ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ : ବିଚାରପତି ଶରଦ ଅରବିନ୍ଦ୍ ବୋବଡେଙ୍କ ନାଁ ସୁପାରିଶ କଲେ ରଞ୍ଜନ ଗୋଗଇ

294

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ । ବିଚାରପତି ଶରଦ ଅରବିନ୍ଦ୍ ବୋବଡେଙ୍କ ନାଁ ସୁପାରିଶ କଲେ ବର୍ତ୍ତମାନର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ । ପ୍ରକ୍ରିୟା ଅନୁସାରେ ବର୍ତମାନର ପ୍ରଧାନ ବିଚାରପତି ହିଁ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାଁ ସୁପାରିଶ କରିଥାନ୍ତି । ଏନେଇ କେନ୍ଦ୍ର ସରକାରଙ୍କୁ ଚଠି ଲେଖି ଜଣାଇ ଦେଇଛନ୍ତି ଗୋଗଇ ।

ଆସନ୍ତା ନଭେମ୍ବର୧୭ରେ ଗୋଗଇ ଅବସର ନେବେ ଏବଂ ବୋବଡେ ତା’ପରଦିନ ଅର୍ଥାତ ଆସନ୍ତା ୧୮ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ୨୦୨୧ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୋବଡେ ପ୍ରଧାନ ବିଚାରପତି ଦାୟିତ୍ୱରେ ରହିବେ । ୨୦୧୩ରୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରି ଆସୁଛନ୍ତି ବୋବଡେ ।

ସୁପ୍ରିମକୋର୍ଟର ୱେବସାଇଟ୍ ଅନୁସାରେ, ୧୯୫୬ ଅପ୍ରେଲ ୨୬ରେ ମହାରାଷ୍ଟ୍ର ନାଗପୁରରେ ଜନ୍ମଗ୍ରହଣ କରିଥିଲେ । ଜଷ୍ଟିସ୍ ବୋବଡେ ଏବେ ସୁପ୍ରିମକୋର୍ଟରେ ଜଜ ଅଛନ୍ତି। ତାଙ୍କ ପିତାଙ୍କ ନାମ ଅରବିନ୍ଦ ଶ୍ରୀନିବାସ ବୋବଡେ । ନାଗପୁର ବିଶ୍ଵବିଦ୍ୟାଳୟରୁ ବିଏ ଏବଂ ଏଲଏଲବି ଡିଗ୍ରୀ ହାସଲ କରିଛନ୍ତି ବୋବଡେ ।