥିକ ପ୍ରସଙ୍ଗକୁ ପରୀକ୍ଷାନିରୀକ୍ଷା କରି ସୁପାରିଶ କରାଯିବ । ଏହାବାଦ କମିଟିକୁ କୌଣସି ପ୍ରସଙ୍ଗର ପ୍ରାସଙ୍ଗିକତାକୁ ନେଇ ମଧ୍ୟ ସୁପାରିଶ କରାଯାଇପାରିବ ବୋଲି ଟର୍ମସ୍ ଅଫ୍ ରେଫରେନ୍ସରେ ଉଲ୍ଲେଖ ହୋଇଛି ।

କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ୨୯ଜଣିଆ କମିଟିରେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ଯୁଗ୍ମ ସଚିବ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଜଙ୍ଗଲ ବିଭାଗ ଯୁଗ୍ମ ସଚିବ, ପରିବେଶ ବିଭାଗ ଯୁଗ୍ମ ସଚିବ, ଜଳବାୟୁ ବିଭାଗର ଯୁଗ୍ମ ସଚିବ, କେନ୍ଦ୍ର କୋଇଲା ମନ୍ତ୍ରାଳୟର ଯୁଗ୍ମ ସଚିବ, କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ, କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଯୁଗ୍ମ ସଚିବ, ରେଳ ବୋର୍ଡ ପ୍ରତିନିଧି, ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ମହାନିର୍ଦ୍ଦେଶକ, ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସର କଣ୍ଟ୍ରୋଲର ଜେନେରାଲ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ ଓ ତେଲେଙ୍ଗାନା ରାଜ୍ୟର ଖଣି ସଚିବ, ସିଆଇଆଇ, ଏଫଆଇଏମଆଇ, ଫିକ୍କି ଓ ଆସୋଚାମର ପ୍ରତିନିଧିମାନେ ସଭ୍ୟ ରହିଥିବା ବେଳେ ଖଣି ମନ୍ତ୍ରାଳୟ ଯୁଗ୍ମ ସଚିବ ରାଜୀବ ପାଠକ କମିଟିର ସଚିବ ସଦସ୍ୟ ରହିବେ ।