ଯେବେ ନବୀନ ନିବାସରେ ଏକାଠି ହୁଅନ୍ତି ନେତା, ରାଜନୀତିରେ ‘ପଖାଳ’ ଚର୍ଚ୍ଚା ! ଜାଣନ୍ତୁ ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ ପଖାଳ ବିଷୟରେ

65

କନକ ବ୍ୟୁରୋ : ‘ପଖାଳ’ । ଓଡ଼ିଶାବାସୀଙ୍କ ପ୍ରିୟ ଖାଦ୍ୟ ମେନୁ ମଧ୍ୟରେ ଅନ୍ୟତମ । ଓଡ଼ିଶା ଓ ଓଡ଼ିଆଙ୍କ ସହ ପଖାଳର ରହିଛି ସ୍ୱତନ୍ତ୍ର ସମ୍ପର୍କ । ଆଉ ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଖାସ୍ ଏଥିପାଇଁ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି । କି ଗରିବ କି ଧନୀ ପଖାଳ ଖାଇବାର ନିଶା ସମସ୍ତଙ୍କ ମଧ୍ୟରେ ଥାଏ । ଯାହାର ଝଲକ ଏଇ କିଛି ଦିନ ପୂର୍ବେ ଦେଖିବାକୁ ମିଳିଥିଲା । ଚଳିତବର୍ଷ ଜାତୀୟସ୍ତରର ଚାରି ବରିଷ୍ଠନେତା ଖାଇଥିବା ପଖାଳକୁ ନେଇ ଜୋର ଚର୍ଚ୍ଚା ହୋଇଥିଲା ।

ଜାନୁଆରୀ ୨୭, ୨୦୧୮ । ଜାତୀୟସ୍ତରର ୪ ବରିଷ୍ଠ ନେତା(ବିଜେପିର ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡ଼ି ଦେବଗୌଡା, ସିପିଏମ ନେତା ସୀତାରାମ ୟେଚୁରୀ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ )ଙ୍କୁ ପଖାଳର ସ୍ୱାଦ ଚଖାଇ ବେଶ ଚର୍ଚ୍ଚା ସାଉଁଟି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଦ ଟଲ ମ୍ୟାନ ଉନ୍ମୋଚନ ଅବସରରେ ଓଡ଼ିଶା ଆସିଥିବା ଜାତୀୟ ସ୍ତରର ଏହି ୪ ବରିଷ୍ଠ ନେତାଙ୍କୁ ଓଡ଼ିଶାର ଦେଶୀ ଖାଦ୍ୟର ସ୍ୱାଦ ଚଖାଇଥିଲେ ବିଜେଡି ସୁପ୍ରିମୋ ।

ପୂରା ଦେଶୀ ଷ୍ଟାଇଲରେ ପରଷା ଯାଇଥିଲା ଦେଶୀ ଖାଦ୍ୟ । ଡାଇଡ଼ିଂ ଟେବୁଲ ଉପରେ କଦଳୀ ପତ୍ରରେ ପରଷାଗଲା ଦେଶୀ ଆଇଟମ । କଦଳୀ ପତ୍ର ଉପରେ ପରଷା ଯାଇଥିଲା ପଖାଳ, ସଜନା ଛୁଇଁ ଭଜା, ପିଆଜ ପିଠା, ଶାଗ ବଡି ଓ ପ୍ରସିଦ୍ଧ ଛେନା ପୋଡ । ଏହି ନିରାମଷ ଖାଦ୍ୟକୁ ପେଟଭରି ଖାଇଥିଲେ ୪ ନେତା । ନବୀନ ମଧ୍ୟ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ପରେ ୪ ନେତାଙ୍କ ସହ ମିଶି ଖାଉଥିବାର ଫଟୋ ଟ୍ୱିଟରରେ ସେୟାର କରିଥିଲେ ନବୀନ । ପ୍ରଥମ ଥର ପାଇଁ ରାଜନୀତିରେ ପଖାଳକୁ ନେଇ ଚର୍ଚ୍ଚା ହୋଇଥିଲା । ଆଉ ନବୀନଙ୍କ ଏହି ଆଇଡିଆକୁ ସେତେବେଳେ ସାଧାରଣରେ ବେଶ ପ୍ରଂଶସା କରାଯାଇଥିଲା । ଆଉ ଏହା ପାଲଟିଯାଇଥିଲା ଚଳିତବର୍ଷର ସବୁଠୁ ଚର୍ଚ୍ଚିତ ପଖାଳ ।