ସୋନିଆ ଓ ରାହୁଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ! ନ୍ୟାସନାଲ ହେରାଲଡ ମାମଲାର ହେବ ତଦନ୍ତ

31

କନକ ବ୍ୟୁରୋ : ନ୍ୟାସନାଲ ହେରାଲଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଓ ଉପସଭାପତି ରାହୁଲ ଗାନ୍ଧିଙ୍କୁ ଜବରଦସ୍ତ ଝଟକା ଲାଗିଛି । ଏହି ମାମଲାରେ ଯାଞ୍ଚ ପାଇଁ ଆୟକର ବିଭାଗକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ନ୍ୟାସନାଲ ହେରାଲଡରେ ୟଙ୍ଗ ଇଣ୍ଡିଆ, ସୋନିଆ ଓ ରାହୁଲଙ୍କ ଅଂଶୀଦାର ରହିଛି ।

ପୂର୍ବରୁ ଦିଲ୍ଲୀର ପଟ୍ଟିଆଲା ହାଉସ କୋର୍ଟ ଏହି ମାମଲାରେ ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏହାକୁ ସୋନିଆ ଓ ରାହୁଲଙ୍କ ବଡ ବିଜୟ ବୋଲି କୁହାଯାଉଥିଲା । ନ୍ୟାସନାଲ ହେରାଲଡ ମାମଲାରେ ୨୦୧୫ରେ ସୋନିଆ ଓ ରାହୁଲ ପଟ୍ଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ ଓ ଉଭୟଙ୍କୁ ଜାମିନ ଦେଇଥିଲେ କୋର୍ଟ ।

ଏହାକୁ ଆବେଦନକାରୀ ତଥା ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ ତୀବ୍ର ବିରୋଧ କରିଥିଲେ । ଜୁନ ୨୦୧୬ରେ ଦିଲ୍ଲୀ ହାଇକୋର୍ଟ ପଟ୍ଟିଆଲା କୋର୍ଟର ନିର୍ଦ୍ଦେଶକୁ ରଦ୍ଦ କରିଦେଇଥିଲେ । ଫଳରେ ସୋନିଆ ଓ ରାହୁଲଙ୍କୁ ବଡ ଆଶ୍ୱସ୍ତି ମିଳିଥିଲା । ଏବେ ଆଜିର ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ସୋନିଆ ଓ ରାହୁଲଙ୍କ ପାଇଁ ବଡ ଝଟକା ହୋଇଛି ।